୨- ଅନୁକରଣପ୍ରବୃତ୍ତିରୁ ଅଥବା ଶବ୍ଦର ଉତ୍ପତ୍ତି ବିଷୟରେ ଅଜ୍ଞତା ହେତୁରୁ ଯେଉଁ ବିକୃତିମାନ ସାଧିତ ହୁଏ, ସେମାନଙ୍କ ବିଷୟରେ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ । ଆମ୍ଭେମାନେ ପୂର୍ବରେ ଦେଖିଅଛୁଁ ଯେ 'ତମାଖୁ' ଶବ୍ଦ ଅନୁକରଣ ପ୍ରକିୟାଦ୍ୱାରା 'ତାମ୍ରକୂଟ'ରେ ରୂପାନ୍ତରିତ କରାଯାଇଥିଲା । ଏହିପରି ଗ୍ରୀକ୍ ଭାଷାରେ ପ୍ରଚଳିତ 'ଓପୋସ' (opos) ଶବ୍ଦ 'ରସ୍' ଅର୍ଥରେ ବ୍ୟବହୃତ ହେଉଥିବାରୁ ଏହି ଶବ୍ଦକୁ ସଂସ୍କୃତରେ ବିଷବତ୍ କ୍ରିୟାନିର୍ଦ୍ଦେଶକ 'ଅହିଫେନ' ଶବ୍ଦରେ ପରିବର୍ତ୍ତିତ କରାଯାଇଥିଲା । ଅର୍ଥାତ୍ ଅହି ଓ ଫେନ ଉଭୟ ଶବ୍ଦ ସଂସ୍କୃତରେ ପ୍ରଚଳିତ ଥିବାରୁ ଓ ଏମାନଙ୍କ ଧ୍ୱନି ସହିତ ଗ୍ରୀକ ଶବ୍ଦର ଧ୍ୱନିର ସାମଞ୍ଜସ୍ୟ ଓ ଅର୍ଥଗତ ସମ୍ପର୍କ ମଧ୍ୟ ଥିବାରୁ ଏହି ଶବ୍ଦକୁ ସଂସ୍କୃତରେ 'ଅହିଫେନ' ଶବ୍ଦରେ ରୂପାନ୍ତରିତ କରାଯାଇଥିଲା । ଯେଉଁ ପ୍ରକ୍ରିୟାଦ୍ୱାରା ଏପରି ରୂପାନ୍ତର ଘଟିଥିଲା, ଠିକ୍ ସେହି ପ୍ରକ୍ରିୟାଦ୍ୱାରା ଓଡ଼ିଆରେ Recruiter ଶବ୍ଦର ପରିବର୍ତ୍ତରେ 'ଆଡ଼କାଠି' ଶବ୍ଦ ପ୍ରଚଳିତ ହୋଇଅଛି ଓ orderly ଶବ୍ଦ ମଧ୍ୟ 'ଅରଦଳି'ରେ ରୂପାନ୍ତରିତ ହୋଇଅଛି ଏବଂ bomber ଶବ୍ଦକୁ ବୋମାରୁ ରୂପରେ ଭାଷାରେ ପରିବର୍ତ୍ତିତ କରାଯାଉଅଛି । ଆରବଦେଶରେ 'ତୟଫା'ର ଅର୍ଥ 'ନାଚବାଲୀ', ଯବନମାନଙ୍କ ସମୟରେ ମଜଲିସ ପ୍ରଭୃତି ପ୍ରଚଳିତ ଥିବାରୁ ଏହି ଶବ୍ଦର ବ୍ୟବହାର ଆରମ୍ଭ ହୋଇଥିଲା । ସେହି ଯୁଗର ଠିକ୍ ପରିବର୍ତ୍ତୀ ଯୁଗରେ ଇଂରାଜୀ ଭାଷା ସଭ୍ୟସମାଜରେ ପ୍ରଚଳିତ ହେବାରୁ 'ତୟଫା' ଶବ୍ଦ ଇଂରାଜି type ଶବ୍ଦ ସହିତ ବିମିଶ୍ରିତ ହୋଇ 'ଟାଇପା'ରେ ପରିଣତ ହୋଇଅଛି ଓ ଆଜିକାଲି 'ଏକଟାଇପା ନାଚ' ଏପରି ବ୍ୟବହାର ମଧ୍ୟ ଭାଷାରେ ଦେଖାଯାଉଅଛି ।
ଅନୁକରଣ ପ୍ରୟାସରୁ ଭାଷାରେ ଯେ କେବଳ ଶବ୍ଦମାନଙ୍କର ବିକୃତି ହୁଏ ତାହା ନୁହେଁ, ଅନେକ ସମୟରେ ନାନା ନୂତନ ଶବ୍ଦ ମଧ୍ୟ ଅନୁକୃତିର ଫଳରେ ଜାତ ହୋଇଥାଏ । ଓଡ଼ିଆରେ ଆମ୍ଭେମାନେ ଏପରି ସଂସ୍କୃତ (?) ଶବ୍ଦ ବ୍ୟବହାର କରୁଁ, ଯାହାର ଅସ୍ତିତ୍ୱ ସଂସ୍କୃତ ଭାଷାରେ ନାହିଁ । ତତ୍ରାଚ, ମାତ୍ର, ମର୍ମନ୍ତୁଦ (ଅରୁନ୍ତୂଦର ଅନୁକରଣରେ), ବନାନୀ (ଅରଣ୍ୟାନୀର ଅନୁକରଣରେ), ସାମ୍ରାଜ୍ଞୀ ପ୍ରଭୃତି ନାନା ଶବ୍ଦ ସଂସ୍କୃତ ଭାଷାରେ ଶବ୍ଦ ବୋଲି ଆମ୍ଭମାନଙ୍କର ଭ୍ରମ ହେବା ସ୍ୱାଭାବିକ । ପୁଣି ନାଗେଶ୍ୱର, ଅନ୍ନକୋଟ, ଜାମ୍ବୁବାନ, ବାସରଘର ପ୍ରଭୃତି ନାନା ଶବ୍ଦ ଯେ ପ୍ରଚଳିତ ଅନ୍ୟ ଶବ୍ଦର ଅନୁକରଣଦ୍ୱାରା ପ୍ରଭାବିତ ହୋଇଅଛି, ଏଥିରେ କିଛି ସନ୍ଦେହ ଥାଇ ନ ପାରେ । ଓଡ଼ିଆରେ ବ୍ୟବହୃତ ମାନବିକ, ସଚକିତ, ଏକତ୍ରିତ, ଏକତ୍ରୀକୃତ ପ୍ରଭୃତି ମଧ୍ୟ ଅନ୍ୟ ଶବ୍ଦମାନଙ୍କର ଅନୂକରଣରେ ଗଠିତ