ପୃଷ୍ଠା:Sarala Bhashatattwa.pdf/72

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରୟୋଜନ ନାହିଁ । ବସ୍ତୁତଃ ଆମ୍ଭେମାନେ ସଦା ସର୍ବଦା ଅନୁକରଣଶୀଳ ଓ ଅନୁକରଣ କରିବା ଆମ୍ଭମାନଙ୍କର ମଜ୍ଜାଗତ ଧର୍ମ । ଏଣୁ ଭାଷାରାଜ୍ୟରେ ମଧ୍ୟ ଏହାର ନାନା ଉଦାହରଣ ସ୍ୱଭାବତଃ ଦେଖାଯାଇଥାଏ ।

୩ - ଅନେକ ଶବ୍ଦର ବିକୃତିର କୌଣସି କାରଣ ନିର୍ଦ୍ଦେଶ କରିବା ସମ୍ଭବ ନୁହେ । ଅମ୍ଭେମାନେ 'ନିର୍ଲଜ୍ଜ' ସ୍ଥାନରେ 'ନିଲଠା' ବ୍ୟବହାର କରିଥାଉଁ ଓ 'ସ୍ତମ୍ଭ' ସ୍ଥାନରେ 'ଖମ୍ବ' ବ୍ୟବହାର କରୁଁ । ଏସବୁ ସ୍ଥାନରେ କେଉଁ କାରଣରୁ ଶବ୍ଦର ବିକୃତି ଘଟିଲା, ତାହା କହିବା ଦୁଷ୍କର । ଓଡ଼ିଆ 'ଅପା' ଶବ୍ଦ ମଧ୍ୟ ଏହିପରି ଗୋଟିଏ ବିକୃତି । ମାତ୍ର ଏହି ବିକୃତିରେ ଭାଷାତତ୍ତ୍ୱଗତ ନାନା ରହସ୍ୟ ନିହିତ ଅଛି । ସଂସ୍କୃତ 'ଆତ୍ମନ୍' ଶବ୍ଦ ପ୍ରାକୃତରେ 'ଅପପ୍‌ଣ', 'ଅପ୍‌ପନ'ରେ ପରିଣତ ହୋଇଥିଲା । ଏହି ପରିବର୍ତ୍ତନରୁ ଆମ୍ଭେମାନେ ଆପେ, ଆପଣ ପ୍ରଭୃତି ପଦମାନ ଓଡ଼ିଆ ଭାଷାରେ ପାଇଥିବା ସମ୍ଭବ । ଏହିପରି ସଂସ୍କୃତ 'ଆତ୍ମୀୟ' ଶବ୍ଦ 'ଅପା'ରେ ପରିବର୍ତ୍ତିତ ହୋଇଥିବ ଓ ଏହାର ମୂଳ ଅର୍ଥ 'ନିକଟ ଆତ୍ମୀୟା' ହୋଇଥିବା ସମ୍ଭବପର । ସହସ୍ର ବର୍ଷର ପୁରାତନ ବୌଦ୍ଧଗାନ ଓ ଦୋହାରେ 'ଆତ୍ମା' ଶବ୍ଦ ସ୍ଥାନରେ 'ଅପା'ର ବ୍ୟବହାର ଦେଖାଯାଏ । (ଯଥା:- ନ ଜନମି ଅପା କହିଁଗଇ ପଇଠା) ଏହି ଅପା ପରବର୍ତ୍ତୀକାଳରେ ଆତ୍ମୀୟାର ସୂଚକରୂପେ ବ୍ୟବହୃତ ହୋଇଥିବ । ମାତ୍ର ପଦଟି କେବଳ ଓଡ଼ିଆ ଭାଷାରେ ବ୍ୟବହୃତ ହେଉଥିବା ସ୍ଥଳେ ଏହାର ଉତ୍ପତ୍ତି ଓ ବିକୃତିର କାରଣ ପ୍ରଭୃତି ବିଷୟରେ ସମ୍ୟକ୍ ଜ୍ଞାନଲାଭ କରିବା ଅସମ୍ଭବ । ଯେଉଁ ବିକୃତିଗୁଡ଼ିକ ନିରପେକ୍ଷ ଓ ଯେଉଁମାନଙ୍କର ଇତିହାସ ନିର୍ଦ୍ଦେଶ କରିବା ମଧ୍ୟ ସହଜ ନୁହେ, ସେ ବିଷୟରେ ଆଲୋଚନା କଲେ ସେମାନଙ୍କ ବିକାରର କାରଣ ମଧ୍ୟ ଯଥାଯଥ ଭାବରେ ପ୍ରଦର୍ଶିତ ହୋଇପାରେ ନାହିଁ । କେବଳ ଆମ୍ଭେମାନେ ଅନୁମାନ ଦ୍ୱାରା ବିକୃତିର ଇତିହାସ ବା କାଳକ୍ରମେ ବିଷୟରେ କିଛି ଜ୍ଞାନଲାଭ କରିପାଉଁ ।

ପୁଣି ଅନେକ ସ୍ଥଳରେ ଶବ୍ଦର ବିକୃତି ପଛରେ ଶବ୍ଦଟିର ଦେଶାନ୍ତର ଗମନର ଇତିହାସ ମଧ୍ୟ ଥାଇ ପାରେ । 'ପଲଙ୍କ' ଓ 'ପାଲ୍‌କି' ଏକା ଶବ୍ଦରୁ ଜାତ, ଉଭୟଙ୍କର ଉତ୍ପତ୍ତି ସଂସ୍କୃତ ପର୍ଯ୍ୟଙ୍କ ଶବ୍ଦରୁ, ମାତ୍ର ଏମାନଙ୍କ ମଧ୍ୟରୁ ଗୋଟିଏ ଶବ୍ଦ ସଂସ୍କୃତରୁ ପ୍ରାକୃତର ମଧ୍ୟ ଦେଇ ଓଡ଼ିଆକୁ ଆସିଅଛି । ଅନ୍ୟଟି ପାରସିକ ଭାଷାର ମଧ୍ୟ ଦେଇ ପାର୍ଟୁଗିଜ ଓ ସେଥିରୁ ହିନ୍ଦୀ ଦେଇ ଓଡ଼ିଆକୁ ଆସିଅଛି । ସଂସ୍କୃତ 'ପର୍ଯ୍ୟଙ୍କ' ଶବ୍ଦର ମୂଳ ପରି+ଅଙ୍କ ଓ ଏହି'ପରି' ସହିତ ଗ୍ରୀକ୍ peri (ପେରି ଓ ଅଙ୍କ ସହିତ ଲାଟିନ୍ uncus ବା ସଂସ୍କୃତ 'ଆଙ୍କୁଶ'ର ସମ୍ପର୍କ ରହିଅଛି । 'ପର୍ଯ୍ୟଙ୍କ' ଶବ୍ଦ ପ୍ରାକୃତରେ 'ପଲ୍ଲଙ୍କ'ରେ ପରିବର୍ତ୍ତିତ ହେଲା । ପାଲୀ ଭାଷାରେ 'ପଲଙ୍କି'