ପୃଷ୍ଠା:Sarala Bhashatattwa.pdf/66

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭାବରେ ଅନୁଶୀଳନ ନ କରି କେବଳ ସେମାନଙ୍କୁ ଦେଶଜ ବୋଲି ନିର୍ଦ୍ଦେଶିତ କରିବା କିମ୍ବା ସଂସ୍କୃତ ଧାତୁ ପ୍ରତ୍ୟୟ ମାତ୍ର ପ୍ରଦର୍ଶନ କରିବାଦ୍ୱାରା ଭାଷାରେ ସମ୍ପୂର୍ଣ୍ଣ ଜ୍ଞାନଲାଭ କରିବା ଅସମ୍ଭବ ।

ରୂପଗତ ବିକୃତି - ଶବ୍ଦମାନଙ୍କର ଆକୃତିଗତ ଓ ଧ୍ୱନିଗତ ଯେଉଁ ବିକୃତି ଘଟେ, ତାହା ଆଲୋଚନା କରି ଭାଷାତତ୍ତ୍ୱବିଦ୍ ମାନେ ଦେଖି ଅଛନ୍ତି ଯେ, ବିକୃତିକୁ ମୁଖ୍ୟତଃ ତିନି ଶ୍ରେଣୀରେ ବିଭକ୍ତ କରାଯାଇପାରେ :-

(୧) ମୂଳ ଶବ୍ଦର ସ୍ୱର ବା ବ୍ୟଞ୍ଜନ ବର୍ଣ୍ଣମାନଙ୍କର ଲୋପ, (୨) ସ୍ୱର ବା ବ୍ୟଞ୍ଜନ ବର୍ଣ୍ଣମାନଙ୍କର ଆଗମ, (୩) ସ୍ୱର ବା ବ୍ୟଞ୍ଜନ ବର୍ଣ୍ଣ ମାନଙ୍କର ବିକୃତି ବା ବିପର୍ଯ୍ୟୟ । କାହିଁକି ଗୋଟିଏ ଶବ୍ଦର ବିକୃତି ସାଧିତ ହେଲା, ଅନ୍ୟ ସମ ବର୍ଣ୍ଣର ବିକୃତି ଅନ୍ୟ ଶବ୍ଦରେ ସାଧିତ ହେଲା ନାହିଁ, ଏ ବିଷୟରେ କିଛି ସ୍ଥିରସିଦ୍ଧାନ୍ତ କରି କହି ହୁଏ ନାହିଁ । ଆମ୍ଭେମାନେ କେବଳ ବିକୃତିର ଗତି ଓ କାଳ ସୂକ୍ଷ୍ମ ଗବେଷଣାଦ୍ୱାରା ନିର୍ଦ୍ଦେଶିତ କରି ପାରୁଁ । ଓଡ଼ିଆରେ ଇଂରାଜୀ 'causeway' ପରିବର୍ତ୍ତରେ 'କାଜ' ଶବ୍ଦ ବ୍ୟବହୃତ ହୁଏ । Small Cause Court ପରିବର୍ତ୍ତରେ 'କାଜକୋଟ' ବ୍ୟବହୃତ ହୁଏ, ମାତ୍ର 'Cause list'କୁ ସବୁବେଳେ 'କଜ୍ ଲିଷ୍ଟ' ବୋଲି ଉଚ୍ଚାରଣ କରାଯାଏ । ଏହି ତିନିଗୋଟି ଶବ୍ଦକୁ ଅନୁଶୀଳନ କଲେ ଆମ୍ଭେମାନେ ଦେଖିବୁଁ ଯେ 'cause way' ଏହି ଶବ୍ଦଟି ଇଂରାଜୀ ଅନଭିଜ୍ଞ 'କାନତରାଟି' (contractor) ମାନଙ୍କଦ୍ୱାରା ପ୍ରବର୍ତ୍ତିତ ହୋଇ ଭାଷାରେ ପ୍ରଚଳିତ ହୋଇଅଛି ଓ 'କାଜି' ଶବ୍ଦ ସହିତ ସମ୍ପୃକ୍ତ ଏହି ଭ୍ରମର ଅବକାଶ ଥିବାରୁ 'Cause Court' ସାଧାରଣତଃ 'କାଜିକୋଟ' ବା 'କାଜକୋଟ' ରୂପରେ ବ୍ୟବହୃତ ହୋଇଅଛି । କିନ୍ତୁ Cause list ଶବ୍ଦଟି ଇଂରାଜୀ ଜାଣୁଥିବା ଶିକ୍ଷିତ ଓକିଲ ଶ୍ରେଣୀର ଲୋକମାନଙ୍କଦ୍ୱାରା ବ୍ୟବହୃତ ହେଉଥିବାରୁ ଏଥିରେ କୌଣସି ପରିବର୍ତ୍ତନ ସାଧିତ ହୋଇ ପାରିନାହିଁ । ଏହିପରି ଆରବ ମକ୍ତବ, ମୋଫତ୍ ପ୍ରଭୃତି ଶବ୍ଦ ସାଧାରଣରେ ପ୍ରଚଳିତ ନ ଥିବାରୁ ସେମାନଙ୍କର କୌଣସି ବିକୃତି ସାଧିତ ହୋଇ ନାହିଁ, ମାତ୍ର ସେହି ଭାଷାରୁ ଗୃହୀତ 'ରିଫୁ' ଶବ୍ଦ ସହିତ ସଂସ୍କୃତ 'ରିପୁ' ଶବ୍ଦର ଧ୍ୱନିଗତ ସାମଞ୍ଜସ୍ୟ ଥିବାରୁ ଆରବ 'ରିଫୁ' ଶବ୍ଦ, ସାଧାରଣତଃ 'ରିପୁ'ରେ ପରିଣତ ହୋଇଅଛି । ପୁଣି ଇଂରାଜୀ 'decree' ଶବ୍ଦ 'ଡିଗ୍ରୀ'ରେ ପରିଣତ ହୋଇଅଛି ଅର୍ଥାତ୍ ଓଡ଼ିଆ 'ଡିଗ୍ରୀ' ଶବ୍ଦ ଇଂରାଜୀ decree ଓ degree ଉଭୟ ଶବ୍ଦର ପ୍ରତୀକଭାବରେ ବ୍ୟବହୃତ । ମାତ୍ର ଅନୁରୂପ ଧ୍ୱନିଯୁକ୍ତ 'ବିକ୍ରୀ ଶବ୍ଦର କୌଣସି ପରିବର୍ତ୍ତନ ସାଧିତ ହୋଇ ନାହିଁ । ଠିକ୍ ଏହିପରି ଭାବରେ ଇଂରାଜୀ 'tile' 'ଟାହିଲି'ରେ ପରିଣତ ହୋଇଅଛି କିନ୍ତୁ ଫାଇଲ ଶବ୍ଦ ମଧ୍ୟରେ 'ହ'ର ଆବିର୍ଭାବ ଆଦୌ ଦେଖାଯାଏ ନାହିଁ ।