ପୃଷ୍ଠା:Sarala Bhashatattwa.pdf/60

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବାସ୍ତବରେ ମୂଳତଃ ଆର୍ଯ୍ୟଭାଷାର ଅନ୍ତର୍ଗତ ହୋଇଥାନ୍ତା, ତେବେ ତାହାର ନିଦର୍ଶନ ଆମ୍ଭେମାନେ ଅନ୍ୟ ଆର୍ଯ୍ୟଭାଷାରେ ପାଇଥାନ୍ତୁ । କିନ୍ତୁ ଅନ୍ୟାନ୍ୟ ଆର୍ଯ୍ୟଭାଷାରେ ଏହି ଶବ୍ଦର ଅନୁରୂପ ଶବ୍ଦ ଅନୁରୂପ ଅର୍ଥରେ ବ୍ୟବହୃତ ହେଉ ନ ଥିବାରୁ ଏହାର ମୂଳ ରୂପ ବାସ୍ତବରେ ଅଜ୍ଞାତ ବୋଲି ଅନୁମାନ କରାଯାଏ ଓ ଏହା ସଂସ୍କୃତରେ ପ୍ରଥମ ପ୍ରଚଳିତ କିମ୍ବା ଅନ୍ୟ ଭାଷାରୁ ସଂସ୍କୃତରେ ଗୃହୀତ ବୋଲି ମନେ କରିବାକୁ ହେବ । ବାସ୍ତବରେ ସଂସ୍କୃତ ଭାଷାରେ ବ୍ୟବହୃତ ହେବା ପୂର୍ବରୁ ଏହି ଶବ୍ଦର କୌଣସି ଇତିହାସ ଆମ୍ଭେମାନେ ଜାଣୁ ନାହିଁ, କିନ୍ତୁ ସଂସ୍କୃତରେ ବ୍ୟବହାରର ପରବର୍ତ୍ତୀ ଯୁଗରେ ଏହା ପାଲିରେ 'ଅମ୍ବ'ରେ ବିକୃତ ହୋଇଅଛି ଓ ଏହି ବିକୃତ ରୂପ ହିନ୍ଦିରେ 'ଆଁବ', ବଙ୍ଗଳାରେ 'ଆମ୍', ମରଠୀରେ 'ଆମ୍ବ' ଓ ଓଡ଼ିଆରେ 'ଆମ୍ବ' ଶବ୍ଦରେ ପରିଣତ ହୋଇଅଛି । ପୁନରାୟ ବିଚାର କରିବାକୁ ହେବ ଯେ ଓଡ଼ିଆ 'ଆମ୍ବ' ଶବ୍ଦ ବାସ୍ତବରେ ପାଲିରୁ ଜାତ ହୋଇଅଛି କିମ୍ବା ପ୍ରାକୃତରୁ ଉତ୍ପନ୍ନ ଅନ୍ୟ ପ୍ରାଦେଶିକ (ଯଥା ବଙ୍ଗଳା, ହିନ୍ଦୀ ପ୍ରଭୃତି) ଭାଷାର ପ୍ରଭାବରୁ ବିକୃତ ହୋଇଅଛି । ଏ ବିଷୟର ସୂକ୍ଷ୍ମ ଆଲୋଚନା ଅତି କଠିନ ବ୍ୟାପାର, ମାତ୍ର ଭାଷାତତ୍ତ୍ୱରେ ଏଭଳି ଆଲୋଚନା ଏକାନ୍ତ ପ୍ରୟୋଜନ । ମନେ ରଖିବାକୁ ହେବ ଯେ, ପ୍ରାଚୀନ ଓଡ଼ିଆରେ ମଧ୍ୟ 'ଆମ୍ବ' ଶବ୍ଦ ବ୍ୟବହୃତ ଓ ଅନ୍ୟ କୌଣସି ପ୍ରାଦେଶିକ ଭାଷାର ଶବ୍ଦ ସହିତ ତାହାର ରୂପଗତ ସାଦୃଶ୍ୟ ସମ୍ପୂର୍ଣ୍ଣ ନୁହେଁ । ଏଣୁ ଏହି ଶବ୍ଦ ପ୍ରାକୃତରୁ ଓଡ଼ିଆକୁ ପ୍ରତ୍ୟକ୍ଷ ଆସିଥିବା ସମ୍ଭବ ଓ ହିନ୍ଦୀରେ 'ଆଁବ' ଓ ପ୍ରାଚୀନ ବଙ୍ଗଳାରେ 'ଆଁବ' (ଚର୍ଯ୍ୟାପଦ ନାମକ ପ୍ରାଚୀନ ଗ୍ରନ୍ଥରେ 'ତମା' ସ୍ଥାନରେ 'ତାଁବୋଳ'ର ବ୍ୟବହାର ତୁଳନୀୟ) ପ୍ରଭୃତି ରୂପ ବ୍ୟବହୃତ ହେଉଥିବାରୁ ବୋଧହୁଏ, ପ୍ରାକୃତ ବା ପାଲି ଶବ୍ଦ ପ୍ରଥମେ 'ଆଁବ'ରେ ପରିଣତ ହୋଇ ପରେ ଆନୁନାସିକଟି ପରବର୍ତ୍ତୀ ବର୍ଣ୍ଣ ସହିତ ଯୁକ୍ତ ହୋଇ ଓଡ଼ିଆରେ 'ଆମ୍ବ' ଶବ୍ଦର ଉତ୍ପତ୍ତି ଘଟାଇ ଅଛି । ଏ ବିଷୟରେ ସୂକ୍ଷ୍ମ ଗବେଷଣାର ଅଭାବରୁ ଅନେକ କ୍ଷେତ୍ରରେ ଆମ୍ଭମାନଙ୍କ ଅନୁମାନର ଆଶ୍ରୟ ନେବାକୁ ହୁଏ । ମାତ୍ର ସଂସ୍କୃତଜ୍ଞ ପଣ୍ତିତମାନଙ୍କର ଶବ୍ଦର ଇତିହାସ ବିଷୟରେ ଔଦାସୀନ୍ୟ ଓ ଅଜ୍ଞତା ଏବଂ ସଂସ୍କୃତରେ ପ୍ରତ୍ୟେକ ଶବ୍ଦର ଧାତୁ ପ୍ରତ୍ୟୟ ନିର୍ଣ୍ଣୟଦ୍ୱାରା ରୂପର ବ୍ୟାଖ୍ୟା ପଦ୍ଧତି ଏପରି ଗବେଷଣାର ପରିପନ୍ଥୀ ଓ ଭାଷାତତ୍ତ୍ୱ ବିଷୟରେ ସାଧାରଣ ଅଜ୍ଞତା ଏହାର ଫଳ ।

ଶବ୍ଦର ଇତିହାସ ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ଉଚ୍ଚାରଣର ସୁବିଧା ନିମନ୍ତେ 'ମ' ଓ 'ର' ମଧ୍ୟରେ 'ବ' ଧ୍ୱବନିର ଆଗମ କରାଯାଇ ଥିଲେହେଁ ମୂଳତଃ ଯେଉଁ ସବୁ ଶବ୍ଦରେ ମ ଓ ବ ଯୁକ୍ତ ହୋଇ ବ୍ୟବହୃତ ହୋଇଥିଲା, ସେଥିରେ ଅନେକ ସ୍ଥାନରେ 'ବ' ଲୁପ୍ତ ହୋଇଅଛି ।