ପୃଷ୍ଠା:Sarala Bhashatattwa.pdf/51

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଛୋଟ ଛୋଟ ଫାଳ କରି ଏକତ୍ର ବନ୍ଧାଯାଉଥିବାରୁ ବା ସିଲାଇ କରାଯାଇ ଗୋଟିଏ ପତ୍ର କରାଯାଉଥିବାରୁ ବାନ୍ଧିବା ଅର୍ଥକୁ ମୂଳ କରି ଏହାକୁ page ବୋଲା ଯାଉଥିଲା ଅର୍ଥାତ୍ ପେଜ, ଫାଶ, ପଶୁ, ଫିସ୍ ପ୍ରଭୃତି ନାନା ଓଡ଼ିଆ ଶବ୍ଦ ଏକ ମୂଳ ଆର୍ଯ୍ୟ ଶବ୍ଦରୁ ଉଦ୍ଭୃତ ଓ ନାନା ଭାଷାର ମଧ୍ୟ ଦେଇ ଓଡ଼ିଆ ଭାଷାରେ ଏମାନଙ୍କର ପ୍ରଚଳନ ହୋଇଅଛି । ପ୍ରତ୍ୟେକ ଶବ୍ଦର ଏହିପରି ଏକ ବିରାଟ-ଇତିହାସ ଅଛି ଓ ଏହି ଇତିହାସର ଆଲୋଚନା ପୂର୍ଣ୍ଣଭାବରେ କରି ପାରିଲେ ଶବ୍ଦର ସମ୍ପୂର୍ଣ୍ଣ ପରିଚୟ ଲାଭ କରାଯାଇ ପାରେ । କେବଳ ଗତାନୁଗତିକଭାବରେ ଧାତୁ-ପ୍ରତ୍ୟୟ ନିରୂପଣ ବା ଦେଶକ, ବୈଦେଶିକ ପ୍ରଭୃତି ବିଭାଗ ନିର୍ଦ୍ଦେଶ ଭାଷାତତ୍ତ୍ୱ ଅନୁସାରେ ଶୁଦ୍ଧ ନୁହେଁ ।

ଦେଶ-ବିଦେଶ ସହିତ ରାଜନୀତିଗତ, ବ୍ୟବସାୟଗତ ବା କୃଷ୍ଟିଗତ ସମ୍ପର୍କ ସ୍ଥାପିତ ହୋଇଥିବାରୁ ନାନା ବୈଦେଶିକ ଶବ୍ଦ ଭାଷାରେ ପ୍ରଚଳିତ ହେବା ସ୍ୱାଭାବିକ । ଏହିପରି ସମ୍ପର୍କ ହେତୁରୁ ଅନୁବାଦ ଓ ଅନୁକରଣଦ୍ୱାରା ମଧ୍ୟ ଭାଷା ସମୃଦ୍ଧ ହେବା ସ୍ୱାଭାବିକ । ଓଡ଼ିଆରେ ଅନେକ ଇଂରାଜୀ ଶବ୍ଦ ସ୍ୱୀକୃତ ହୋଇଅଛି (ଯଥା - ଡାକ୍ତର, ଟେବୁଲ, ଇସ୍କୁଲ, ବେଞ୍ଚ, ମାଷ୍ଟର ପ୍ରଭୃତି) ପୁଣି ଅନେକ କ୍ଷେତ୍ରରେ ଶବ୍ଦମାନଙ୍କର ଅନୁବାଦ କରିବାର ଚେଷ୍ଟା ମଧ୍ୟ ହୋଇଅଛି । ସେହି ଅନୁବାଦ ଭ୍ରମାତ୍ମକ ହେଲେହେଁ କେତେକ ସ୍ଥଳରେ ସୁପ୍ରଚଳିତ ହୋଇଅଛି । (ଯଥା novel = ଉପନ୍ୟାସ, culture = କୃଷ୍ଟି, editor = ସମ୍ପାଦକ, secretary = ସମ୍ପାଦକ, motor car = ହାୱାଗାଡି, principal = ଅଧ୍ୟକ୍ଷ ପ୍ରଭୃତି) । ମାତ୍ର ଅନ୍ୟ ସ୍ଥଳରେ ଠିକ୍ ଅନୁବାଦର ପ୍ରୟାସ ବ୍ୟର୍ଥ ମଧ୍ୟ ହୋଇଅଛି । (ଯଥା railway = ବାଷ୍ପୀୟ ଶକଟ, ବର୍ତ୍ତମାନ ସାଧାରଣ ଲୋକମାନେ ମଧ୍ୟ ରେଲବାଇ, ରେଲଗାଡ଼ି, ଟ୍ରେନ ପ୍ରଭୃତି ଶବ୍ଦ ବ୍ୟବହାର କରିଥାନ୍ତି, museum = କୌତୁକାଗାର, ଯାଦୁଘର ନିର୍ଭୁଲ ଅନୁବାଦ ନ ହେଲେହେଁ ସୁପ୍ରଚଳିତ; hospital = ଆରୋଗ୍ୟନିକେତନ, zoo = ପଶୁଶାଳା, ଏହି ଅର୍ଥରେ ଚିଡ଼ିଆଖାନା ଶବ୍ଦ ପ୍ରଚଳିତ, ଏହାର କାରଣ ପୂର୍ବେ ଧନୀ ଲୋକମାନେ ସାଧାରଣତଃ ନାନା ପ୍ରକାର ପକ୍ଷୀ ପାଳନ କରୁଥିଲେ, ବ୍ୟାଘ୍ର ଆଦି ପାଳନ କରିବାର ପ୍ରଥା ପ୍ରଚଳିତ ନ ଥିଲା; municipality = ନାଗରିକ ସମିତି ପ୍ରଭୃତି) । ଅନ୍ୟ କେତେକ ସ୍ଥାନରେ ଇଂରାଜୀ ଶିକ୍ଷାର ବ୍ୟାପକତା ହେତୁରୁ ଅନୂଦିତ ଶବ୍ଦ କ୍ରମଶଃ ଅବ୍ୟବହୃତ ହେଉଅଛି ଓ କାଳକ୍ରମେ ଇଂରାଜୀ ଶବ୍ଦ ବହୁଳ ପ୍ରଚାର ହେବା ସମ୍ଭବ (ଯଥା - competition = ପ୍ରତିଯୋଗିତା, trench = ଆଶ୍ରୟସ୍ଥଳ, university = ବିଶ୍ୱବିଦ୍ୟାଳୟ,