ଶବ୍ଦର ବ୍ୟବହାର ପ୍ରଚଳିତ ଥିଲା, ଏହି ଶବ୍ଦମାନଙ୍କରୁ ଏକ ଦିଗରେ ଓଡ଼ିଆ ପଲଙ୍କ, ଅନ୍ୟ ଦିଗରେ ପାରସିକ ପଲଙ୍କ, ପୋର୍ଟୁଗିଜ palanquin ଓ ହିନ୍ଦୀ ପାଲକି ଉଦ୍ଭୂତ ହୋଇଅଛି । ଏହି ଶେଷ ଶବ୍ଦରୁ ଓଡ଼ିଆରେ 'ପାଲକି' ଶବ୍ଦ ପ୍ରଚଳିତ ହୋଇଅଛି । ଶବ୍ଦଟିର ଦୁଇଗୋଟି ବିଭିନ୍ନ ରୂପ ଦୁଇଗୋଟି ବିଭିନ୍ନ ଅର୍ଥରେ ପ୍ରଚଳିତ ହୋଇ ଭାଷାକୁ ସମୃଦ୍ଧ କରୁଅଛି । ଏହିପରି 'ଟୋପି' ଶବ୍ଦ ମଧ୍ୟ ମୂଳତଃ ସଂସ୍କୃତ 'ସ୍ତୂପ' ଶବ୍ଦରୁ ଉଦ୍ଭୂତ । ଏହି ଶବ୍ଦଟି ପାଲୀ ଭାଷାରେ 'ଟୋପ' ଆକାର ଧାରଣ କରିଅଛି ଓ ଓଡ଼ିଆ 'ଟୋପର' ଶବ୍ଦ ଏଥିରୁ ଜାତ ହୋଇଅଛି, ମାତ୍ର 'ଟୋପି' ଶବ୍ଦ ହିନ୍ଦୀ ଓ ଉର୍ଦ୍ଦୁ ଶବ୍ଦର ଅନୁକରଣରେ ଓଡ଼ିଆରେ ପ୍ରଚଳିତ ଓ ବର୍ତ୍ତମାନ ଟୋପର, ଟୋପ ପ୍ରଭୃତି ଶବ୍ଦମାନଙ୍କରେ ଅର୍ଥଗତ ପାର୍ଥକ୍ୟ ଲକ୍ଷିତ ହୋଇଥାଏ । ଓଡ଼ିଆ 'ଝୋଟ' ଶବ୍ଦ ମୂଳତଃ ସଂସ୍କୃତ 'ଜଟ' ଶବ୍ଦରୁ ଜାତ ଓ ସଂସ୍କୃତରେ 'ଜଟା' ଶବ୍ଦର 'ଜୁଟ' ଓ 'ଜୂଟ' ଆକୃତି ମଧ୍ୟ ପ୍ରଚଳିତ ଥିଲା । ଏହି ଶବ୍ଦମାନଙ୍କରୁ ଓଡ଼ିଆରେ 'ଜୂଡ଼ା' ଶବ୍ଦ ଉତ୍ପନ୍ନ ହୋଇଅଛି । ଅନ୍ୟ ଦିଗରେ ଏହି ଶବ୍ଦ ବଙ୍ଗଦେଶରୁ ୧୭୯୫ ଖ୍ରୀଷ୍ଟାବ୍ଦରେ ଇଂରାଜୀ ଭାଷାରେ ଗୃହୀତ ହେଲା । ବଙ୍ଗଦେଶରେ ଏହି ଶବ୍ଦ ପରିବର୍ତ୍ତରେ 'ଚଟ୍' ଓ 'ପାଟ' ଶବ୍ଦ ବ୍ୟବହୃତ ହେଉଥିଲେହେଁ ଇଂରାଜୀରେ 'jute' ଶବ୍ଦର ବ୍ୟବହାର ଦେଖାଯାଏ । ଏହି jute ଶବ୍ଦ ହିନ୍ଦୀ ଭାଷା ଦେଇ ଓଡ଼ିଆରେ 'ଝୋଟ' ଆକାରରେ ବ୍ୟବହୃତ ହେଉଅଛି । ଅର୍ଥାତ୍ ଯାହା ମୂଳତଃ ଗୋଟିଏ ସଂସ୍କୃତ ଶବ୍ଦ, ତାହା କ୍ରମଶଃ ଏ ଦେଶରୁ ବିଲାତ ଓ ବିଲାତରୁ ଏ ଦେଶକୁ ଆସି ନୂତନ ଆକାରରେ ଭାଷାରେ ବ୍ୟବହୃତ ହେଉଅଛି । ଅନେକଙ୍କ ମତରେ 'ଆୟା' ଶବ୍ଦରେ ମଧ୍ୟ ଏହିପରି ଶବ୍ଦର ଦେଶାନ୍ତରଗତି ଦେଖାଯାଇଥାଏ ଓ ଏହି ଶବ୍ଦଟି ମୂଳତଃ ସଂସ୍କୃତ 'ଆୟ' ଶବ୍ଦରୁ ଜାତ ହେଲେହେଁ (ଆୟ - keeper of the woman's apartments) ଏହା ପର୍ଟୁଗିଜ ଭାଷାରୁ 'ଆୟା' ରୂପେ ଓଡ଼ିଆରେ ପ୍ରଚଳିତ । ବସ୍ତରରେ ଏହା 'ମାତା' ଅର୍ଥରେ ବ୍ୟବହୃତ, ଅର୍ଥାତ୍ ସଂସ୍କୃତ 'ଆର୍ଯ୍ୟା' ଶବ୍ଦର ବିକୃତିରୂପେ ସ୍ୱୀକୃତ । ଶବ୍ଦମାନଙ୍କର ଆକୃତି ବା ଧ୍ୱନି ପ୍ରଭୃତି ଏହିପରି ନାନା ଦେଶର ପାରିପାର୍ଶ୍ୱିକ ଅବସ୍ଥାଦ୍ୱାରା ନାନା ପ୍ରକାରରେ ପ୍ରଭାବିତ ହୋଇଅଛି । ଏହି ସବୁ ପ୍ରଭାବର ଆଲୋଚନା ଭାଷାତତ୍ତ୍ୱବିଦ୍ ପକ୍ଷରେ ଅତ୍ୟନ୍ତ ପ୍ରୟୋଜନୀୟ । ଓଡ଼ିଆ 'ଚିନି' ଶବ୍ଦର ମଧ୍ୟ ଏହିପରି ଗୋଟିଏ ବିରାଟ ଇତିହାସ ଅଛି । ଏହି ଶବ୍ଦଟି ମୂଳତଃ ସଂସ୍କୃତ 'ଶର୍କରା' ଶବ୍ଦରୁ ଜାତ । ଏହି 'ଶର୍କରା' ଶବ୍ଦରୁ ଓଡ଼ିଆରେ 'ଶାକର' ପ୍ରଭୃତି ଶବ୍ଦ ଜାତ ହୋଇଅଛି । 'ଶର୍କରା'ର ପାରସିକ ଭାଷାରେ ରୂପ 'ଶକର' (ଏହି ଶବ୍ଦ 'ଶକରକନ୍ଦ' ଶବ୍ଦରେ ପରିଚିତ) । ଏହି ପାରସିକ ରୂପରୁ ପୁଣି ଆରବରେ 'ଶକ୍କର',
ପୃଷ୍ଠା:Sarala Bhashatattwa.pdf/73
Appearance