ପୃଷ୍ଠା:Sarala Bhashatattwa.pdf/83

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରଯୁକ୍ତ ହୋଇଥିଲା । ସେତେବେଳେ ଏହା ହାତକଟା ସୂତାରେ ତିଆରି ବସ୍ତୁମାନଙ୍କୁ ସୂଚିତ କରିବା ନିମନ୍ତେ ବ୍ୟବହୃତ ହୋଇଥିବାରୁ ଏହାର ଅର୍ଥ ସଂପ୍ରସାରିତ ହୋଇ ବର୍ତ୍ତମାନ ଯେ କୌଣସି ହାତକଟା ସୂତାରେ ପ୍ରସ୍ତୁତ ଲୁଗାକୁ ସୂଚିତ କରୁଅଛି । ଏହିପରି ଓଡ଼ିଆରେ 'ଗଛ' ଶବ୍ଦର ଅର୍ଥ ସଂପ୍ରସାରିତ ହୋଇ ଏକ ଗଛ ଆତସବାଜି, 'ଗଛବାଣ' ପ୍ରଭୃତି ପ୍ରଯୁକ୍ତ ହେଉଅଛି । 'ଫୁଲ' ଶବ୍ଦର ଅର୍ଥ ମଧ୍ୟ କେବଳ 'କୁସୁମ'ରେ ଆବଦ୍ଧ ନ ଥାଇ 'ଗାଈର ଫୁଲ ପଡ଼ିବା', 'ବାହା ଫୁଲ ଫୁଟିବା', 'କାନଫୁଲ' ପ୍ରଭୃତି ପ୍ରୟୋଗରେ ସଂପ୍ରସାରିତ ହୋଇ ବ୍ୟବହୃତ ହେଉଅଛି । ସଂଖ୍ୟାବାଚକ 'ବାର' ଶବ୍ଦର 'ନାନା' ଅର୍ଥରେ ପ୍ରୟୋଗ ମଧ୍ୟ ଏହିପରି ସଂପ୍ରସାରଣର ଉଦାହରଣ; ଯଥା ବାରଦୁଆର, ବାର ଭାଇ, ବାର ହିନସ୍ତା । 'ସତରଫଳା'ରେ ସତର ଅପେକ୍ଷା ଅଧିକ ସଂଖ୍ୟାର ବ୍ୟବହାର ଥିବାରୁ ଓ 'ସତର ହଇରାଣ' ପ୍ରଭୃତିର ପ୍ରୟୋଗ ଥିବାରୁ ସତରର ଅର୍ଥ ମଧ୍ୟ ସଂପ୍ରସାରିତ ହୋଇଅଛି ବୋଲି ମନେ କରିବାକୁ ହେବ । ଆମ୍ଭେମାନେ 'ସମୟ' ଅର୍ଥରେ 'କାଳ'ର ବ୍ୟବହାର କରୁଁ; ତେଣୁ ସମୟ ଅନୁସାରେ ସବୁ ପଦାର୍ଥ ନଷ୍ଟ ହୋଇଯିବ; ଏହା ସ୍ମରଣ କରି 'କାଳ'କୁ ସଂହାରକର୍ତ୍ତା ବୋଲି ମନେ କରିଥାଉଁ, ତାହା ମଧ୍ୟ 'କାଳ'ର ଅର୍ଥଗତ ସଂପ୍ରସାରଣ ବୋଲି ମନେ କରିବାକୁ ହେବ । ସଂସ୍କୃତରେ 'ମୃଗ' ଶବ୍ଦ ଏହିପରି ଏକ ସମୟରେ ସଂପ୍ରସାରିତ ହୋଇ ସବୁପ୍ରକାର ପଶୁକୁ ସୂଚିତ କରୁଥିଲା । ଏହି ସଂପ୍ରସାରିତ ଅର୍ଥ ବର୍ତ୍ତମାନପର୍ଯ୍ୟନ୍ତ 'ମୃଗୟା' ଶବ୍ଦରେ ସ୍ପଷ୍ଟ ଦେଖାଯାଏ । କାରଣ ମୃଗୟା କେବଳ ମୃଗବଧରେ ଆବଦ୍ଧ ନୁହେ - ସବୁପ୍ରକାର ପଶୁ ଶିକାର ଏହାର ଅର୍ଥର ଅନ୍ତର୍ଗତ । ଯେତେବେଳେ ଆମ୍ଭେମାନେ କୌଣସି ଲୋକର ନାଆଁ ଗାଆଁ ନ ଜାଣିଥିବାର କହୁଁ, ତେତେବେଳେ ଗାଆଁ ଶବ୍ଦ ଦ୍ୱାରା ତାହାର ବାସସ୍ଥାନର ଇଙ୍ଗିତ ପ୍ରକାଶ କରିଥାଉଁ । ଏହା ମଧ୍ୟ ଗାଆଁର ସଂପ୍ରସାରିତ ଅର୍ଥ ମାତ୍ର ।

୨। ସଂକୋଚନ:- ଅନେକ ଶବ୍ଦ ପୁଣି ସଂକୀର୍ଣ୍ଣଭାବରେ ଭାଷାରେ ବ୍ୟବହୃତ ହୋଇଥାଏ । ପୂର୍ବେ ସେହି ସବୁ ଶବ୍ଦ ଦ୍ୱାରା ଯେତେଗୁଡ଼ିଏ ପଦାର୍ଥ ପ୍ରକାଶିତ ହେଉଥିଲା, ବର୍ତ୍ତମାନ ତାହା ଅପେକ୍ଷା ସଂକୀର୍ଣ୍ଣତର ଅର୍ଥ ପ୍ରକାଶିତ ହେଉଅଛି । ଓଡ଼ିଆରେ 'ନଡ଼ା' ଶବ୍ଦ ସଂସ୍କୃତ 'ନଳ' ଶବ୍ଦରୁ ଉତ୍ପନ୍ନ । ଏହାର ମୂଳ ଅର୍ଥ ଯେ କୌଣସି ପ୍ରକାର ଘାସ, କିନ୍ତୁ ବର୍ତ୍ତମାନ ଏହା କେବଳ ଧାନର ଶୁଖିଲା କାଣ୍ତ ଅର୍ଥରେ ଓଡ଼ିଆରେ ବ୍ୟବହୃତ । ଅର୍ଥାତ୍ ଯାହାର ଅର୍ଥ ସୁପ୍ରସାରିତ ଥିଲା, ତାହା ବର୍ତ୍ତମାନ ସଂକୀର୍ଣ୍ଣ ଭାବରେ ଭାଷାରେ ବ୍ୟବହୃତ ହେଉଅଛି । ଏହିପରି କୋଳଥ 'ପଣ୍ତା' ହୋଇଗଲା । ଏହି ପ୍ରୟୋଗରେ 'ପଣ୍ତା' ଶବ୍ଦର