ପୃଷ୍ଠା:Sarala Bhashatattwa.pdf/67

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶବ୍ଦର ବିକୃତି ଅନେକ ସମୟରେ ଇଚ୍ଛାକୃତ, ଅନେକ ସମୟରେ ଅନିଚ୍ଛାକୃତ । ଇଚ୍ଛାକୃତ ବିକୃତିର ଉଦାହରଣ ଆମ୍ଭେମାନେ ବ୍ୟାକରଣ ଗତ ବିକୃତିରେ ସଚରାଚର ଦେଖିଥାଉଁ । 'ଇଉରୋପ' ପଦର ଅର୍ଥ ଯାହା ତାହା ସହିତ ସମ୍ପୃକ୍ତ ଅନ୍ୟ ଅର୍ଥ ନିର୍ଦ୍ଦେଶିତ କରିବା ନିମନ୍ତେ ଆମ୍ଭେମାନେ ଇଉରୋପୀୟ ଶବ୍ଦ ବ୍ୟବହାର କରୁଁ । 'ଇଉରୋପୀୟ' ଶବ୍ଦ ବାସ୍ତବରେ 'ଇଉରୋପ' ଶବ୍ଦର ବିକାର, ସେହିପରି 'ପାଲୁଣି' 'ପାଣ' ଶବ୍ଦର ବିକାର ଓ 'ଚଳତି' 'ଚଳ' ଶବ୍ଦର ବିକାର । ଏହି ଇଚ୍ଛାକୃତ ବିକାରର ନାନା ନିୟମ ପ୍ରଚଳିତ ଅଛି ଏବଂ ଏସବୁ ବିକାରଦ୍ୱାରା ଶବ୍ଦର ଅର୍ଥପ୍ରକାଶିତ ଶକ୍ତି ନାନାଭାବରେ ବର୍ଦ୍ଧିତ ହୋଇଅଛି । ମାତ୍ର ଅନିଚ୍ଛାକୃତ ବିକୃତିର କୌଣସି ନିୟମ ନାହିଁ, କିମ୍ବା ସେ ବିଷୟରେ କିଛି ସ୍ଥିର କରି କୁହାଯାଇ ନ ପାରେ । କିନ୍ତୁ ଏହି ବିକୃତିମାନଙ୍କୁ ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ଭାଷାରେ ଶବ୍ଦମାନଙ୍କର ତିନି ପ୍ରକାର ବିକୃତି ସାଧିତ ହୋଇଥାଏ - (୧) ଶବ୍ଦମାନଙ୍କର ଏକ ଧ୍ୱନିର ବିକୃତି ଅନେକ ସମୟରେ ପରବର୍ତ୍ତୀ ବା ନିକଟବର୍ତ୍ତୀ ଧ୍ୱନିର ପ୍ରଭାବରେ ଘଟିଥାଏ, (୨) ଅନେକ ସମୟରେ ଏହା ଭାଷାସ୍ଥିତ ଅନ୍ୟ ଶବ୍ଦମାନଙ୍କର ଅନୁକରଣରେ ଘଟିଥାଏ, ପୁଣି (୩) ଅଧିକାଂଶ ସମୟରେ ଏଭଳି ବିକୃତି କୌଣସି କାରଣ ବା ପ୍ରଭାବର ଅପେକ୍ଷା ନ ରଖି ସ୍ୱତଃ ଅଥବା ସ୍ୱଭାବଜ ଆଳସ୍ୟରୁ ମଧ୍ୟ ଘଟିଥାଇ ପାରେ ।

୧ - ଓଡ଼ିଆରେ କରାଇବା, ଦେଖାଇବା, ରଖାଇବା, ଲେଖାଇବା ପ୍ରଭୃତି ଶବ୍ଦ କରେଇବା, ଦେଖେଇବା, ଚଖେଇବା, ଲେଖେଇବା ଇତ୍ୟାଦିରେ ପରିଣତ ହୋଇଅଛି, ଅର୍ଥାତ୍ ଏହିସବୁ ପଦମାନଙ୍କରେ ପରବର୍ତ୍ତୀ 'ଇ' ଧ୍ୱନିର ପ୍ରଭାବରୁ ପୂର୍ବବର୍ତ୍ତୀ 'ଆ' ଧ୍ୱନି 'ଏ'ରେ ପରିଣତ ହୋଇଅଛି । ଏହିପରି କରାଉଚି, ଦେଖାଉଚି, ଚଖାଉଚି ଲେଖା ଉଚି ପ୍ରଭୃତି ପଦମାନ କରୋଉଚି, ଦେଖୋଉଚି, ଚଖୋଉଚି, ଲେଖୋଉଚି ପ୍ରଭୃତି ପଦମାନଙ୍କରେ ପରିଣତ ହୁଏ । ଅର୍ଥାତ୍ ପରବର୍ତ୍ତୀ 'ଉ'ର ପ୍ରଭାବରୁ ଶବ୍ଦ ମଧ୍ୟରେ ଥିବା 'ଆ' ଧ୍ୱନି 'ଓ' ଧ୍ୱନିରେ ପରିଣତ ହୋଇଅଛି । ଏହି ବିକୃତି ଭାଷାତତ୍ତ୍ୱର ଅତି ସାଧାରଣ ନିୟମଦ୍ୱାରା ସାଧିତ ହୋଇଅଛି ଓ ଇଂରାଜୀ ପ୍ରଭୃତି ଅନ୍ୟାନ୍ୟ ଭାଷାରେ ଏହାର ଉଦାହରଣ ମିଳେ । ଓଡ଼ିଆରେ ଏହିପରି ନିକଟବର୍ତ୍ତୀ 'ର' ଧ୍ୱନିର ପ୍ରଭାବରୁ 'ତ' 'ଡ଼'ରେ ପରିଣତ ହୋଇଥାଏ ଓ ସଂସ୍କୃତ ହରିତକୀ, ପ୍ରତିବାସୀ, ପ୍ରତିହାରୀ ପ୍ରଭୃତି ଶବ୍ଦ ଓଡିଆରେ ଯଥାକ୍ରମେ ହରିଡା, ପଡ଼ୋସୀ, ପଡ଼ିହାରୀ (ପରେ ଡ଼ ଓ ହ ଯୁକ୍ତ ହୋଇ ପଢ଼ିହାରୀ) ପ୍ରଭୃତି ପଦରେ ପରିଣତ ହୋଇଅଛି ।