ପୃଷ୍ଠା:Sarala Bhashatattwa.pdf/91

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


୮୬

ସରଳ ଭାଷାତ‌ତ୍ୱ

ଭାବ ବ୍ୟକ୍ତ ହୋଇ ପାରେ । କହିବାର ଭଙ୍ଗୀ ବା କାକୁଦ୍ୱାରା ପ୍ରଶ୍ନ, ବିସ୍ମୟ, ଆନନ୍ଦ ମଧ୍ୟ ସୂଚିତ ହୋଇ ପାରେ । ଯଥା:- 'ସେ ଆସିଲାଣି' ଏହାକୁ ସାଧାରଣ ଭାବରେ କହିଲେ ଜଣେ ବିଶେଷ ଲୋକର ଆସିବା ବୁଝାଏ । କିନ୍ତୁ ବକ୍ତା କହିବାର ସ୍ୱର ବଦଳାଇ କହିଲେ ଏହାଦ୍ୱାରା ପ୍ରଶ୍ନ ଓ ବିସ୍ମୟ ମଧ୍ୟ ସୂଚିତ ହୋଇ ପାରେ । ଏଗୁଡ଼ିକର ସୂକ୍ଷ୍ମ ଆଲୋଚନା କରିବା ଅସମ୍ଭବ । ମାତ୍ର ଲିଖିତ ଭାଷାରେ ମାତ୍ରାଚିହ୍ନ‌ଦ୍ୱାରା ଓ କଥିତ ଭାଷାରେ ଉଚ୍ଚାରଣର ପାର୍ଥକ୍ୟଦ୍ୱାରା ଏହିପରି ଅର୍ଥର ପରିବର୍ତ୍ତନ ଆମ୍ଭେମାନେ ସଚରାଚର ଦେଖିଥାଉଁ । ପୁଣି ସେ 'ଆଲ୍ଲା ଭଜିଲେଣି' ଏହି ବାକ୍ୟ ଉଚ୍ଚାରଣ ଦ୍ବାରା କୌଣସି ହିନ୍ଦୁ ଅପର ହିନ୍ଦୁର ବିପଦରେ ପଡ଼ିବା ବା କିଂକର୍ତ୍ତବ୍ୟବିମୂଢ଼ ହେବାର ଉଲ୍ଲେଖ କରିପାରେ । ଏପରି ବ୍ୟବହାର ବକ୍ତାର ଧର୍ମମତଦ୍ୱାରା ଓ ମୁସଲମାନ ରାଜତ୍ତ୍ୱ ସମୟରେ ବିପଦ୍‌ଗ୍ରସ୍ତ ଲୋକଙ୍କର ମୁସଲମାନ ଧର୍ମ ଗ୍ରହଣ ପ୍ରଚେଷ୍ଟାଦ୍ୱାରା ପ୍ରଭାବିତ ହୋଇଥିବା ସମ୍ଭବ । ମାତ୍ର ଏସବୁ ବ୍ୟବହାରର ନିଶ୍ଚୟତା ଓ ନିର୍ଦ୍ଦିଷ୍ଟତା ନ ଥିବାରୁ ଭାଷାତତ୍ତ୍ବ ଆଲୋଚନା ସମୟରେ ଏସବୁ ବିଷୟରେ କୌଣସି ସୁସ୍ପଷ୍ଟ ଇଙ୍ଗିତ ଦେବା ସମ୍ଭବପର ହୁଏ ନାହିଁ । ଓଡ଼ିଆ ଭାଷାର ଅଧିକାଂଶ ଶବ୍ଦ ସଂସ୍କୃତରୁ ଉତ୍ପନ୍ନ, ଏଥିରେ ସନ୍ଦେହ ନାହିଁ । ମାତ୍ର ଅନେକ ଓଡ଼ିଆ ଶବ୍ଦ ଅବିକୃତଭାବରେ ସଂସ୍କୃତରୁ ଗୃହୀତ ହୋଇଥିଲେହେଁ ସେମାନେ ଓଡ଼ିଆରେ ଭିନ୍ନ ଅର୍ଥରେ ବ୍ୟବ‌ହୃତ ହେଉଅଛନ୍ତି । ଏମାନଙ୍କୁ ବର୍ତ୍ତମାନ 'ତତ୍ ସମ' ଶବ୍ଦ ବୋଲି ନିର୍ଦ୍ଦେଶିତ କରିବାରେ ଆଦୌ ସାର୍ଥକତା ନାହିଁ । ଅତି ସାଧାରଣ ସଂଯୋଜକ ଅବ୍ୟୟ 'ଏବଂ' ବର୍ତ୍ତମାନ ଓଡ଼ିଆ ବା ବଙ୍ଗଳା ଭାଷାରେ ଯେ ଅର୍ଥରେ ବ୍ୟବହୃତ ହୁଏ, ସଂସ୍କୃତରେ ତାହାର ସେ ଅର୍ଥ ନ ଥିଲା । ସଂସ୍କୃତରେ 'ଅପରୂପ'ର ଅର୍ଥ କୁତ୍ସିତ; କିନ୍ତୁ ଓଡ଼ିଆରେ ଏହା ବିସ୍ମୟକର ବା ସୁନ୍ଦର ଅର୍ଥରେ ବ୍ୟବହୃତ । ସମ୍ଭବତଃ 'ଅପୂର୍ବ' ସହିତ ରୂପଗତ ସାମ୍ୟରୁ ଏପରି ଅର୍ଥବିକୃତି ଘଟିଅଛି । 'ଇତିକଥା'ର ସଂସ୍କତରେ ଅର୍ଥ ମିଥ୍ୟା କଥା, କିନ୍ତୁ ଓଡ଼ିଆରେ 'ଇତିହାସ' ସହିତ ଗୋଳମାଳ ହେତୁରୁ ଏହା ଭିନ୍ନ ଅର୍ଥରେ ବ୍ୟବହୃତ । 'ଚୁମ୍ବକ' ଓଡ଼ିଆରେ ସଂକ୍ଷିପ୍ତ ଅର୍ଥରେ ବହୁ ପ୍ରଚଳିତ (ଚୁମ୍ବକ ନକଲ, ଚୁମ୍ବକ ନକ୍ସା ଇତ୍ୟାଦି) କିନ୍ତୁ ଏ ଶବ୍ଦଟିର ସଂସ୍କୃତରେ ଅର୍ଥ ଯେଉଁ ଲୋକ ବହୁ ଗ୍ରନ୍ଥ ଅଧ୍ୟୟନ କରିଅଛି । 'ଅର୍ବାଚୀନ' ଶବ୍ଦର ସଂସ୍କୃତରେ ଅର୍ଥ ନୂତନ, ଓଡ଼ିଆରେ ଏ ଶବ୍ଦଟି ମୂର୍ଖ ଅର୍ଥରେ ବ୍ୟବହୃତ । 'ରାଷ୍ଟ୍ର' ସଂସ୍କୃତରେ 'ଦେଶ' ଅର୍ଥରେ ବ୍ୟବହୃତ, ଓଡ଼ିଆରେ 'ଜଣାଜଣି' ହେବା ଅର୍ଥ ମଧ୍ୟ ପ୍ରଚଳିତ । ଅବଶ୍ୟ ଏ ଦୁଇ ଅର୍ଥର ସମ୍ପର୍କ ସୁସ୍ପଷ୍ଟ । ଭାସ୍କର୍ଯ୍ୟ, ମର୍ମର, ଭାସମାନ ପ୍ରଭୃତି ଶବ୍ଦ ଯେଉଁ ଅର୍ଥରେ