ପୃଷ୍ଠା:Sarala Bhashatattwa.pdf/81

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଐତିହାସିକ ଘଟଣା ବିଦ୍ୟମାନ । ୧୮୬୧ ଖ୍ରୀଷ୍ଟାବ୍ଦରେ Lady Canning ଙ୍କର କଲିକତାଠାରେ ମୃତ୍ୟୁ ହେବାରୁ ସେହି ଘଟଣାକୁ ସ୍ମରଣ କରି କଲିକତାର ଜଣେ ମିଷ୍ଟାନ୍ନ ବିକ୍ରେତା ଗୋଟିଏ ନୂତନ ପ୍ରକାରର ମିଷ୍ଟାନ୍ନର ଏହି ନାମକରଣ କରିଥିଲା; ତେଣୁ ଏହା ଏହି ନାମରେ ଓ ଅର୍ଥରେ ବର୍ତ୍ତମାନ ସୁଦ୍ଧା ପ୍ରଚଳିତ ହେଉଅଛି । Lady Canning ଙ୍କର ମୂଳ ଅର୍ଥ ସହିତ ଏହାର ବର୍ତ୍ତମାନ ଆଉ କିଛି ସମ୍ପର୍କ ନାହିଁ । ସେହିପରି Ashraf Khan ବାଦସାହା ନୂତନ ପ୍ରକାରର ସ୍ୱର୍ଣ୍ଣମୁଦ୍ରା ପ୍ରଚଳିତ କରିଥିବାରୁ ତାଙ୍କ ନାମ ଅନୁସାରେ 'ଆଶରଫି' ଶବ୍ଦ ପ୍ରଚଳିତ ହୋଇଥିଲା । ଏହି ଶବ୍ଦ ଓଡ଼ିଆରେ 'ଅସର୍ପି' ବୋଲି ବ୍ୟବହୃତ । ଓଡ଼ିଆରେ ନଅଙ୍କ, ପାଁଶାଲା ପ୍ରଭୃତି ଶବ୍ଦର ଅର୍ଥ ସହିତ ମଧ୍ୟ ଏହିପରି ଐତିହାସିକ ଘଟଣାମାନଙ୍କର ସମ୍ପର୍କ ରହିଅଛି ଓ ଯାତ୍ରା, ସୁଆଙ୍ଗ ପ୍ରଭୃତି ଶବ୍ଦ ସହିତ ସାମାଜିକ ପ୍ରଥାର ସମ୍ବନ୍ଧ ରହିଅଛି ।

ଶବ୍ଦମାନଙ୍କର ଅର୍ଥକୁ ଅନୁଶୀଳନ କରିବାର ରୀତି ସଂସ୍କୃତରେ ମଧ୍ୟ ପ୍ରଚଳିତ ଥିଲା । ଶବ୍ଦମାନଙ୍କର ରୂଢ଼ି, ଯୌଗିକ ଅର୍ଥ ପ୍ରଭୃତିର ବିଚାର ସଂସ୍ମୃତ ବ୍ୟାକରଣର ଏକ ଅଙ୍ଗ ବୋଲି ସ୍ୱୀକୃତ । 'ପଙ୍କଜ' ଶବ୍ଦର ଅର୍ଥ ଯେ କାରଣରୁ କେବଳ ପଦ୍ମରେ ନିବଦ୍ଧ, ଓଡ଼ିଆ 'ପାନ୍ତୁଆ' ଶବ୍ଦର ଅର୍ଥ ମଧ୍ୟ ଅନୁରୂପ କାରଣରୁ କେବଳ ଗୋଟିଏ ପ୍ରକାର ମିଷ୍ଟାନ୍ନରେ ପର୍ଯ୍ୟବସିତ; କାରଣ ଏହାର ମୂଳ ଅର୍ଥ ଯାହା ରସରେ ଡୁବି କରେଇର ତଳଦେଶରେ ଥାଏ, [ହିନ୍ଦୀ ପାନି = ଚିନିର ରସ (ଲକ୍ଷଣା ଅର୍ଥରେ) ଓ ପାରସିକ ତବା (ଏଥିରୁ ତୁଆର ଉତ୍ପତ୍ତି) =ତଳ; ଅର୍ଥାତ୍ ଯାହା କରେଇର ତଳଦେଶ ରସରେ ଡୁବି ରହେ] ମାତ୍ର ଏହି ଶବ୍ଦଟି ବର୍ତ୍ତମାନ ଏକ ବଶେଷ ପ୍ରକାର ମିଷ୍ଟାନ୍ନକୁ ସୂଚିତ କରୁଅଛି । ମିଷ୍ଟାନ୍ନ, ପଲାଉ ପ୍ରଭୃତିରେ ମଧ୍ୟ ଏହିପରି ଅର୍ଥର ଦ୍ୟୋତନା ବିଶେଷଭାବରେ ପରିବର୍ତ୍ତିତ ହୋଇଅଛି ଓ ମାଂସବିହୀନ ପଲାଉ ବା ଅନ୍ନବିହୀନ ମିଷ୍ଟାନ୍ନ ବର୍ତ୍ତମାନ ସୁପ୍ରଚଳିତ । ଆମ୍ଭେମାନେ ସୀମା ନିର୍ଦ୍ଦେଶ କରିବା ସମୟରେ 'ପିଲପାହିଆ'ର ବ୍ୟବହାର କରୁଁ । ଏହାର ଅର୍ଥ 'କ୍ଷୁଦ୍ର ସ୍ତମ୍ଭ'; ମାତ୍ର ଏହାର ମୂଳ ଅର୍ଥ 'ହାତୀର ଗୋଡ଼' ଓ ଆରବ 'ପିଲ'ରୁ ପାରସିକ 'ପିଲ' (ଯଥା - ପିଲଖାନା = ଯହିଁରେ ହାତୀ ବନ୍ଧା ଯାଏ)ର ଉତ୍ପତ୍ତି ହୋଇଅଛି, ତହିଁରୁ ହିନ୍ଦୀ 'ପିଲ' ଶବ୍ଦ ଉତ୍ପନ୍ନ ହୋଇଅଛି ଓ ଏହି 'ପିଲ' ଶବ୍ଦ ସହିତ ଗୋଡ଼ର ଅର୍ଥସୂଚକ 'ପାହିଆ' ଶବ୍ଦ ସଂଯୁକ୍ତ ହୋଇ ଏହି ଶବ୍ଦଟି ଗଠିତ ହୋଇଅଛି । ମାତ୍ର କ୍ଷୁଦ୍ର ଗୋଲାକୃତି ସ୍ତମ୍ଭ ସହିତ ହାତୀର ଗୋଡ଼ର ସାଦୃଶ୍ୟ ଥିବାରୁ ଏହି ଶବ୍ଦଟି ଗଠିତ ହୋଇଥିଲେହେଁ, ବର୍ତ୍ତମାନ ଏହି ଶବ୍ଦଟି ଭିନ୍ନ ଅର୍ଥରେ ଭାଷାରେ ସ୍ୱୀକୃତ ଓ ସୀମାନିର୍ଦ୍ଦେଶକ ପ୍ରତ୍ୟେକ ସ୍ତମ୍ଭକୁ ସୂଚିତ କରିଥାଏ ।