ପୃଷ୍ଠା:Sarala Bhashatattwa.pdf/7

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ପାରୁ ଓ ଏହି ତଥ୍ୟମାନଙ୍କୁ ବିଚାର କରି ଆମ୍ଭେମାନେ ଭାଷାର ଇତିହାସ ଓ କ୍ରମ ବିକାଶ ବିଷୟରେ ନିର୍ଭରଯୋଗ୍ୟ ବିବରଣମାନ ସଂଗ୍ରହ କରିପାରୁ । ଏହିପରି ବିଶ୍ଳେଷଣ ଦ୍ୱାରା ଭାଷାତତ୍ତ୍ୱ ବୈଜ୍ଞାନିକ ଭିତ୍ତି ଉପରେ ପ୍ରତିଷ୍ଠିତ ହୋଇ ପାରିଅଛି, ଏବଂ ଆମ୍ଭେମାନେ ନିଶ୍ଚିତ ଓ ସୁସମ୍ବନ୍ଧଭାବରେ ଭାଷାର ସ୍ୱରୂପ ଓ କ୍ରମ ବିକାଶ ବିଷୟରେ ଧାରଣା ଲାଭ କରିବାକୁ ସମର୍ଥ ହୋଇଅଛୁଁ ଓ ଭାଷାତତ୍ତ୍ୱ ବିଷୟରେ ଅନିଶ୍ଚିତ ଅନୁମାନର ଅବକାଶ ଅନେକ କ୍ଷେତ୍ରରେ ତିରୋହିତ ହୋଇ ଭାଷାର ବିକାଶ ଓ ବିକାର ବିଷୟରେ ସୁସ୍ପଷ୍ଟ ଓ ସୁନିଶ୍ଚିତ ନିୟମମାନ ଆବିଷ୍କୃତ ହୋଇ ପାରିଅଛି । ବର୍ତ୍ତମାନ ଭାଷାତତ୍ତ୍ୱ ଆଲୋଚନା କଲେ ଏହି ନିୟମମାନଙ୍କ ସହିତ ପରିଚିତ ହେବାକୁ ହେବ ଓ ଭାଷାର ବୈଜ୍ଞାନିକ କ୍ରମବିକାଶ ବିଷୟରେ ଅବହିତ ହେବାକୁ ହେବ । ଏହାଦ୍ୱାରା ବ୍ୟବହୃତ ଭାଷାର ବ୍ୟବହାରକ୍ରମ ବିଷୟରେ ସୁସମ୍ବନ୍ଧ ଜ୍ଞାନଲାଭ ମଧ୍ୟ କରାଯାଇପାରିବ ।

ବର୍ତ୍ତମାନ ମନୁଷ୍ୟ-ସମାଜରେ ଯେତେ ଭାଷା ବ୍ୟବହୃତ ହୁଏ ସେମାନଙ୍କୁ ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ ସେମାନେ ପରସ୍ପରଠାରୁ ନାନାପ୍ରକାରେ ବିଭିନ୍ନ । ଦେଶ ଭେଦରେ ଭାଷା ମଧ୍ୟ ଭିନ୍ନ । ଓଡ଼ିଶାରେ ଯେଉଁ ଭାଷା ପ୍ରଚଳିତ ବଙ୍ଗଳାଭାଷା ତାହାଠାରୁ ଭିନ୍ନ, ତେଲୁଗୁ ବା ଇଂରାଜୀଭାଷା ତାହାଠାରୁ ବିଶେଷଭାବରେ ପୃଥକ୍ । ପୁଣି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମଧ୍ୟ ଏକପ୍ରକାର ଭାଷା ପ୍ରଚଳିତ ନୁହେଁ, ଓଡ଼ିଶାର ବିଭିନ୍ନ ଲୋକ ଠିକ୍ ଏକାପରି ଭାଷା ବ୍ୟବହାର କରନ୍ତି ନାହିଁ କିମ୍ବା ପ୍ରାୟ ଏକଶତ ବା ଦୁଇଶତବର୍ଷ ପୂର୍ବେ ଓଡ଼ିଶାରେ ଯେଉଁ ଭାଷା ବ୍ୟବହୃତ ହେଉଥିଲା ତାହା ସର୍ବତୋଭାବେ ବର୍ତ୍ତମାନ ବ୍ୟବହୃତ ଭାଷା ସହିତ ଏକ ନୁହେଁ । କାଳ ଭେଦରେ, ଦେଶ ଭେଦରେ, ପ୍ରଦେଶ ଭେଦରେ, ଲୋକ ଭେଦରେ ଭାଷାର ବିଭିନ୍ନତା ପ୍ରଥମରେ ଆମ୍ଭମାନଙ୍କର ଦୃଷ୍ଟି ଆକର୍ଷଣ କରିଥାଏ ଓ ଏହି ପାର୍ଥକ୍ୟ ଏତେ ସୂଦୂରପ୍ରସାରୀ ଯେ ବିଭିନ୍ନ ଭାଷା ମଧ୍ୟରେ ଯେ କୌଣସି ଐକ୍ୟ ବା ସାମଞ୍ଜସ୍ୟ ଅଛି ତାହା ସ୍ୱତଃ ଆମ୍ଭମାନଙ୍କର ଦୃଷ୍ଟିପଥାରୂଢ଼ ହୁଏ ନାହିଁ । ନାନା ଭାଷାରେ ବ୍ୟବହୃତ ନାନା ଶବ୍ଦ, ବାକ୍ୟ ବିନ୍ୟାସ ରୀତି, ଭାବଦ୍ୟୋତନାର ବିଭିନ୍ନ ପଦ୍ଧତି ଦେଖି ଆମ୍ଭେମାନେ ବିସ୍ମିତ ଓ ହତବୁଦ୍ଧି ହୋଇପଡୁଁ ।

ଓଡ଼ିଆ ଭାଷା

ଏହି କାରଣରୁ ଭାଷାତତ୍ତ୍ୱ ଆଲୋଚନା କରିବାକୁ ହେଲେ ଆମ୍ଭମାନଙ୍କୁ ଗୋଟିଏ ଭାଷାକୁ ମୂଳସ୍ୱରୂପ ଧରି ତାହାର ବିଶ୍ଳେଷଣ ଦ୍ୱାରା, ତାହାର କାଳଗତ ଓ ଦେଶଗତ ବିଭିନ୍ନତା ଅନୁଶୀଳନ କରିବାଦ୍ୱାରା