ପୃଷ୍ଠା:Sarala Bhashatattwa.pdf/54

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଏପରି ପରିବର୍ତ୍ତନର ଉଦାହରଣ ଆମ୍ଭେମାନେ ପାଇଥାଉଁ । ଅନେକ ସମୟରେ ଏହି ବିକୃତିମାନଙ୍କର ଭିନ୍ନ କାରଣ ନିର୍ଦ୍ଦେଶିତ କରାଯାଇ ପାରେ; ଯଥା- 'ଛାଦ'ରୁ 'ଛାତ'ର ପରିଣତ ଏକ ଦିଗରେ କ୍ଷଣଧ୍ୱନି 'ଛ'ର ନୈକଟ୍ୟ ଓ ଅନ୍ୟ ଦିଗରେ 'ଛତା'ର ପ୍ରଭାବ ବୋଲି ମନେ କରାଯାଇ ପାରେ । 'ସ୍ତବକ'ରୁ 'ଥୋପା'ର ରୂପାନ୍ତର ମଧ୍ୟରେ ମଧ୍ୟ କ୍ଷଣଧ୍ୱନିର ନୈକଟ୍ୟ ପରିଲକ୍ଷିତ ହୋଇ ପାରେ । ସେହିପରି 'ବାଳ'ରୁ 'ପିଲା'ର ବିବର୍ତ୍ତନ ଦ୍ରାବିଡ଼ ଭାଷାରେ ବ୍ୟବହୃତ 'ପିଲା' ପ୍ରଭାବରୁ ଘଟିଅଛି ବୋଲି ଅନୁମାନ କରାଯାଇ ପାରେ । ବାସ୍ତବରେ କ୍ଷଣଧ୍ୱନି ବର୍ଣ୍ଣମାନଙ୍କର ମଧ୍ୟମଧ୍ୱନିରେ ପରିବର୍ତ୍ତନ ହେବା ଭାଷାରେ ସାଧାରଣ ରୀତି; କିନ୍ତୁ ନାନା କାରଣରୁ ମଧ୍ୟମଧ୍ୱନି ବର୍ଣ୍ଣମାନଙ୍କର କ୍ଷଣଧ୍ୱନିରେ ପରିଣତ ହେବାର ଦୃଷ୍ଟାନ୍ତ ମଧ୍ୟ ବିରଳ ନୁହେଁ ।

ଉଚ୍ଚାରଣର ଆଳସ୍ୟ ହେତୁରୁ ମହାପ୍ରାଣ ବର୍ଣ୍ଣର ଅଳ୍ପ ପ୍ରାଣ ବର୍ଣ୍ଣରେ ପରିଣତି, ମହାପ୍ରାଣ ବର୍ଣ୍ଣମାନଙ୍କ ସ୍ଥାନରେ କେବଳ 'ହ' ର ଧ୍ୱନି, ସଂଯୁକ୍ତ ବର୍ଣ୍ଣମାନଙ୍କ ସ୍ଥାନରେ କେବଳ ଗୋଟିଏ ବର୍ଣ୍ଣର ଅବସ୍ଥିତି ଓ ଅନୁନାସିକ ବର୍ଣ୍ଣମାନଙ୍କ ସ୍ଥାନରେ କେବଳ ଅନୁସ୍ୱାର, ଚନ୍ଦ୍ରବିନ୍ଦୁ ପ୍ରଭୃତି ଆନୁନାସିକ ମାତ୍ରାର ବ୍ୟବହାର ମଧ୍ୟ ଓଡ଼ିଆ ଭାଷାରେ ବ୍ୟବହୃତ ଶବ୍ଦମାନଙ୍କରେ ଦେଖାଯାଇଥାଏ । ଓଡ଼ିଆରେ ଆମ୍ଭେମାନେ 'ନାଭି' ସ୍ଥାନରେ 'ନାହି'; 'ମଧୂ' ପରିବର୍ତ୍ତରେ 'ମହୁ'; ଓ 'ଦଧି' ପରିବର୍ତ୍ତରେ 'ଦହି' ବ୍ୟବହାର କରିଥାଉଁ । ପୁଣି 'ମହାର୍ଘ' ସ୍ଥାନରେ 'ମହରଗ' ଓ 'ଲୁଣ୍ଠନ' ସ୍ଥାନରେ 'ଲୁଟି' ମଧ୍ୟ ପ୍ରଚଳିତ । ଓଡ଼ିଆରେ 'ଦିଶୁଅଛି', 'କରୁଅଛି', 'ଯାଉଅଛି', 'ଦେଉଅଛି' ପ୍ରଭୃତି ସ୍ଥାନରେ 'ଦିଶୁଚି', 'କରୁଚି', 'ଯାଉଚି', 'ଦେଉଚି' ପ୍ରଭୃତି ଶବ୍ଦ ନିତ୍ୟ ବ୍ୟବହୃତ ହୋଇଥାଏ । ଏସବୁ ମଧ୍ୟ ଆଳସ୍ୟ ଜନିତ ଉଚ୍ଚାରଣବିକୃତିର ଫଳ ବୋଲି ସହଜରେ ଅନୁମାନ କରାଯାଇ ପାରେ ।

କେତେକ ଧ୍ୱନି ମଧ୍ୟରେ ସମତା ଥିବାରୁ ଅର୍ଥାତ୍ ସେମାନଙ୍କର ଉଚ୍ଚାରଣସ୍ଥାନର ପରସ୍ପର ସହିତ ସମ୍ବନ୍ଧ ଥିବାରୁ ଅନେକ ସମୟରେ ସେହିସବୁ ଧ୍ୱନି ମଧ୍ୟରେ ଭ୍ରମ ଜାତ ହେବା ସ୍ୱାଭାବିକ । ଓଡ଼ିଆରେ ର, ଳ, ଡ଼ ର ଉଚ୍ଚାରଣରେ ଏହିପରି ବିପର୍ଯ୍ୟୟ ଆମ୍ଭେମାନେ ଅନେକ କ୍ଷେତ୍ରରେ ଦେଖିଥାଉଁ । ଏହି କାରଣରୁ ମଧ୍ୟ ଭାଷାରେ ବିଭିନ୍ନ ଶବ୍ଦର ବ୍ୟବହାର ଦେଖାଯାଏ । ସଂସ୍କୃତ ଯୁଗଳ ଶବ୍ଦରୁ ଏକ ଦିଗରେ ଯାଆଁଳା, ଯୁଆଳି ପ୍ରଭୃତି ଶବ୍ଦରୁ ଉଦ୍ଭବ ହୋଇଅଛି ଓ ଅନ୍ୟ ଦିଗରେ ଯୋଡ଼, ଯୋଡ଼ା ପ୍ରଭୃତି ଶବ୍ଦ ମଧ୍ୟ ଜାତ ହୋଇଅଛି । ଏହି ଶବ୍ଦମାନଙ୍କର ଆକୃତିଗତ ପାର୍ଥକ୍ୟ ଥିବାରୁ ଏମାନଙ୍କୁ ବିଭିନ୍ନ ଅର୍ଥରେ ବ୍ୟବହାର