ପୃଷ୍ଠା:Sarala Bhashatattwa.pdf/85

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶବ୍ଦଟିର ଅର୍ଥ 'ଚିତ୍ର' ଶବ୍ଦ ଅପେକ୍ଷା ସଂକୀର୍ଣ୍ଣ । 'ମାର୍କିନ' ଶବ୍ଦ 'ଆମେରିକାନ୍'ର ଅପଭ୍ରଷ୍ଟ । କିନ୍ତୁ ଆମେରିକା ମହାଦେଶରୁ ବର୍ତ୍ତମାନ ଅନ୍ୟ ଯେ କୌଣସି ପଦାର୍ଥ ଆସୁନା କାହିଁକି, 'ମାର୍କିନ'ର ଅର୍ଥ ଏକ ବିଶେଷ ପ୍ରକାରର ଲୁଗା । ପାରସିକ 'ଗଞ୍ଜା' ଶବ୍ଦର ଅର୍ଥ 'ପୁଂ କୁକ୍କୁଟ' । ମାତ୍ର ଏହି ଅର୍ଥରେ 'ମୋରଗ' ଶବ୍ଦର ମଧ୍ୟ ପ୍ରଚଳନ ଥିବାରୁ କ୍ରମେ 'ଗଞ୍ଜା'ର ଅର୍ଥ ସଂକୁଚିତ ହୋଇ ବର୍ତ୍ତମାନ କେବଳ ଖାସୁ ହୋଇଥିବା କୁକ୍କୁଟକୁ ସୂଚିତ କରୁଅଛି । ଏହିପରି ସଂସ୍କୃତ 'ବସ୍ତା' ଶବ୍ଦର ଅର୍ଥ 'ଛାଗ', ମାତ୍ର ସେହି ଶବ୍ଦରୁ ଉତ୍ପନ୍ନ ଓଡ଼ିଆ 'ବୋଦା' ଶବ୍ଦ କେବଳ 'ପୁଂ ଛାଗ' ରୂପେ ସଂକୁଚିତ ଅର୍ଥରେ ବ୍ୟବହୃତ ହୋଇଥାଏ । ପୁଂ ଛାଗମାନଙ୍କୁ ବଳି ଦେବାର ପ୍ରଥା ପ୍ରଚଳିତ ଥିବାରୁ 'ବୋଦା ପଡ଼ିବା' ପ୍ରଭୃତିର ପ୍ରୟୋଗ ପ୍ରଚଳିତ ହୋଇଅଛି । (ବୋଦା ଶବ୍ଦ ସଂସ୍କୃତ 'ବଧ୍ୟ' ସହିତ ସମ୍ପୃକ୍ତ ବୋଲି କାହାରି କାହାରି ମତ) । ଓଡ଼ିଆରେ ଆମ୍ଭେମାନେ ଯେଉଁ 'ଚାକୁ' ଶବ୍ଦ ବ୍ୟବହାର କରୁଁ, ତାହା ତୁର୍କି ଭାଷାରୁ ଜାତ । ଏହାର ଅର୍ଥ ଯେ କୌଣସି ଛୁରି । ଓଡ଼ିଆରେ ଛୁରି, ଛୋରା ପ୍ରଭୃତି ଶବ୍ଦ ପ୍ରଚଳିତ ଥିବାରୁ ବର୍ତ୍ତମାନ ଚାକୁ 'କ୍ଷୁଦ୍ର ଛୁରି', ଏହି ସଂକୁଚିତ ଅର୍ଥରେ ବ୍ୟବହୃତ ହେଉଅଛି । 'ଅଘି' ଶବ୍ଦ 'ଅଗ୍ନିରୁ' ଜାତ, ମାତ୍ର ଏହା ବର୍ତ୍ତମାନ ଓଡ଼ିଆରେ ଏକ ବିଶେଷ ଅଗ୍ୟୁତ୍ସବ ଦିନ ପ୍ରତି ପ୍ରଯୁକ୍ତ ହୋଇଥାଏ । ଅନ୍ୟ ଅର୍ଥରେ ଏହାର ବ୍ୟବହାର ନାହିଁ । 'ଖୁରି' ଶବ୍ଦ ପାରସିକ 'ଖୋରାକ' ସହିତ ସମ୍ପୃକ୍ତ । ଏହାର ମୂଳ ଅର୍ଥ ଯେଉଁଥିରେ ଆହାର୍ଯ୍ୟ ଦିଆଯାଏ । ଏହାର ଅନ୍ତ୍ୟ 'ଇ' କାର କ୍ଷୁଦ୍ରତା ବ୍ୟଞ୍ଜକ (ତୁଳନୀୟ ଆବଖୋରା = ଯହିଁରେ ପାଣି ଖିଆଯାଏ) ମାତ୍ର ବର୍ତ୍ତମାନ ଏହି ଶବ୍ଦଟିର ଅର୍ଥ ସଂକୁଚିତ ହୋଇ ଏହା ଏକ ବିଶେଷ ପ୍ରକାରର ମୃଣ୍ମୟପାତ୍ର କ୍ଷେତ୍ରରେ ପ୍ରଯୁକ୍ତ ହେଉଅଛି । ପ୍ରାକୃତ 'ଖଡ଼' ଶବ୍ଦର ଅର୍ଥ 'କ୍ଷୁଦ୍ର ତୃଣ' । ଏହି ଶବ୍ଦଟି ବଙ୍ଗଳା ଭାଷାରେ ପ୍ରଚଳିତ ଥାଇ ଓଡ଼ିଆରେ ଲୁପ୍ତ ହୋଇ ଯାଇଅଛି, ମାତ୍ର ଖଡ଼ ଓ କାଠି (କ୍ଷୁଦ୍ର କାଠ) ର ସଂଯୋଗରେ ଉତ୍ପନ୍ନ 'ଖଡ଼ିକା' ଶବ୍ଦ ବର୍ତ୍ତମାନ କେବଳ ନଡ଼ିଆ ପତ୍ରରେ ଥିବା ଶକ୍ତ ଅଂଶ ମଝିଶିରା ପ୍ରତି ପ୍ରଯୁକ୍ତ ହେଉଅଛି । ଏହି ଅର୍ଥ ସଂକୋଚନ ଓଡ଼ିଶାରେ ନଡ଼ିଆ ପତ୍ର ପ୍ରଭୃତିର ବିଶେଷ ବ୍ୟବହାରର ପରିଣାମ । ହିନ୍ଦୀରେ 'ଫାଟକ' ଶବ୍ଦର ଅର୍ଥ ବହିର୍ଦ୍ୱାର । କୌଣସି ଲୋକକୁ ଜେଲ ଦେବା ସହିତ ଓ ଜେଲ ଗୃହର ଆକୃତି ସହିତ 'ବହିର୍ଦ୍ୱାର'ର ଅର୍ଥଗତ ସମ୍ପର୍କ ଥିବାରୁ 'ଫାଟକ' ଶବ୍ଦର ଅର୍ଥ ସଂକୁଚିତ ହୋଇ ବର୍ତ୍ତମାନ ଅନେକ କ୍ଷେତ୍ରରେ 'ଜେଲ' ଅର୍ଥରେ ବ୍ୟବହୃତ ହେଉଅଛି । ଦେୱାନିଫାଟକ ଶବ୍ଦରେ ଏହି ସଂକୋଚନ ସୁସ୍ପଷ୍ଟ ।