ପୃଷ୍ଠା:Sarala Bhashatattwa.pdf/64

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଭାଷାରେ 'ତାମ୍ବାକୁ' ରୂପରେ ପରିଣତ ହୋଇଥିଲା ଓ ଉର୍ଦ୍ଦୁଭାଷାରୁ ଏହା କ୍ରମଶଃ ହିନ୍ଦୀ, ଓଡ଼ିଆ ଓ ବଙ୍ଗଳା ଭାଷାମାନଙ୍କରେ ପ୍ରଚଳିତ ହୋଇଅଛି । ସମ୍ଭବତଃ ଉର୍ଦ୍ଦୁ 'ତମ୍ବାକୁ' ଶବ୍ଦ ହିନ୍ଦୀ ତମାଖୁରେ ପରିବର୍ତ୍ତିତ ହୋଇଥିଲା ଓ ଏହି ହିନ୍ଦୀ ଶବ୍ଦରୁ ଏକ ଦିଗରେ ବଙ୍ଗଳା 'ତାମାକ୍' ଓ ଅନ୍ୟ ଦିଗରେ ଓଡ଼ିଆ 'ତମାଖୁ' ଶବ୍ଦ ଉଦ୍ଭୁତ ହୋଇଥାଇ ପାରେ । ସଂସ୍କୃତ 'ତାମ୍ରକୂଟ' ସହିତ ଓଡ଼ିଆ ଶବ୍ଦର କିଛିମାତ୍ର ସମ୍ପର୍କ ନାହିଁ । ଏହିପରି 'ଯୋଲାପ' ଶବ୍ଦ ପଛରେ ମଧ୍ୟ ଗୋଟିଏ ଇତିହାସ ନିହିତ ଅଛି । ଓଡ଼ିଆ 'ଜୋଲାପ' ଶବ୍ଦ ହିନ୍ଦୀ 'ଜଲ୍ଲାବ' ଶବ୍ଦରୁ ଉତ୍ପନ୍ନ । ସାଧାରଣତଃ ଏହା ପାରସିକ 'ଗୁଲ୍' ଓ 'ଆବ୍' (ପାଣି) ଏହି ଦୁଇ ଶବ୍ଦର ସମ୍ମିଶ୍ରଣରେ ଜାତ ବୋଲି ଅନୁମାନ କରାଯାଇପାରେ । 'ଗୁଲ' ଶବ୍ଦର ଅର୍ଥ 'rose' (ଗୋଲାପ) । ଭାରତରେ ମୋଗଲଯୁଗରେ ଫୁଲରୁ ଅତର ବା ବାସପାଣି ପ୍ରସ୍ତୁତ ହେଉଥିବାରୁ ଭ୍ରମରେ ଫୁଲଟିର ନାମ 'ଗୋଲାପ'ରେ ପର୍ଯ୍ୟବସିତ ହୋଇଅଛି । ମାତ୍ର ସେ ଯାହାହେଉ, ଗୋଲାପ ପାଣି ବିରେଚକ ରୂପରେ ବ୍ୟବହୃତ ହେଉ ନ ଥିଲା । ଅଥଚ ହିନ୍ଦୀ 'ଜଲ୍ଲାବ' ଶବ୍ଦର ଅର୍ଥ ମୂଳତଃ ବିରେଚକ; ଏଣୁ ଶବ୍ଦଟିର ବିଶଦ ଆଲୋଚନା ପ୍ରୟୋଜନ ହେଲା । ପରେ ଦେଖାଗଲା ଯେ, ମେକ୍‌ସିକୋ ଦେଶର 'ଜଲାପ' ନାମକ ସ୍ଥାନରେ ଏକପ୍ରକାର ଗଛର ମୂଳ ବିରେଚକରୂପରେ ବ୍ୟବହୃତ ହେଉଥିଲା । ଏହି ସ୍ଥାନ ସହିତ ସମ୍ପୃକ୍ତ ଥିବାରୁ ସେହି ଗଛର ନାମ ମଧ୍ୟ 'ଜଲାପ' ଦିଆଯାଇଥିଲା । ଏହି ଗଛଟି ବିରେଚକ ବୋଲି ସାଧାରଣତଃ ପର୍ତ୍ତୁଗୀଜ୍ ଭାଷାରେ 'ଜଲାପ' ଶବ୍ଦ ବିରେଚକ ଅର୍ଥରେ ପ୍ରଯୁକ୍ତ ହେଲା । ପର୍ତ୍ତୁଗୀଜ୍ ମାନେ ଭାରତରେ ସ୍ୱୀୟ ପ୍ରଭାବ ବିସ୍ତାର କରିବା ପରେ ଏହି ଶବ୍ଦ 'ବିରେଚକ' ଅର୍ଥରେ ହିନ୍ଦୀରେ ପ୍ରଯୁକ୍ତ ହୋଇ ଅନ୍ୟାନ୍ୟ ପ୍ରାଦେଶିକ ଭାଷାମାନଙ୍କରେ ପ୍ରଚଳିତ ହୋଇଅଛି । ବାସ୍ତବରେ ଗୋଲାପଫୁଲ ସହିତ 'ଯୋଲାପ'ର ସମ୍ପର୍କ ଅତି ଅଳ୍ପ । ମାତ୍ର ହାକିମୀ ଔଷଧମାନଙ୍କରେ ଗୋଲାପଫୁଲର ପାଖୁଡ଼ା ମୃଦୁ ବିରେଚକରୂପରେ ବ୍ୟବହୃତ ହେଉଥିବାରୁ ଶବ୍ଦମାନଙ୍କର ଅର୍ଥଗତ ଓ ରୂପଗତ ବିଶୃଙ୍ଖଳା ସହଜରେ ସାଧିତ ହୋଇଅଛି ଓ ଆମ୍ଭେମାନେ ଏହାର ପ୍ରକୃତ ସ୍ୱରୂପ ବର୍ତ୍ତମାନ ବିସ୍ମୃତ ହୋଇଅଛୁଁ ।

ଶବ୍ଦର ଇତିହାସର ଏହିପରି ପୁଙ୍ଖୀନୁପୁଙ୍ଖ ଆଲୋଚନା କଲେ ଆମ୍ଭେମାନେ ନାନା ନୂତନ ତଥ୍ୟ ଜାଣି ପାରୁଁ । ଭାଷାର ସମ୍ପୂର୍ଣ୍ଣ ଶିକ୍ଷା ନିମନ୍ତେ ଏପ୍ରକାର ଆଲୋଚନା ମଧ୍ୟ ଅତ୍ୟନ୍ତ ପ୍ରୟୋଜନ । ଏହି ପ୍ରକାର ଆଲୋଚନାରୁ ଆମ୍ଭେମାନେ ବୁଝିପାରୁଁ ଯେ 'ଇଟା' ଶବ୍ଦ ବାସ୍ତବରେ ସଂସ୍କୃତ 'ଇଷ୍ଟକ' ଶବ୍ଦରୁ ପ୍ରାକୃତ ମଧ୍ୟ ଦେଇ ସାକ୍ଷାତଭାବରେ ଓଡ଼ିଆରେ ବ୍ୟବହୃତ ହୋଇ ନାହିଁ ।