ପୃଷ୍ଠା:Sarala Bhashatattwa.pdf/89

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


୮୪

ସରଳ ଭାଷାତ‌ତ୍ତ୍ୱ

ଅନ୍ୟ ଦିଗରେ ଅନେକ ଶବ୍ଦରେ ଅର୍ଥର ଉନ୍ନୟନ ମଧ୍ୟ ଦେଖିଥାଉଁ । ଏଥିର ପ୍ରକୃଷ୍ଟ ଉଦାହରଣ ଓଡ଼ିଆ ଷଣ୍ତା । ଏହି ଶବ୍ଦଟି ପୂର୍ବେ ଗାଳିରୂପେ ବ୍ୟବହୃତ ହେଉଥିଲା ଓ ଏହାର ମୂଳ ଅର୍ଥ ସପୁଂସକ । ଏହି ଅର୍ଥ ସଂସ୍କୃତରେ ମଧ୍ୟ ପ୍ରଚଳିତ, ମାତ୍ର କାଳକ୍ରମେ ଷଣ୍ଢର ଅର୍ଥ କେବଳ ଅଣ୍ତିରା ଗୋରୁ ଅର୍ଥରେ ପ୍ରଚଳିତ ହେବାରୁ ଏହା ବର୍ତ୍ତମାନ ଆଉ ତେତେ ନୀଚତାବାଚକ ଶବ୍ଦରୂପେ ପରିଗଣିତ ନ ହୋଇ ବୃହଦାକାର ଓ ହୃଷ୍ଟପୁଷ୍ଟ ଅର୍ଥ ସୂଚିତ କରୁଅଛି । ବର୍ତ୍ତମାନ ଓଡ଼ିଆରେ ବ୍ୟବହୃତ 'ଇତିକଥା' ଶବ୍ଦରେ ମଧ୍ୟ ଏହିପରି ଅର୍ଥର ଉନ୍ନତି ସାଧିତ ହୋଇଅଛି, କାରଣ ସଂସ୍କୃତରେ ଏହାର ଅର୍ଥ 'ଅଳୀକ କଥା' ବା ମିଥ୍ୟା କଥା, କିନ୍ତୁ ବର୍ତ୍ତମାନ ଓଡ଼ିଆରେ ଏହା 'ଇତିହାସ' ଓ ସତ୍ୟବର୍ଣ୍ଣନା' ଅର୍ଥରେ ବ୍ୟବହୃତ । ସଂସ୍କୃତରେ 'ଭୋଗ' ଓ 'ବେଦନା' ଶବ୍ଦର ଭଲ ଓ ମନ୍ଦ ଉଭୟ ଅର୍ଥ ପ୍ରଚଳିତ; ଓଡ଼ିଆରେ ମଧ୍ୟ ଉଭୟବିଧ ଅର୍ଥ ପ୍ରୟୋଗ ଥିଲେହେଁ ଅନେକ ସମୟରେ ମନ୍ଦ ଅର୍ଥଟି ଅଧିକ ପ୍ରଯୁକ୍ତ ଓ ବ୍ୟବହୃତ ।

ଶବ୍ଦମାନଙ୍କର ଏପରି ଅର୍ଥଗତ ପରିବର୍ତ୍ତନ ଭାଷାରେ ଅତି ସାଧାରଣ ପଦାର୍ଥ । ଭାଷାକୁ ଏ ଦିଗରୁ ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ନାନାପ୍ରକାର ପରିବର୍ତ୍ତନ ଯୋଗୁଁ ଭାଷା ନାନା ଭାବରେ ସମୃଦ୍ଧ ହୋଇଅଛି । ଅନେକ ସମୟରେ ଶବ୍ଦଗୁଡିକ ଏପରି ଭାବରେ ବିକୃତ ହୋଇ ଯାଇଥାଏ ଯେ, ମୂଳ ଅର୍ଥ ଖୋଜି ପାଇବା ଏକ ଦୁରୂହ ବ୍ୟାପାର ହୁଏ । "ଆଣ୍ଠୁକୁଡ଼ା' ଏହାର ପ୍ରକୃଷ୍ଟ ଉଦାହରଣ । ଏ ଶବ୍ଦଟି ଦେଖିଲେ ଏହା ଓଡ଼ିଆ ଆଣ୍ଠୁ ସହିତ ସମ୍ପୃକ୍ତ ବୋଲି ଭ୍ରମ ଜାତ ହେବା ସ୍ୱାଭାବିକ । ମାତ୍ର ବାସ୍ତବରେ ଏହା ଏ ଶବ୍ଦ ସହିତ ସମ୍ପୃକ୍ତ ନୁହେ । ପିଲାପିଲି ଅଭାବରୁ ଆଣ୍ଠୁ କୁଣ୍ଢାଇ ବସିବା ସହିତ ଏ ଶବ୍ଦର କୌଣସି ନିକଟ ସମ୍ବନ୍ଧ ନାହିଁ । ବାସ୍ତବରେ ଏ ଶବ୍ଦଟି ସଂସ୍କୃତ ଆତ୍ତ କୁଳରୁ ଗୃହୀତ (କାଳଦ୍ୱାରା ଗୃହୀତ ବା ନଷ୍ଟ ହୋଇଅଛି କୁଳ ବା ବଂଶ ଯାହାର) । ଏହି ଅର୍ଥଟି ସଙ୍ଗତ, ମାତ୍ର ଶବ୍ଦର ରୂପ ଏପରିଭାବରେ ପରିବର୍ତ୍ତିତ ହୋଇଅଛି ଯେ, ବର୍ତ୍ତମାନ ଏହାର ଅର୍ଥ ଓ ଉତ୍ପତ୍ତି ବିଷୟରେ ନାନା ସନ୍ଦେହ ଜାତ ହେବା ସ୍ୱାଭାବିକ । 'ଶିଶା' ଶବ୍ଦର ରୂପ ଓ ଅର୍ଥରେ ଏହିପରି ବିଶୃଙ୍ଖଳା ଦୃଷ୍ଟ ହୋଇଥାଏ । ସଂସ୍କୃତରେ 'ସୀସକ' ଶବ୍ଦ ପ୍ରଚଳିତ ଓ ଏହି ଶବ୍ଦରୁ ଓଡ଼ିଆ ଶିଶା ଶବ୍ଦ ଉତ୍ପନ୍ନ; ମାତ୍ର ଅନ୍ୟ ଦିଗରେ ପାରସିକ ଭାଷାରେ ଶୀଶ୍ ଶବ୍ଦର ଅର୍ଥ କାଚ ଓ ଏହି ଶବ୍ଦରୁ ଓଡ଼ିଆ 'ଶିଶି' ଶବ୍ଦ ବ୍ୟବ ହୃତ । ଏହି କାରଣରୁ ଓ ସୀସକ ଶବ୍ଦ ବର୍ତ୍ତମାନ 'ଶିଶା'ରେ ପରିଣତ ହୋଇଥିବାରୁ ଆମ୍ଭେମାନେ 'ଶିଶି'ର ମୂଳ ଅର୍ଥ ବିଷୟରେ ସନ୍ଦିହାନ ହୋଇଥାଉଁ । 'ନିଟ୍' (net) ଶବ୍ଦ ଏହିପରି ସଂସ୍କୃତ 'ନିଷ୍ଠା' ସହିତ ସମ୍ପୃକ୍ତ ।