ପୃଷ୍ଠା:Sarala Bhashatattwa.pdf/65

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କାରଣ ଏହାର ପାଲିରୂପ 'ଇଟ୍ଟକ' । ଏହି ଶବ୍ଦରୁ ହିନ୍ଦୀ 'ଇଟା' ଶବ୍ଦ ଜାତ ହୋଇ ଓଡ଼ିଆରେ ଅବିକୃତଭାବରେ ବ୍ୟବହୃତ ହୋଇଅଛି । ଏହିପରି 'ଛବି' ଶବ୍ଦ କେବଳ ସଂସ୍କୃତ 'ଛବି' ସହିତ ସମ୍ପୃକ୍ତ ନୁହେ । କାରଣ ଆରବ ଭାଷାର 'ତସବୀର' ଶବ୍ଦ 'ତଛବିର'ରେ ପରିଣତ ହୋଇ ଉର୍ଦ୍ଦୁରେ 'ଛବି' ଆକାର ଧାରଣ କରିଅଛି ଓ ଏହି ଛବି ଶବ୍ଦ ସଂସ୍କୃତ ଛବି ସହିତ ରୂପଗତ ସମତା ହେତୁରୁ ଅର୍ଥ ବିପର୍ଯ୍ୟୟ ଘଟାଇଅଛି । 'ଛବିଳ ଉତ୍କଳେ ତୋ ଛବି ଅତୁଳ' ଏହି ପଦ୍ୟାଂଶଟିରେ ଉଭୟ 'ଛବି' ଶବ୍ଦର ଅର୍ଥଗତ ବିଭିନ୍ନତା ସୁସ୍ପଷ୍ଟ ରକ୍ଷିତ ହୋଇଅଛି । ଓଡ଼ିଆ ଭାଷାରେ ଅନେକ ଶବ୍ଦ ସଂସ୍କୃତରୁ ନିଆ ଯାଇଅଛି ସତ୍ୟ, ମାତ୍ର ସେମାନଙ୍କ ବିକୃତି ପଛରେ ନାନା ଜାତିର ସମ୍ପର୍କ ଓ ନାନା ଭାଷାର ସଂସ୍ପର୍ଶ ଏପରି ଭାବରେ ରହିଅଛି ଯେ ସେମାନଙ୍କର ଆଲୋଚନା କଠିନ । 'ଟେରି' ଶବ୍ଦର ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ଏହା ହିନ୍ଦୀ 'ତେଡ଼ି'ରୁ ଉତ୍ପନ୍ନ । ଏହି 'ତେଡ଼ି' ଶବ୍ଦ ସଂସ୍କୃତ, 'ତିର୍ଯ୍ୟକ୍' ଶବ୍ଦରୁ ଜାତ ଅର୍ଥାତ୍ ଏହାର ମୂଳ ଅର୍ଥ ଯାହା ମୁଣ୍ତରେ ବଙ୍କାଭାବରେ ଅଙ୍କିତ ହୋଇଥାଏ । ଏହି 'ତିର୍ଯ୍ୟକ୍' ଶବ୍ଦରୁ 'ତେଢ଼ା', 'ଟେରା' ପ୍ରଭୃତି ଶବ୍ଦ ଉତ୍ପନ୍ନ ହୋଇଅଛି । ଏକ ଦିଗରେ ପାଲି 'ତିରଚ୍ଛା'ରୁ 'ତେରଚ୍ଛା' ଶବ୍ଦ ଜାତ ହୋଇଅଛି, ଅନ୍ୟ ଦିଗରେ ହିନ୍ଦୀ ଭାଷାର ଅନୁକରଣରେ 'ଟେର୍' ଶବ୍ଦ ମଧ୍ୟ ବ୍ୟବହୃତ ହେଉଅଛି, ଅର୍ଥାତ୍ 'ଟେର' ପାଇବାର ପ୍ରକୃତ ଅର୍ଥ ସିଧା ସଳଖ ଭାବରେ କୌଣସି ବସ୍ତୁର ଜ୍ଞାନଲାଭ ନ କରି ବକ୍ର ବା ଅସମ୍ପୂର୍ଣ୍ଣ ବା ଅସମୀଚୀନ ଭାବରେ କୌଣସି ବିଷୟ ଜାଣିବା । କେତେକ କ୍ଷେତ୍ରରେ ଦୁଇଗୋଟି ଭିନ୍ନ ଭାଷାରେ ପ୍ରଚଳିତ ଶବ୍ଦମାନଙ୍କର ପୁଣି ରୂପଗତ ସମତା ନ ଥିଲେ ମଧ୍ୟ ସେମାନଙ୍କର ଇତିହାସ ଆଲୋଚନା କରି ସେମାନଙ୍କର ସମୀକରଣ କରିବା ସମ୍ଭବପର ହୁଏ । ଓଡ଼ିଆ 'ଅଶ୍ରୁ' ସହିତ ଇଂରାଜୀ tear ଶବ୍ଦର କୌଣସି ସମତା ନାହିଁ, ମାତ୍ର ବାସ୍ତବରେ ଅଶ୍ରୁ ଶବ୍ଦଟିର ମୂଳ ଆର୍ଯ୍ୟ ଭାଷାରେ 'ଦଶ୍ରୁ' ରୂପ ଥିଲା ଓ ଏହା 'ଦଂଶ' ଶବ୍ଦ ସହିତ ସମ୍ପୃକ୍ତ । ଦ ସ୍ଥାନରେ ତ (ଟ) ହେବା ଭାଷାତତ୍ତ୍ୱର ସାଧାରଣ ନିୟମ ଓ ଆର୍ଯ୍ୟ 'ଦଶ୍ରୁ' ଶବ୍ଦରୁ ଏକ ଦିଗରେ ସଂସ୍କୃତ ଅଶ୍ରୁ, ଅନ୍ୟ ଦିଗରେ ଲାଟିନ lachrymo ଇଂରାଜୀ tear ପ୍ରଭୃତି ସ୍ୱାଭାବିକ ଭାବରେ ଜାତ ହୋଇଅଛି । ଏହିପରି ଭାବରେ ହଂସ ସହିତ goose ଶବ୍ଦର ରୂପଗତ ସମତା ନ ଥିଲେହେଁ ଉଭୟ ଶବ୍ଦ ମୂଳତଃ ଏକ; କାରଣ 'ହସଂ'ର ପ୍ରାଚୀନ ଆର୍ଯ୍ୟ ଭାଷାରେ ରୂପ 'ଘଂସ' ଓ 'ଘ' ସ୍ଥାନରେ 'ଗ' ହେବା ସ୍ୱାଭାବିକ । ଅବଶ୍ୟ ସମୀକରଣ ସମୟରେ ଏହି ସବୁ ଶବ୍ଦର ପ୍ରତ୍ୟେକ ଅଂଶର ପରିବର୍ତ୍ତନର କାରଣ ଓ ବ୍ୟାଖ୍ୟା ଦେବା ପ୍ରୟୋଜନ । କେବଳ ଅଂଶ ବିଶେଷର ବ୍ୟାଖ୍ୟା ଦେଲେ ଯଥେଷ୍ଟ ହୁଏ ନାହିଁ । ଶବ୍ଦର ଇତିହାସକୁ ଏହିପରି