ପୃଷ୍ଠା:Sarala Bhashatattwa.pdf/57

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କ ଚ ଟ ତ ପ ଧ୍ୱନିମାନ ମିଳେ ଓ ଓଡ଼ିଆରେ ଯେଉଁ ଯେଉଁ ସ୍ଥାନରେ କ (ସ) ଚ ଟ ତ ପ ଧ୍ୱନିମାନ ଥାଏ, ଇଂରାଜୀରେ ଅନୁରୂପ ସ୍ଥାନରେ ଖ (ହ) ଛ ଠ ଥ ଫ ଧ୍ୱନିମାନ ମିଳିବାର ଦେଖାଯାଏ । ଭାଷାତତ୍ତ୍ୱର ଏହି ନିୟମ ଅତି ବ୍ୟାପକଭାବରେ ଆର୍ଯ୍ୟଭାଷାମାନଙ୍କରେ ଦେଖାଯାଏ । ମୂଳ ଆର୍ଯ୍ୟଭାଷାର ଧ୍ୱନିମାନ ସାଧାରଣତଃ ଅବିକୃତଭାବରେ ସଂସ୍କୃତର ମଧ୍ୟ ଦେଇ ଓଡ଼ିଆରେ ପ୍ରଚଳିତ ଓ ଇଂରାଜୀ ପ୍ରଭୃତି ଯେଉଁ ଭାଷାମାନ ଟିଉଟନିକର ମଧ୍ୟ ଦେଇ ଜାତ, ସେଥିରେ ମୂଳ ଆର୍ଯ୍ୟ ଭାଷାର ଧ୍ୱନିମାନ ବିକୃତ ହୋଇଥିବାରୁ ଉଭୟ ଭାଷାର ଶବ୍ଦମାନଙ୍କ ମଧ୍ୟରେ ଉପର୍ଯ୍ୟୁକ୍ତ ପ୍ରକାରେ ପାର୍ଥକ୍ୟ ଦେଖାଯାଏ । ମାତ୍ର ଲାଟିନ୍ ବା ଗ୍ରୀକ୍ ଭାଷାରେ କେତେକ ବିଶେଷ ସ୍ଥଳ ଭିନ୍ନ ଅନ୍ୟତ୍ର କୌଣସି ବିକୃତି ଦେଖାଯାଏ ନାହିଁ । ଓଡ଼ିଆ ପତ୍ର ସହିତ ଇଂରାଜୀ feather, ଦାନ୍ତ ସହିତ tooth, ଦାରୁ ସହିତ tree, ଜାନୁ ସହିତ knee, ଦମନ ସହିତ tame, ପଦ ସହିତ foot, ଭାଜ(ନ) ସହିତ book, ମର୍ଦ(ନ) ସହିତ Melt, ରୁଧିର ସହିତ red, ruddy, ଅର୍ଜ(ନ) ସହିତ rich, ଋଜୁ ସହିତ rake, ଉଦକ ସହିତ water, ଶାଳା ସହିତ hall, ହୃଦୟ ସହିତ heart, ଅନ୍ତର ସହିତ other, ତୃଷା ସହିତ thirst ପ୍ରଭୃତି ଶବ୍ଦର ସମୀକରଣ କରିବା ସମ୍ଭବପର ହୁଏ । ଭାଷାତତ୍ତ୍ୱର ଏହି ନିୟମର କେତେକ ବ୍ୟତିକ୍ରମ ଅଛି, ମାତ୍ର ସାଧାରଣତଃ କୌଣସି ବ୍ୟତିକ୍ରମ ଦେଖାଗଲେ ତାହାର କାରଣ ମଧ୍ୟ ନିର୍ଦ୍ଦେଶିତ ହୋଇପାରେ । ଓଡ଼ିଆରେ ତାପ ସହିତ ଇଂରାଜୀ tepid ର ରୂପ ଓ ଅର୍ଥଗତ ସାମ୍ୟ ଦେଖି ଉଭୟ ଶବ୍ଦ ମଧ୍ୟରେ ସମ୍ପର୍କ ଅନୁମାନ କରାଯାଇପାରେ, ମାତ୍ର ଯଦି ଏହି ଶବ୍ଦଟି ଟିଉଟନିକ ଭାଷାର ମଧ୍ୟ ଦେଇ ଇଂରାଜୀକୁ ଆସିଥାନ୍ତା, ତେବେ ତ ସ୍ଥାନରେ ଥ ଓ ପ ସ୍ଥାନରେ ଫ ହୋଇଥାନ୍ତା ଓ ଏପରି ନ ହୋଇ ଥିବାରୁ ସନ୍ଦେହ କରିବାକୁ ହେବ ଯେ, ହୁଏ ତ ଏ ଶବ୍ଦମାନଙ୍କ ମଧ୍ୟରେ ସମ୍ପର୍କ ନାହିଁ କିମ୍ବା tepid ଶବ୍ଦଟି ଲାଟିନ୍ ଭାଷାର ମଧ୍ୟ ଦେଇ ଇଂରାଜୀକୁ ଆସିଅଛି ଓ ଲାଟିନ୍‌ରେ କୌଣସି ବିକୃତି ନ ହୋଇଥିବା ସ୍ଥଳେ ଇଂରାଜୀରେ ମଧ୍ୟ ବିକୃତି ହୋଇ ନାହିଁ । ବାସ୍ତବରେ ଏହି ଶବ୍ଦଟି ମୂଳ ଆର୍ଯ୍ୟ 'ତପ' ଶବ୍ଦର ଲାଟିନ୍ ରୂପ tepere ରୁ ଇଂରାଜୀକୁ ଆସିଅଛି । ଏହିପରି 'ତନ୍ତୁ' ଓ 'tender' ମଧ୍ୟରେ ଆଦ୍ୟ ଅକ୍ଷରର ପରିବର୍ତ୍ତନ ଦେଖା ନ ଯିବାରୁ ଇଂରାଜୀ tender ଶବ୍ଦ ଲାଟିନ୍ ଭାଷାର ଶବ୍ଦରୁ ଗୃହୀତ ବୋଲି ସହଜରେ ଅନୁମାନ କରାଯାଇ ପାରେ । ଅନ୍ୟ ଦିଗରେ ଓଡ଼ିଆ 'ପଥ' ଓ ଇଂରାଜୀ 'path' ମଧ୍ୟରେ ଅର୍ଥଗତ ଓ ରୂପଗତ ସମତା ଥିବାରୁ ଏମାନଙ୍କ ମଧ୍ୟରେ ସମ୍ପର୍କ ଅନୁମାନ କରାଯାଇ