ପୃଷ୍ଠା:Sarala Bhashatattwa.pdf/90

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୮୫

ସରଳ ଭାଷାତ‌ତ୍ତ୍ୱ

ଓଡ଼ିଆରେ 'ନିଷ୍ଠା ଦାମ କେତେ?' ଏଭଳି ବ୍ୟବହାର ମଧ୍ୟ ଅପ୍ରଚଳିତ ନୁହେଁ । ମାତ୍ର 'ନିଟ୍' ଶବ୍ଦ ପୁଣି ଏକ ଦିଗରେ ଇଂରାଜୀ net (net price) ଓ ଅନ୍ୟ ଦିଗରେ neat ଶବ୍ଦ ସହିତ ସମ୍ପୃକ୍ତ ଥିବାରୁ ଏହାର ଅର୍ଥ ବିଷୟରେ ଗୋଳମାଳ ଜାତ ହେବା ସ୍ୱାଭାବିକ । 'ବାବୁରି' ଏପରି ବିଶୃଙ୍ଖଳାର ଆଉ ଏକ ଉଦାହରଣ । ଏହି ଶବ୍ଦଟି ଏକ ଦିଗରେ ଆରବ 'ବବ୍ବର' (ସିଂହ) ଅନ୍ୟ ଦିଗରେ ସଂସ୍କୃତ 'ବର୍ବର' ସହିତ ସମ୍ପୃକ୍ତ ବୋଲି ଧାରଣା କରାଯାଇ ପାରେ । ମାତ୍ର 'ବାବୁ' ଶବ୍ଦ ସହିତ ଏହାର ଧ୍ୱନିଗତ ସାମଞ୍ଜସ୍ୟ ଘଟିଥିବାରୁ ଲୋକେ ଏହାର ଅର୍ଥକୁ ବୁଝି ନ ପାରି ଏହା ବାବୁମାନଙ୍କ ରୀତିର ଅଙ୍ଗସ୍ୱରୂପ ବୋଲି ମନେ କରିଥିଲେ ଏବଂ 'ବାବୁରି'ବାଳ ରଖିବା ଏକ ସମୟରେ ବହୁ ପ୍ରଚଳିତ ଓ ବାବୁତ୍ତ୍ୱସୂଚକ ରୀତି ହୋଇଥିଲା । ପୁଣି ବର୍ତ୍ତମାନ ଯେଉଁ ଶବ୍ଦମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ଥିବା ଆମ୍ଭେମାନେ ଅନୁଭବ କରୁ ନାହିଁ, ସେମାନଙ୍କ ମଧ୍ୟରେ ମଧ୍ୟ ଅର୍ଥଗତ ସମ୍ବନ୍ଧ ଥାଇ ପାରେ । ଚିତଳ ଓ ଫଳି ଦୁଇଟି ଶବ୍ଦ ଓଡ଼ିଆରେ ପ୍ରଚଳିତ । ଦୁଇଟିଯାକ ଶବ୍ଦ ମାଛର ନାମ ହେଲେହେଁ ଏମାନଙ୍କ ମଧ୍ୟରେ ଯେ କିଛି ସାଦୃଶ୍ୟ ଅଛି ତାହା କହି ହେବ ନାହିଁ । କିନ୍ତୁ ବାସ୍ତବରେ 'ଫଳି' ମାଛର ନାମ ସଂସ୍କୃତ 'ଫଳି' ଶବ୍ଦରୁ ଗୃହୀତ ଓ 'ଚିତଳ' ଶବ୍ଦ ସଂସ୍କୃତ 'ଚିତ୍ରଫଳି' ଶବ୍ଦରୁ ଉତ୍ପନ୍ନ । 'ଚିତ୍ରଫଳି'ର ଅର୍ଥ ବୃହତ୍ ଫଳି । ଚିତଳ ଓ ଫଳିମାଛର ଆକୃତିଗତ ସାଦୃଶ୍ୟରୁ ଏହି ଦୁଇଗୋଟି ଶବ୍ଦ ଭାଷାରେ ପ୍ରଚଳିତ । ଅନେକ ସମୟରେ ଶବ୍ଦର ଅର୍ଥରେ ପୂର୍ବ ଇତିହାସର ଇଙ୍ଗିତ ଥାଏ । ଏପରି ଇତିହାସ ଆମ୍ଭେମାନେ 'ଥାନ'ରେ ପାଇ ଥାଉଁ । ଥାନଲୁଗାରେ ଧଡ଼ି ନ ଥାଏ ଓ ପୂର୍ବେ ଏହା ବାସ୍ତବିକ ବୃହତ୍ ଥାନରୁ କଟାଯାଇ ପରିମାଣାନୁସାରେ ବ୍ୟବହୃତ ହେଉଥିଲା । ଓଡ଼ିଆ 'ବାଲେଶ୍ୱରୀ' ଶବ୍ଦରେ ମଧ୍ୟ ଏହିପରି ଇତିହାସ ଅଛି । ପୂର୍ବେ ବାଲେଶ୍ୱରଠାରେ ବନ୍ଦର ଥିବାରୁ ଓ ଏହି ବନ୍ଦର ବାଟେ ନାନା ପଦାର୍ଥ ବିଶେଷତଃ ମେଦିନୀପୁର ଜିଲାରେ ଉତ୍ପନ୍ନ ଧୂଆଁପତ୍ର ଓଡ଼ିଶାକୁ ଆସୁଥିବାରୁ ଏହାକୁ ବାଲେଶ୍ୱରୀ କୁହାଯାଉଥିଲା । ପ୍ରତ୍ୟେକ ଶବ୍ଦର ଏହିପରି ଅର୍ଥଗତ ଇତିହାସ ଅଛି ଓ ଏହି ଇତିହାସ ସମ୍ୟକ ଆଲୋଚିତ ନ ହୋଇ ପାରିଲେ ଭାଷା ସମ୍ବନ୍ଧରେ ପୂର୍ଣ୍ଣ ଜ୍ଞାନଲାଭ କରିବା ସମ୍ଭବ ହେବ ନାହିଁ ।

ଭାଷାରେ ବ୍ୟବହୃତ ଶବ୍ଦମାନଙ୍କର ଅର୍ଥ ପରିବର୍ତ୍ତନର ଆଉ କେତୋଟି ଗୌଣ କାରଣ ଅଛି । ଯଥା:- ବକ୍ତାର ଆଶୟ, କହିବାର ଭଙ୍ଗୀ, ଧର୍ମଗତ ପ୍ରଭୃତି । ସ୍କୁଲରେ ବା କର୍ମକ୍ଷେତ୍ରରେ 'ଚାରିଟା ବାଜିଲାଣି' କହିବା ଦ୍ୱାରା ବକ୍ତାର ଘରକୁ ଯିବାର ଆଗ୍ରହ, କର୍ମ ବିରତିରେ ଆନନ୍ଦ, କ୍ଳାନ୍ତିର ଆଭାସ ପ୍ରଭୃତି ନାନା