ପୃଷ୍ଠା:Sarala Bhashatattwa.pdf/84

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବ୍ୟବହାରରେ ସଂକୀର୍ଣ୍ଣତା ଦେଖାଯାଉଅଛି । ମୂଳତଃ ଏହି ଶବ୍ଦ ସଂସ୍କୃତ 'ପଣ୍ତ' ଶବ୍ଦରୁ (ପଣ୍) ଉତ୍ପନ୍ନ ଓ ଏହାର ମୌଳିକ ଅର୍ଥ 'ନପୁଂସକ'; ମାତ୍ର ଏହା ଗୋଟିଏ ବିଶେଷ କ୍ଷେତ୍ରରେ ଫଳହୀନତା ସୂଚିତ କରିବାପାଇଁ ବ୍ୟବହୃତ ହେଉଅଛି । 'ମାନ୍ୟ' ସୂଚକ 'ସାହେବ' ଶବ୍ଦ ଏହିପରି କିଛିଦିନ ପୂର୍ବେ କେବଳ ଇଉରୋପୀୟ ପରିଚ୍ଛଦଧାରୀ ବିଦେଶୀ ବ୍ୟକ୍ତିମାନଙ୍କ ପ୍ରତି ପ୍ରଯୁକ୍ତ ହେଉଥିଲା; କାରଣ କେବଳ ସେହିମାନେ ଉଚ୍ଚ ରାଜପଦମାନଙ୍କରେ ଅଧିଷ୍ଠିତ ଥିବାରୁ ସେମାନଙ୍କୁ ସାଧାରଣତଃ 'ସାହେବ' ବୋଲାଯାଉଥିଲା । ମାତ୍ର ବର୍ତ୍ତମାନ ପୁଣି ଏ ଦେଶୀୟ ଲୋକମାନେ ଉଚ୍ଚପଦ ପାଇବାରୁ ଆମ୍ଭେମାନେ ଦାଶ ସାହେବ, ତ୍ରିପାଠୀ ସାହେବ ପ୍ରଭୃତି ଶବ୍ଦ ବ୍ୟବହାର କରୁଅଛୁଁ, ଅର୍ଥାତ୍ ଶବ୍ଦଟିର ଅର୍ଥ ସଂକୁଚିତ ହୋଇଥିଲା, ମାତ୍ର ବର୍ତ୍ତମାନ ପୁଣି ସଂପ୍ରସାରିତ ହେଉଅଛି । 'ବିଲାତ' ଶବ୍ଦର ଅର୍ଥ ଏହିପରି ଭାବରେ ପରିବର୍ତ୍ତିତ ହୋଇଅଛି । 'ବିଲାତ'ର ମୌଳିକ ଅର୍ଥ ବାଦଶାହଙ୍କର ନିଜ ଦେଶ । ବାଦଶାହ ବିଦେଶରୁ ଆସି ଭାରତରେ ଅଧିଷ୍ଠିତ ଥିବାରୁ 'ବିଲାତ'ର ଅର୍ଥ ଭାରତବାସୀମାନଙ୍କ ପକ୍ଷରେ ଥିଲା ବିଦେଶ । ବର୍ତ୍ତମାନ ଆମ୍ଭମାନଙ୍କର ରଜା ଇଂଲଣ୍ତୀୟ ଥିବାରୁ ବିଲାତର ବର୍ତ୍ତମାନ ଅର୍ଥ ସଂକୁଚିତ ହୋଇ କେବଳ ଇଂଲଣ୍ତକୁ ସୂଚିତ କରୁଅଛି । ଏଣୁ 'ସେ ବିଲାତ ଯାଇଛି' କହିଲେ ଆମ୍ଭେମାନେ ବୁଝୁଁ ଯେ, ସେ ଇଂଲଣ୍ତ ଯାଇଅଛି; କିନ୍ତୁ 'ବିଲାତି କୁକୁର', ବିଲାତି ଆଳୁ', 'ବିଲାତି ବାଇଗଣ' ପ୍ରଭୃତି ବ୍ୟବହାରରେ 'ବିଲାତ'ର 'ବିଦେଶୀ' ଅର୍ଥ ଅବ୍ୟାହତ ରହିଅଛି । ଓଡ଼ିଶାରେ କିଛିଦିନ ପୂର୍ବେ Mr. Das ବା ମଧୁବାବୁ କହିଲେ କେବଳ କୁଳବୃଦ୍ଧ ଶ୍ରୀ ମଧୁସୂଦନ ଦାସଙ୍କୁ ସୂଚିତ କରୁଥିଲା । ଏଣୁ ଏହି ଶବ୍ଦମାନଙ୍କର ଅର୍ଥ ସଂକୁଚିତ ହୋଇ ଲୋକମୁଖରେ ବ୍ୟବହୃତ ହେଉଥିଲା, କାରଣ ସେହି ସମୟରେ ଓଡ଼ିଶାରେ ଅନ୍ୟ ଅନେକ ମଧୁସୂଦନ ଦାସ ଥିଲେ ମଧ୍ୟ ସେହି ଶବ୍ଦ ଦ୍ୱାରା ଗୋଟିଏ ବିଶେଷ ଲୋକକୁ ସୂଚିତ କରାଯାଉଥିଲା । 'କ୍ଷୁର' ଓ 'ଛୁରି' ବାସ୍ତବରେ ଏକ ସଂସ୍କୃତ ମୂଳ ଶବ୍ଦରୁ ଉତ୍ପନ୍ନ । ମାତ୍ର କ୍ରମଶଃ ବ୍ୟବହାରକ୍ରମରେ ଏମାନଙ୍କର ଅର୍ଥଗତ ସଂକୋଚନ ସାଧିତ ହୋଇଅଛି; ବର୍ତ୍ତମାନ ଏ ଦୁଇଗୋଟି ଶବ୍ଦ ଦୁଇଗୋଟି ବିଭିନ୍ନ ବସ୍ତୁକୁ ନିର୍ଦ୍ଦେଶିତ କରୁଅଛି । ଏହିପରି ଏକ ଭାଷାରୁ ଦୁଇଗୋଟି ବିଭିନ୍ନ ପଦ କିମ୍ବା ଦୁଇଗୋଟି ଭିନ୍ନ ଭାଷାରୁ ଏକାର୍ଥକ ଦୁଇଗୋଟି ଶବ୍ଦ ପ୍ରଚଳିତ ହେଲେ କାଳକ୍ରମେ ସେମାନଙ୍କ ଅର୍ଥର ସଂକୋଚନ ସାଧିତ ହେବା ସ୍ୱାଭାବିକ । ଓଡ଼ିଆ 'ଛିଟ' ଶବ୍ଦ ସଂସ୍କୃତ 'ଚିତ୍ର' ଶବ୍ଦରୁ ଉତ୍ପନ୍ନ; ମାତ୍ର ଛିଟ କହିଲେ ବର୍ତ୍ତମାନ ଏକ ବିଶେଷ ପ୍ରକାରର ଚିତ୍ରିତ ଲୁଗା ବୁଝାଇଥାଏ । ଏଣୁ