ଭାଷାରେ ବ୍ୟବହୃତ ଶବ୍ଦମାନଙ୍କର ଅର୍ଥବିକୃତି ଆଲୋଚନା କରି ପଣ୍ତିତମାନେ ସ୍ଥିର କରିଅଛନ୍ତି ଯେ, ଅର୍ଥର ବିକୃତି ପାଞ୍ଚ ପ୍ରକାରରେ ହୋଇଥାଏ; ଯଥା:- ୧: ସଂପ୍ରସାରଣ, ୨: ସଂକୋଚନ, ୩: ଆଳଙ୍କାରିକ ପରିବର୍ତ୍ତନ, ୪: ଉନ୍ନୟନ ଓ ୫: ଅବନମନ । ଏହି ପ୍ରକ୍ରିୟାର ନାନାବିଧ କାରଣ ମଧ୍ୟ ଥାଏ । ପ୍ରାୟ ପ୍ରତ୍ୟେକ ଭାଷାରେ ଆମ୍ଭେମାନେ ଏହି ପାଞ୍ଚ ପ୍ରକାରର ଅର୍ଥବିକୃତିର ଉଦାହରଣ ପାଇଥାଉଁ । ଏସବୁ ପ୍ରକ୍ରିୟାର ପ୍ରତ୍ୟେକଟିର ବିଶଦ ଆଲୋଚନା କରିବା ଉଚିତ । ମାତ୍ର ଏସବୁ ଛଡ଼ା ଅନ୍ୟ କେତେଗୁଡ଼ିଏ ଅର୍ଥବିକୃତିକୁ କୌଣସି ବିଶେଷ ଶ୍ରେଣୀରେ ବିଭକ୍ତ କରିବା ସମ୍ଭବପର ହୁଏ ନାହିଁ । ଓଡ଼ିଆ 'ପ୍ରଶସ୍ତ' ଶବ୍ଦ ଯେଉଁ ଅର୍ଥରେ ବ୍ୟବହୃତ, ସଂସ୍କୃତରେ ସେ ଅର୍ଥ ଆଦୌ ନଥିଲା ଓ ଅର୍ଥଗତ ପରିବର୍ତ୍ତନର କାରଣ ମଧ୍ୟ ନିର୍ଦ୍ଦେଶ କରିବା ବର୍ତ୍ତମାନ ସମ୍ଭବ ନୁହେ । ଶବ୍ଦମାନଙ୍କର ଅର୍ଥଗତ ପରିବର୍ତ୍ତନର କେବଳ କାରଣଟିକୁ ନିର୍ଦ୍ଦେଶ କରିଦେଲେ ଯେ ଯଥେଷ୍ଟ ହେଲା, ତାହା ନୁହେ । ଏହାର କାଳ ମଧ୍ୟ ଭାଷାତତ୍ତ୍ୱବିଦ୍ ମାନେ ଆଲୋଚନା କରିଥାନ୍ତି ଅର୍ଥାତ୍ କେଉଁ ସମୟରେ କିପରିଭାବରେ ଅର୍ଥଗତ ବିକୃତି ସାଧିତ ହେଲା, ତାହାର ଇତିହାସ ମଧ୍ୟ ଜାଣିବା ପ୍ରୟୋଜନ । ଭାଷାତତ୍ତ୍ୱର ଅନୁଶୀଳନ କରିବାକୁ ହେଲେ ପ୍ରତ୍ୟେକ ଶବ୍ଦର ଅର୍ଥବିକୃତିର ସ୍ୱରୂପ, ଇତିହାସ ଓ କାଳକ୍ରମ ସ୍ଥିରଭାବରେ ଜାଣିବା ଦରକାର । ଏହା କରିବାକୁ ହେଲେ ଅଧ୍ୟବସାୟ ସହିତ ବହୁକାଳ ବହୁ ବ୍ୟକ୍ତିଙ୍କର ଏକାନ୍ତ ସାଧନା ଓ ଅକ୍ଳାନ୍ତ ଗବେଷଣା ସର୍ବଥା ଆବଶ୍ୟକ ।
୧| ଅର୍ଥ ସଂପ୍ରସାରଣ:- ପୂର୍ବେ ଗୋଟିଏ ଶବ୍ଦର ଅର୍ଥଦ୍ୱାରା ଯେଉଁ ପଦାର୍ଥମାନଙ୍କୁ ନିର୍ଦ୍ଦେଶ କରାଯାଉଥିଲା, ବର୍ତ୍ତମାନ ତାହାର ଅର୍ଥଦ୍ୱାରା ଅଧିକ ପଦାର୍ଥକୁ ନିର୍ଦ୍ଦେଶ କରାଯାଇ ପାରିଲେ ଅର୍ଥର ସଂପ୍ରସାରଣ ହୋଇଅଛି ବୋଲି ମଣିବାକୁ ହେବ । ପ୍ରତ୍ୟେକ ଶବ୍ଦର ଅର୍ଥଦ୍ୱାରା ବସ୍ତୁ ଓ ଗୁଣ ନିର୍ଦ୍ଦେଶିତ ହୋଇଥାଏ । ନିର୍ଦ୍ଦେଶିତ ଗୁଣର ସଂକୋଚଦ୍ୱାରା ନିର୍ଦ୍ଦେଶିତ ବସ୍ତୁର ସଂଖ୍ୟାର ଆଧିକ୍ୟ ନିର୍ଦ୍ଦେଶିତ ହେଲେ ଅର୍ଥର ସଂପ୍ରସାରଣ ହୋଇଅଛି ବୋଲି ମନେ କରିବାକୁ ହେବ ଓ ଗୁଣର ଆଧିକ୍ୟଦ୍ୱାରା ବସ୍ତୁର ସଂଖ୍ୟାର ହ୍ରାସ ସାଧିତ ହେଲେ ଅର୍ଥର ସଂକୋଚନ ହୋଇଅଛି ବୋଲି ମନେ କରିବାକୁ ହେବ । ଓଡ଼ିଆରେ ବ୍ୟବହୃତ ଅନେକ ଶବ୍ଦର ଅର୍ଥର ସଂପ୍ରସାରଣ ଘଟିଅଛି । 'ଖଦି' ଏହିପରି ଗୋଟିଏ ଶବ୍ଦ । ଏହାର ମୂଳ ହେଉଛି, ସଂସ୍କୃତ 'କ୍ଷୁଦ୍ର' ଶବ୍ଦ ଅର୍ଥାତ୍ ସାନ ଲୁଗାକୁ ପ୍ରଧାନତଃ ଖଦି ବୋଲାଯାଉଥିଲା । ମାତ୍ର ଏହି ଶବ୍ଦଟି ଗୁଜରାଟୀ ଭାଷାର ଖଦ୍ଦର ଶବ୍ଦ ସହିତ ସମ୍ପୃକ୍ତ ହୋଇ ଅସହଯୋଗ ଆନ୍ଦୋଳନ ସମୟରେ ଓଡ଼ିଆରେ