ପୃଷ୍ଠା:Sarala Bhashatattwa.pdf/77

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଉଦାହରଣ, କାରଣ, ଆମ୍ଭେମାନେ କଲିକୁ 'କୃ' ଧାତୁର ବିକୃତ ରୂପ ରୂପରେ ଓ ଫୁଲର କଲି ଅର୍ଥରେ ବ୍ୟବହାର କରିଥାଉଁ । ଉଭୟ ଶବ୍ଦ ସଂସ୍କୃତରୁ ଉତ୍ପନ୍ନ ହେଲେହେଁ ଏମାନଙ୍କର ଅର୍ଥଗତ ପାର୍ଥକ୍ୟ ସୁସ୍ପଷ୍ଟ ।

ଶବ୍ଦର ବିଭିନ୍ନ ଅର୍ଥ:- ଶବ୍ଦର ବ୍ୟବହାର ସମୟରେ ଭିନ୍ନ ଭିନ୍ନ ସ୍ଥାନରେ ତାହାର ଅର୍ଥ ନାନା ପ୍ରକାରରେ ପରିବର୍ତ୍ତିତ ହୋଇଥାଏ । ଏହାର ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ପ୍ରତ୍ୟେକ ଶବ୍ଦ ଗୋଟିଏ ମୂଳ ଅର୍ଥ ଓ ନାନା ସଂପ୍ରସାରିତ ଅର୍ଥରେ ବ୍ୟବହୃତ ହୋଇଥାଏ ଓ ବାକ୍ୟର ଅର୍ଥସଙ୍ଗତି ଘେନି ପ୍ରତ୍ୟେକ ଶବ୍ଦର ଅର୍ଥ ନିରୂପଣ କରାଯାଏ । 'ତା ଗୋଡ଼ରେ କଣ୍ଟା ଫୁଟିଗଲା' ଓ 'ରାମ ବେରାମ ହୋଇ କଣ୍ଟା ହୋଇଗଲା' - ଏ ଉଭୟ ବାକ୍ୟରେ ବ୍ୟବହୃତ 'କଣ୍ଟା' ଶବ୍ଦ ଏକ 'କଣ୍ଟକ' ଶବ୍ଦରୁ ଉତ୍ପନ୍ନ ହେଲେହେଁ ଏହି ଶବ୍ଦର ଅର୍ଥ ପୃଥକ୍ । ଗୋଟିଏ ବାକ୍ୟରେ ଏହା ସ୍ୱରୂପ ଅର୍ଥରେ ଓ ଅନ୍ୟଟିରେ ଲକ୍ଷଣା ଅର୍ଥରେ ବ୍ୟବହୃତ ହୋଇଅଛି । ପୁଣି ସେ ମୋ ବେକରେ କଣ୍ଟା' କହିଲେ କଣ୍ଟାର ଅନ୍ୟ ଲକ୍ଷଣା ଅର୍ଥରେ ବ୍ୟବହାର ସୁସ୍ପଷ୍ଟ ହୋଇଥାଏ । ପ୍ରତ୍ୟେକ ଶବ୍ଦର ଏହିପରି ଗୋଟିଏ ମୂଳ ଅର୍ଥ ଓ ନାନା ଲକ୍ଷଣା ଅର୍ଥ ଥିବା ସ୍ୱାଭାବିକ ଓ ଆମ୍ଭେମାନେ ଶବ୍ଦଟିକୁ ବ୍ୟବହାର କରିବା ସମୟରେ ଏହି ମୂଳ ଅର୍ଥ ପ୍ରତି ଅବହିତ ହୋଇ ଲକ୍ଷଣା ଅର୍ଥଗୁଡ଼ିକର ସ୍ୱରୂପ ନିର୍ଣ୍ଣୟ କରିଥାଉଁ । କ୍ରମଶଃ ଶବ୍ଦର ଲକ୍ଷଣା ଅର୍ଥ ପୁଣି ବ୍ୟବହାରକ୍ରମରେ ମୂଳ ଅର୍ଥରେ ପରିଣତ ହୋଇଥିବାର ଶତ ଶତ ଦୃଷ୍ଟାନ୍ତ ଆମ୍ଭେମାନେ ପାଇଥାଉଁ । ସଂସ୍କୃତ 'ଶିଖା' ଶବ୍ଦ ଏହିପରି ମୂଳତଃ ଯେଉଁ ଅର୍ଥରେ ବ୍ୟବହୃତ ହେଉଥିଲା, ଲକ୍ଷଣାଦ୍ୱାରା ଏହାର ରୂପ ପରିବର୍ତ୍ତିତ ହୋଇ ପୁଣି ଅନ୍ୟ ଅର୍ଥରେ ବ୍ୟବହୃତ ହେଲା । କାଳକ୍ରମେ ଏହି ଲକ୍ଷଣା ଅର୍ଥ ମୂଳ ଅର୍ଥ ରୂପରେ ବ୍ୟବହୃତ ହୋଇ ଏଥିରୁ ପୁଣି ନୂତନ ନୂତନ ଲକ୍ଷଣା ଅର୍ଥମାନ ଭାଷାରେ ସ୍ୱୀକୃତ ହେବାକୁ ଲାଗିଲା । ବର୍ତ୍ତମାନ ଏହି ଶବ୍ଦର ନାନାବିଧ ଅର୍ଥଗତ ବ୍ୟବହାର ଆମ୍ଭେମାନେ ନିତ୍ୟ ଦେଖିଥାଉଁ । ଓଡ଼ିଆରେ 'କଟକ' ଶବ୍ଦର ମଧ୍ୟ ଏହିପରି ଅର୍ଥ ବିକୃତ ଘଟିଅଛି । ସଂସ୍କୃତରେ 'କଟକ' ଶବ୍ଦର ଲକ୍ଷଣା ଅର୍ଥରେ ଓଡ଼ିଆରେ କଟକ ନଗରୀର ନାମକରଣ ହୋଇଥିଲେହେଁ ଓ ଏହି ମୂଳ ଅର୍ଥ ଉପେନ୍ଦ୍ରଭଞ୍ଜଙ୍କର "ବ୍ୟାପ୍ତ ଦିବ୍ୟ କଟକରେ ନେଇ କରି, ବସାନିବାସେ ନେଇ ଜନକ ଠାରି" ପଦ୍ୟାଂଶମାନଙ୍କରେ ବ୍ୟବହୃତ ହେଉଥିଲେହେଁ ବର୍ତ୍ତମାନ 'କଟକ'ର ଅର୍ଥ ଏହି ମୂଳ ଅର୍ଥରୁ ପୃଥକ୍ ଓ କଟକ ନଗରୀକୁ ମୂଳ ଅର୍ଥ ଧରି ସେଥିରୁ ମଧ୍ୟ ନାନା ଲକ୍ଷଣା ଅର୍ଥ ଉତ୍ପନ୍ନ ହୋଇଅଛି (ଯଥା - ମୁଁ ପୁରିଆ ଭେଣ୍ତା, ମତେ କଟକିଆ କରି ପାଇଲୁ କି ରେ?) । ସାଧାରଣରେ ବ୍ୟବହୃତ 'ବାଇ' ଶବ୍ଦରେ ମଧ୍ୟ ଏହିପରି