ପୃଷ୍ଠା:Sarala Bhashatattwa.pdf/79

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଭାଷାରେ ଲୋକବିଶେଷର ନାମରୂପେ ବ୍ୟବହୃତ ହେବାକୁ ଲାଗିଲା । ଦୈବକ୍ରମେ ଏହି ନାମଧାରୀ ଜଣେ ବ୍ୟକ୍ତି ବିଶେଷ ପ୍ରକାରର ଗାଡ଼ି ଉଦ୍ଭାବନ କରିଥିବାରୁ ଆମ୍ଭେମାନେ ଏହି ଶବ୍ଦର ମୂଳ ଧାତୁ ପ୍ରଭୃତି ବିସ୍ମୃତ ହୋଇ ବର୍ତ୍ତମାନ ଗୋଟିଏ ବିଶେଷ ଅର୍ଥରେ ଏହାକୁ ବ୍ୟବହାର କରୁଅଛୁଁ । ଏହି ଶବ୍ଦଟି ଯେପରି ଉଦ୍ଭୂତ ହୋଇ ଯେଉଁ ସବୁ ସ୍ତର ମଧ୍ୟ ଦେଇ ଗତି କରିଅଛି, ତାହାର ଗୋଟିଏ ସ୍ତର ସହିତ ବର୍ତ୍ତମାନ ଏହାର ଅର୍ଥଗତ ସମ୍ପର୍କ ସ୍ଥାପିତ ହୋଇଅଛି । ଏହିପରି 'ପାଲକି' ଶବ୍ଦରେ ମଧ୍ୟ ମୂଳ 'ପର୍ଯ୍ୟଙ୍କ' ଶବ୍ଦର ଅର୍ଥ ଦ୍ୟୋତିତ ହେଉଥିଲେହେଁ ପୋର୍ଟୁଗିଜ ଶବ୍ଦରୁ ଉଦ୍ଭୂତ ହିନ୍ଦୀ ଶବ୍ଦ ସହିତ ଏହାର ଅର୍ଥଗତ ସମ୍ପର୍କ ରହିଅଛି ଓ ସେହି ସ୍ତରରୁ ଏହାର ଅର୍ଥଗତ ଉତ୍ପତ୍ତି ସୂଚିତ କରିବାକୁ ହେବ ।

ଏଠାରେ ଆମ୍ଭେମାନେ ଲକ୍ଷ୍ୟ କରିପାରୁ ଯେ, ମୂଳ ସଂସ୍କୃତ ଶବ୍ଦ ଓ ତହିଁର ବିକୃତ ରୂପ ଉଭୟେ ଓଡ଼ିଆ ଭାଷାରେ ପ୍ରଚଳିତ ଥିଲେହେଁ ବିକୃତ ଶବ୍ଦର କେତେକ ବିଶେଷ ଅର୍ଥରେ ପ୍ରୟୋଗ ଦେଖାଯାଏ । ବତି ଶବ୍ଦ ବର୍ତ୍ତିରୁ ଉତ୍ପନ୍ନ, ମାତ୍ର ବର୍ତ୍ତମାନ ପ୍ରଧାନତଃ ମହମବତି ଅର୍ଥରେ ସାଧାରଣରେ ବ୍ୟବହୃତ, ପୁଣି ସଞ୍ଜ ଶବ୍ଦ ସନ୍ଧ୍ୟା ଶବ୍ଦରୁ ଉତ୍ପନ୍ନ, ମାତ୍ର ସଞ୍ଜ ଦେବା ଏକ ବିଶେଷ ଅର୍ଥରେ ପ୍ରଚଳିତ । ପୁଣି ଶବ୍ଦର ଉତ୍ପତ୍ତି ବିଷୟରେ ଅଜ୍ଞତା ମଧ୍ୟ କେତେକ କ୍ଷେତ୍ରରେ ତାହାର ଅର୍ଥ ବିପର୍ଯ୍ୟୟର କାରଣ ହୋଇଅଛି । 'କୃଷ୍ଟି' ଏହାର ପ୍ରକୃଷ୍ଟ ଉଦାହରଣ । ସଂସ୍କୃତରେ 'କୃଷ୍ଟି' ଶବ୍ଦର ଅର୍ଥ ପଣ୍ତିତ ବ୍ୟକ୍ତି । ମାତ୍ର ଏହି ଅର୍ଥରେ ଏ ଶବ୍ଦଟି ପ୍ରଚଳିତ ନ ଥିବାରୁ ଓ କୌଣସି ଉଚ୍ଚକୋଟିର ଲେଖକଙ୍କଦ୍ୱାରା ଏହା culture ଶବ୍ଦର ଅନୁବାଦ ରୂପରେ ପ୍ରଯୁକ୍ତ ହୋଇଥିବାରୁ ବର୍ତ୍ତମାନ ଏହାର ଅର୍ଥ ପରିବର୍ତ୍ତିତ ହୋଇଅଛି । ଏହାର ବ୍ୟବହାର ଘେନି ନାନା ବିତଣ୍ତା ହେଉଥିଲେହେଁ ଶବ୍ଦଟି culture ର ଅନୁବାଦରୂପରେ ପ୍ରଚଳିତ ହୋଇଅଛି । 'ଅର୍ବାଚୀନ' ଶବ୍ଦର ଅର୍ଥ ମଧ୍ୟ ଏହିପରି ଅତି ଆଧୁନିକ କାଳରେ ପରିବର୍ତ୍ତିତ ହୋଇଅଛି ଓ ଏହା ସଂସ୍କୃତଠାରୁ ଭିନ୍ନ ଅର୍ଥରେ ବର୍ତ୍ତମାନ ବ୍ୟବହୃତ ହେଉଅଛି । ମାତ୍ର ଏହାର ବ୍ୟବହାରଜନିତ ବିବାଦ ବର୍ତ୍ତମାନ ପର୍ଯ୍ୟନ୍ତ ଶେଷ ହୋଇ ନାହିଁ ।

ଅନେକ ସମୟରେ ଦୁଇଗୋଟି ଭିନ୍ନ ଭିନ୍ନ ଭାଷାରୁ ଆଗତ ଶବ୍ଦମାନଙ୍କର ବିଶୃଙ୍ଖଳା ହେତୁରୁ ଶବ୍ଦରୁ ଅର୍ଥ ପ୍ରଭାବିତ ହୋଇଥାଏ । ଆରବ ଭାଷାରେ 'ଚିକନ୍'ର ଅର୍ଥ ସଂସ୍କୃତ 'ଚିକ୍କଣ'ରୁ ଉତ୍ପନ୍ନ 'ଚିକଣ'ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ମାତ୍ର ବର୍ତ୍ତମାନ ଆମ୍ଭେମାନେ ଏ ଉଭୟ ଶବ୍ଦର ଅର୍ଥକୁ ଅନେକ ସମୟରେ ଗୋଳମାଳ କରି ଉଭୟ ଶବ୍ଦ ପରସ୍ପର ସହିତ ସମ୍ପୃକ୍ତରୂପେ ବ୍ୟବହାର କରିଥାଉଁ । ବ୍ୟବହାର ସମୟରେ ଅର୍ଥଗତ ବୈସାଦୃଶ୍ୟ ମଧ୍ୟ ରହିବା ସ୍ୱାଭାବିକ । ଏହିପରି 'ବାଲି' ଶବ୍ଦର