ପୃଷ୍ଠା:Sarala Bhashatattwa.pdf/6

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଚିତ୍ରାଙ୍କନ ଦ୍ୱାରା ରୂପର ଓ ଶବ୍ଦ ପ୍ରୟୋଗ ଦ୍ୱାରା ଧ୍ୱନିର ଅନୂକରଣ କରିବାକୁ ପ୍ରଯତ୍ନ ନ କରିଥାନ୍ତା ତେବେ ମଧ୍ୟ ଭାଷାର ସୃଷ୍ଟି ଅସମ୍ଭବ ହୋଇପଡ଼ନ୍ତା । ଆମ୍ଭେମାନେ ବର୍ତ୍ତମାନ ଭାଷା କହିଲେ ଯାହା ବୁଝୁଁ ତାହାର ଦୁଇଗୋଟି ବିଶିଷ୍ଟ ବିଭାଗ ଅଛି । ଗୋଟିଏ ଲିଖିତ ରୂପ ଓ ଅନ୍ୟଟି ଉଚ୍ଚାରିତ ଶବ୍ଦ । ଆମ୍ଭେମାନେ କେତେକ ଧ୍ୱନିସମାବେଶକୁ ଉଚ୍ଚାରିତ କରୁଁ ଓ କେତେକ ବିଶିଷ୍ଟ ରେଖାଚିତ୍ର ଦ୍ୱାରା ଉକ୍ତ ଧ୍ୱନିମାନଙ୍କୁ ଲିଖିତରୂପରେ ପ୍ରକାଶିତ କରୁଁ । ଆଦିମ ଯୁଗରେ ମନୁଷ୍ୟ ନିଜର ପାରିପାର୍ଶ୍ୱିକ ଆବେଷ୍ଟନୀ ମଧ୍ୟରେ ଯେଉଁସବୁ ପଦାର୍ଥ ଦେଖୁଥିଲା ଏବଂ ନିଜର ଅଙ୍ଗପ୍ରତ୍ୟଙ୍ଗ, ନିଜର ଗୃହପାଳିତ ପଶୁବର୍ଗ, ସୂର୍ଯ୍ୟ, ଚନ୍ଦ୍ର, ନଦୀ, ପର୍ବତ ପ୍ରଭୃତି ପ୍ରାକୃତିକ ଦୃଶ୍ୟାବଳୀ ପ୍ରଭୃତି ଯେଉଁ ପଦାର୍ଥମାନଙ୍କ ସହିତ ତାହାର ଅହରହ ପରିଚୟ ଘଟୁଥିଲା, ସେସମସ୍ତଙ୍କୁ ସେ ନିତ୍ୟ ଅଙ୍କିତ କରିବାକୁ ସଚେଷ୍ଟ ହେଉଥିଲା ଓ ଏହି ଅଙ୍କନର ପରିଣତିସ୍ୱରୂପ ବର୍ତ୍ତମାନ ଲିପିମାନଙ୍କର ଉଦ୍ଭବ ହୋଇଅଛି । ଏହିପରି ପ୍ରଜ୍ୱଳିତ ଅଗ୍ନି, ପ୍ରବାହମାନ ନଦୀ, ଗତିବେଗମୂଖର ବାୟୂ, ପତ୍ରରାଜିର ମର୍ମରଧ୍ୱନି, ଅସ୍ତ୍ରଶସ୍ତ୍ରର ଝଣତ୍କାର, ପ୍ରସ୍ତରମାନଙ୍କର ଘର୍ଷଣ ପ୍ରଭୃତି ଯେଉଁ ଧ୍ୱନିମାନଙ୍କ ସହିତ ତାହାର ଦୈନନ୍ଦିନ ପରିଚୟ ଘଟିଥିଲା ସେମାନଙ୍କର ଅନୁକରଣରୁ ବର୍ତ୍ତମାନ ଧ୍ୱନିମୟ ଶବ୍ଦରାଶି ଉତ୍ପନ୍ନ ହେବା ମଧ୍ୟ ସମ୍ଭବପର । ଆଦିମ ଯୁଗରେ କିପରିଭାବରେ ଭାଷାର ସୃଷ୍ଟି ହେଲା, ପ୍ରଥମରେ କିପରିଭାବରେ ଭାଷାଗତ ଶବ୍ଦମାନଙ୍କର ସାଙ୍କେତିକ ରୂପ, ଧ୍ୱନି ବା ଅର୍ଥ ନିୟନ୍ତ୍ରିତ ହେଲା, ଭାଷାର ବ୍ୟବହାର କିପରିଭାବରେ ଆରବ୍ଧ ହେଲା ଓ କିପରିଭାବରେ ପ୍ରସାର ଲାଭ କରି ବର୍ତ୍ତମାନ ଅବସ୍ଥାରେ ଉପନୀତ ହେଲା ସେ ବିଷୟରେ ଆମ୍ଭମାନଙ୍କର ଜ୍ଞାନ ବାସ୍ତବରେ ସୀମାବଦ୍ଧ ହେଲେହେଁ ମନୁଷ୍ୟର ଅନୂକରଣ ପ୍ରବୃତ୍ତିରୁ କାଳକ୍ରମେ ଭାଷାର ଉଦ୍ଭବ ଓ ବିକାଶ ଘଟିଥିବା ସମ୍ଭବ । କିନ୍ତୁ ଏହି ଆଦିମ ଯୁଗରେ ଅନୂସୃତ ପଦ୍ଧତି ଓ ଭାଷାର କ୍ରମବିକାଶ ବିଷୟରେ ଆମ୍ଭମାନଙ୍କର ଜ୍ଞାନ ଏତେ ସୀମାବଦ୍ଧ ଯେ କେତେକ ଅନିଶ୍ଚିତ ଅନୂମାନ ଭିନ୍ନ ଆଦିମ ଯୁଗର ଭାଷା ବିଷୟରେ କୌଣସି ସୁସ୍ପଷ୍ଟ ଧାରଣା କରିବା ଅସମ୍ଭବ ।

ଭାଷାତତ୍ତ୍ୱ ଅନୂଶୀଳନ କରିବାକୁ ହେଲେ ସେହି କାରଣରୁ ଆମ୍ଭେମାନେ ବର୍ତ୍ତମାନ ବ୍ୟବହୃତ ଭାଷାମାନଙ୍କର ବିଶ୍ଳେଷଣଦ୍ୱାରା କ୍ରମଶଃ ଅତୀତର ଯଥାଯଥ ଚିତ୍ର ପାଇବା ପାଇଁ ସଚେଷ୍ଟ ହେଉଁ । ବର୍ତ୍ତମାନ ବ୍ୟବହୃତ ଭାଷାମାନଙ୍କର ବିଭିନ୍ନତା, ସେମାନଙ୍କର ଧ୍ୱନି ଓ ରୂପଗତ ପାର୍ଥକ୍ୟ ପ୍ରଭୃତି ଆଲୋଚନା କରି ଧୀରେ ଧୀରେ ଅତୀତ ଆଡ଼କୁ ଅଗ୍ରସର ହେଲେ ଆମ୍ଭେମାନେ ନାନାପ୍ରକାର ତଥ୍ୟ ନିର୍ଣ୍ଣୟ କରି