ପୃଷ୍ଠା:Sarala Bhashatattwa.pdf/71

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ହୋଇଅଛି ଓ ଏମାନେ ବାସ୍ତବିକ ସଂସ୍କୃତ ବ୍ୟାକରଣର ନିୟମାଦିଦ୍ୱାରା ଅଶୁଦ୍ଧ ହେଲେହେଁ ଓଡ଼ିଆ ଭାଷାରେ ସୁପ୍ରଚଳିତ । ଏହିପରି ଅନୁକରଣ ଯେ କେବଳ ଆଜିକାଲି ଓଡ଼ିଆ ଭାଷାରେ ହେଉଅଛି ତାହା ନୁହେଁ, ପୂର୍ବେ ସଂସ୍କୃତ ଭାଷାରେ ମଧ୍ୟ ଏପରି ଅନୁକରଣଦ୍ୱାରା ନାନା ଶବ୍ଦ ଗଠିତ ଓ ବିକୃତ ହୋଇଥିବାର ପ୍ରମାଣ ଭାଷାତତ୍ତ୍ୱବିଦ୍ ମାନେ ପାଇଅଛନ୍ତି । 'ମନୋରଥ' ଶବ୍ଦଟି ଏହିପରି ଅନୁକରଣର ଗୋଟିଏ ପ୍ରକୃଷ୍ଟ ଉଦାହରଣ । କାରଣ ବାସ୍ତବରେ ଏହି ଶବ୍ଦଟି 'ମନୋର୍ଥ' ଶବ୍ଦର ବିକୃତି ଓ ସଂସ୍କୃତରେ 'ମନସ୍' ଓ 'ରଥ' ଉଭୟ ଶବ୍ଦ ପ୍ରଚଳିତ ଥିବାରୁ ଓ ମନର ଗତି ରଥର ଗତିବେଗ ସହିତ ତୁଳିତ ହେଉଥିବାରୁ ଏଭଳି ଅନୁକରଣ ସହଜସାଧ୍ୟ ହୋଇଅଛି; କିନ୍ତୁ 'ମନୋରଥାଃ ମେ ବହୁଳୀଭବନ୍ତି' ଏପରି ବ୍ୟବହାରରେ ଏହାର ପୂର୍ବରୂପ ଓ ଅର୍ଥର ମଧ୍ୟ ସ୍ପଷ୍ଟ ଇଙ୍ଗିତ ରହିଅଛି । ଏହିପରି ବୈଦିକ ଭାଷାରେ 'ସୁର' ଓ 'ଅସୁର' ଉଭୟ ଶବ୍ଦର ଦେବତା ଅର୍ଥରେ ବ୍ୟବହାର ଦେଖାଯାଏ । ତତ୍ ପୂର୍ବବର୍ତ୍ତୀ ପାରସିକ ଭାଷାରେ 'ଆହୁର' ଶବ୍ଦ କେବଳ ଦେବତା ଅର୍ଥରେ ପ୍ରଯୁକ୍ତ । ଏହି ଶବ୍ଦ ପ୍ରାଚୀନ ଆର୍ଯ୍ୟ 'ଅସ୍' ଧାତୁରୁ ଉତ୍ପନ୍ନ ଓ 'ପ୍ରାଣ ଯୁକ୍ତ' ଏହି ଅର୍ଥରେ ବ୍ୟବହୃତ । ପରେ ସଂସ୍କୃତ ଭାଷାରେ ଅନ୍ୟାନ୍ୟ ନଞ୍ଜ ଶବ୍ଦର ଅନୁକରଣରେ 'ସୁର' ଶବ୍ଦଟିକୁ ଦେବତା ଅର୍ଥରେ ବ୍ୟବହାର କରାଯାଇ 'ଅସୁର' ଶବ୍ଦକୁ ଦୈତ୍ୟ ଅର୍ଥରେ ବ୍ୟବହାର କରାଯାଇଥିଲା । ଏହି ବ୍ୟବହାରରୀତି ଅଦ୍ୟାବଧି ପ୍ରଚଳିତ ଓ ଏହାଦ୍ୱାରା 'ଅସୁର' ଶବ୍ଦ ମୂଳ ଅର୍ଥର ସମ୍ପୂର୍ଣ୍ଣ ବିପରୀତ ଅର୍ଥ ପ୍ରକାଶ କରୁଅଛି । ଏହିପରି ବୈଦିକ ଭାଷାରେ 'ଗ୍ନା' ଶବ୍ଦ 'ସମ୍ମାନିତା ମହିଳା' ବା 'ଦେବପତ୍ନୀ' ଅର୍ଥରେ ପ୍ରଯୁକ୍ତ ହେଉଥିଲା । ଯେଉଁମାନେ 'ଗ୍ନା' ହୋଇ ପାରିବେ ନାହିଁ ସେମାନଙ୍କୁ 'ନ-ଗ୍ନା' ଅର୍ଥାତ୍ 'ବେଶ୍ୟା' ବୋଲାଯାଉଥିଲା । କାଳକ୍ରମେ ବେଶ୍ୟାମାନଙ୍କର ନିର୍ଲ୍ଲଜ ବ୍ୟବହାରର ଇଙ୍ଗିତରେ 'ନଗ୍ନା', ଲଜ୍ଜାହୀନା' ଓ ପରେ 'ବିବସ୍ତ୍ରା' ଅର୍ଥରେ ବ୍ୟବହୃତ ହେଲା । ବହୁକାଳ ପରେ ଏହି ଶବ୍ଦର ପୁଂଲିଙ୍ଗବାଚକ 'ନଗ୍ନ' ଶବ୍ଦର ବ୍ୟବହାର ମଧ୍ୟ ପ୍ରଚଳିତ ହେଲା । ଲୋକେ ଏହାର ପୂର୍ବ ଅର୍ଥ ବିସ୍ମୃତ ହୋଇ ଏହାକୁ ପ୍ରାଚୀମ ଆର୍ଯ୍ୟ ନଜ୍ (ସଂସ୍କୃତ ନଜ୍ ବା ଲଜ୍) ଧାତୁରୁ ଉତ୍ପନ୍ନ ବୋଲି ମନେ କଲେ । ଏହି ପ୍ରାଚୀନ ଧାତୁରୁ ଉତ୍ପନ୍ନ ଇଂରାଜି 'naked' ଶବ୍ଦ ମଧ୍ୟ ଏହି ଅର୍ଥରେ ବ୍ୟବହୃତ ହେଉଥିବାରୁ ଆଜିକାଲି ଏହି ଶବ୍ଦଟିର ଉତ୍ପତ୍ତି ବିଷୟରେ ବିଶେଷ ମତଦ୍ୱୈଧ ଦେଖାଯାଏ ଓ ଏହି ପଦଟି 'ନଜ୍' ଧାତୁ ସହିତ ବା 'ଜନ୍' ଧାତୁ ସହିତ ସଂପୃକ୍ତ, ଏ ବିଷୟରେ ତୁମୁଳ ବିତଣ୍ତା ମଧ୍ୟ ହୋଇଥାଏ । ଯାହାହେଉ, ଅନୁକରଣ ପ୍ରୟାସରୁ ନୂତନ ଶବ୍ଦମାନଙ୍କର ଉତ୍ପତ୍ତି ବିଷୟରେ ଆଉ ଅଧିକ ଉଦାହରଣ ଦେବାର