ଓଡ଼ିଆରେ ବ୍ୟବହୃତ, ସଂସ୍କୃତରେ ସେହି ଅର୍ଥ ସୂଚିତ କରେ ନାହିଁ ଓ ବିଭ୍ରାଟ, ରହସ୍ୟ, ଶ୍ଳେଷ ପ୍ରଭୃତି ଶବ୍ଦ ମଧ୍ୟ ଓଡ଼ିଆରେ ଯେପରି ଅର୍ଥରେ ବ୍ୟବହୃତ ସଂସ୍କୃତରେ ସେପରି ଅର୍ଥ ପ୍ରଚଳିତ ନୁହେଁ । ସଂସ୍କୃତରେ 'ସେନାନୀ'ର ଅର୍ଥ ସେନାପତି, ଓଡ଼ିଆରେ ଏହି ଶବ୍ଦର ଅର୍ଥ 'ସୈନ୍ୟମାନେ'। 'ଉପନ୍ୟାସ' ଶବ୍ଦ ଓଡ଼ିଆରେ 'novel'ର ଅନୁବାଦରୂପେ ପ୍ରଚଳିତ, ମାତ୍ର ଶବ୍ଦଟି ସଂସ୍କୃତ ଭାଷାରୁ ଗୃହୀତ ହେଲେହେଁ, ଏହି ଅର୍ଥ ସଂସ୍କୃତ ଭାଷାରେ ନାହିଁ । ଏହିପରି ଶତ ଶତ ସଂସ୍କୃତ ଶବ୍ଦ ଓଡ଼ିଆ ଭାଷାରେ ସ୍ୱୀକୃତ ହୋଇଥିଲେହେଁ ସେମାନଙ୍କର ଅର୍ଥଗତ ବିକୃତି ସାଧିତ ହୋଇଅଛି ।
ଶବ୍ଦର ରୂପଗତ ବିକୃତିରେ ଯେପରି, ଅର୍ଥଗତ ବିକୃତିରେ ମଧ୍ୟ ସେହିପରି ବିକୃତିର କ୍ରମ ଓ ସ୍ତର ବିଷୟରେ ସୁସ୍ପଷ୍ଟଭାବରେ ନିର୍ଦ୍ଦେଶ ଦେବାକୁ ହେବ । ପ୍ରତ୍ୟେକ ବିକୃତି ଆସ୍ତେ ଆସ୍ତେ ଭାଷାରେ ପ୍ରବେଶ ଲାଭ କରିଅଛି, ପ୍ରତ୍ୟେକ ବିକୃତିର ଇତିହାସ ଅଛି । ସଂସ୍କୃତ 'ଏବଂ' ବା 'ପ୍ରଶସ୍ତ' ଶବ୍ଦର ଅର୍ଥ ସହିତ ଓଡ଼ିଆ 'ପ୍ରଶସ୍ତ' ବା 'ଏବଂ' ଶବ୍ଦର ଅର୍ଥର ପାର୍ଥକ୍ୟ ନିର୍ଦ୍ଦେଶ କଲେ ଓ ବିକାରର ସ୍ୱରୂପ ମାତ୍ର ଦେଖାଇଦେଲେ ଭାଷାତତ୍ତ୍ୱ ପକ୍ଷରେ ଯଥେଷ୍ଟ ହେଲା ନାହିଁ । କେଉଁ ସ୍ତରରେ କିପରି କ୍ରମରେ କେଉଁ ଲେଖାରେ କିପରି ପରିସ୍ଥିତିରେ ଏପରି ବିକାର ସାଧିତ ହୋଇଅଛି, ତାହାର ଯଥାଯଥ ଓ ପ୍ରାମାଣିକ ସମ୍ବାଦ ସଂଗ୍ରହ କରିବା ଏକାନ୍ତ ଆବଶ୍ୟକ ଓ ଏପରି ଆଲୋଚନା ନ କରି କେବଳ ଅନୁମାନ ଉପରେ ନିର୍ଭର କରି ଭାଷା ବିଷୟରେ କୌଣସି ଗବେଷଣା କରିବା ଅସମ୍ଭବ ।
ଶବ୍ଦର ବ୍ୟାକରଣ ଗତ ପ୍ରୟୋଗବିଧି ଶବ୍ଦର ଧ୍ୱନିଗତ ଓ ଅର୍ଥଗତ ରୂପ ଛଡ଼ା ଗୋଟିଏ ବ୍ୟବହାରଗତ ରୂପ ଅଛି ଓ ଏହି ରୂପ ବ୍ୟାକରଣ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଶବ୍ଦର ପ୍ରୟୋଗଗତ ବିକୃତି ବା ବାକ୍ୟ ମଧ୍ୟରେ ଅବସ୍ଥାନ ଦ୍ୱାରା ଅର୍ଥରେ ଯେଉଁ ପରିବର୍ତ୍ତନ ସାଧିତ ହୁଏ, ତାହାହିଁ ବ୍ୟାକରଣର ଆଲୋଚ୍ୟ ବସ୍ତୁ । ଏକ ଦିଗରେ ବ୍ୟାକରଣ ଶବ୍ଦର ଅର୍ଥକୁ ସୁଷ୍ପଷ୍ଟ ଓ ନିର୍ଦ୍ଦିଷ୍ଟ କରେ, ଅନ୍ୟ ଦିଗରେ ସାମାନ୍ୟ ପରିବର୍ତ୍ତନର ଇଙ୍ଗିତ ଦେବା ନିମନ୍ତେ ବିଶେଷ ସଙ୍କେତର ବ୍ୟବହାରକୁ ନିୟନ୍ତ୍ରିତ କରେ, ଏଣୁ ବ୍ୟାକରଣଦ୍ୱାରା ଶବ୍ଦର ଅର୍ଥପ୍ରକାଶିକା ଶକ୍ତି ସ୍ଥିରଭିତ୍ତି ଉପରେ ପ୍ରତିଷ୍ଠିତ ହୋଇଥାଏ । ଭାଷା ମୂଳତଃ ଶବ୍ଦ ଉପରେ ପ୍ରତିଷ୍ଠିତ ହେଲେହେଁ ଶବ୍ଦ ସମଷ୍ଟିଜାତ ବାକ୍ୟହିଁ ତାହାର ମୂଳ ବସ୍ତୁ ଓ ସୁସଙ୍ଗତଭାବରେ ଅର୍ଥ ପ୍ରକାଶିତ କରିବାକୁ ହେଲେ ଶବ୍ଦମାନଙ୍କ ମଧ୍ୟରେ ପରସ୍ପର ସମ୍ବନ୍ଧ ନିର୍ଣ୍ଣୟ କରିବାକୁ ହୁଏ ଓ