Jump to content

ପୃଷ୍ଠା:Sarala Bhashatattwa.pdf/95

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରତି ଦୃଷ୍ଟି ଆକୃଷ୍ଟ କରିବା ନିମନ୍ତେ ତାହାକୁ ପରବର୍ତ୍ତୀ ସ୍ଥାନ ଦିଆଗଲା । କ୍ରମଶଃ ଗୁଣସୂଚକ ଶବ୍ଦମାନଙ୍କର ବ୍ୟବହାର, ବାକ୍ୟ ମଧ୍ୟରେ କର୍ତ୍ତା, କର୍ମ ପ୍ରଭୃତିର ବିଭେଦ ଜ୍ଞାନ, ନାନାପ୍ରକାର ବାକ୍ୟରୀତି ଓ ପଦ୍ଧତିର ଅନୁସରଣଦ୍ୱାରା ଶବ୍ଦମାନଙ୍କର ବାକ୍ୟରେ ଅବସ୍ଥାନ ବିଷୟରେ ବର୍ତ୍ତମାନ ବ୍ୟାକରଣର ନାନା ନିୟମ ପ୍ରଚଳିତ ହେବା ସହଜରେ ଅନୁମେୟ । ଅତି ପ୍ରାଚୀନ‌କାଳରେ ଶବ୍ଦର ଅବସ୍ଥାନହିଁ ଏକମାତ୍ର ବ୍ୟବହାରଗତ କୃତ୍ରିମତାର ନିଦର୍ଶନ ବୋଲି ପରିଗଣିତ ହୋଇଥିଲା । ବର୍ତ୍ତମାନ ଚୀନ ଭାଷାରେ ଶବ୍ଦର ଅବସ୍ଥାନ ଶବ୍ଦ ସମ୍ବନ୍ଧ ନିରୂପଣ ବା ଅର୍ଥ ଗ୍ରହଣର ଏକମାତ୍ର ଉପାୟ । ଏପରି କି ବ୍ୟାକରଣଗତ ନାନା ପ୍ରକ୍ରିୟାଦ୍ୱାରା ପୁଷ୍ଟ ବୈଦିକ ଭାଷାରେ ମଧ୍ୟ ଭବତି ଭିକ୍ଷାଂ ଦଦାତୁ ଓ ଭିକ୍ଷାଂ ଦଦାତୁ ଭବତି ଅଥବା ଭିକ୍ଷାଂ ଭବତି ଦଦାତୁ ମଧ୍ୟରେ କୃତ୍ରିମ ପାର୍ଥକ୍ୟ ସୂଚିତ ହେଉଥିଲା; କିନ୍ତୁ ଭାଷାର ଏହି ସ୍ତର ବିଷୟରେ ଆମ୍ଭମାନଙ୍କର ଜ୍ଞାନ ଯତ୍ ସାମାନ୍ୟ ।

ଭାଷାର ଦ୍ୱିତୀୟ ସ୍ତରରେ ଶବ୍ଦର ଦ୍ୱିରୁକ୍ତି ନିଶ୍ଚୟ ଦେଖା ଦେଇଥିବ, ଅର୍ଥାତ୍ ବହୁତ ଲୋକ ନିର୍ଦ୍ଦେଶିତ କରିବା ନିମନ୍ତେ 'ଲୋକଲୋକ' ଏହିପରି ବ୍ୟବହାର ପ୍ରଚଳିତ ହୋଇଥିବା ସମ୍ଭବ । କ୍ରମଶଃ ଗତ କାର୍ଯ୍ୟର ନିଶ୍ଚୟତା ସୂଚିତ କରିବା ନିମନ୍ତେ ମଧ୍ୟ ଏହିପରି ଦ୍ୱିରୁକ୍ତି ବ୍ୟବହୃତ ହୋଇଥିବ ଅର୍ଥାତ୍ ଗମନ କରିବା କାର୍ଯ୍ୟ ବିଷୟରେ ସ୍ଥିରନିଶ୍ଚୟତା ଓ ତାହାର ସମ୍ପନ୍ନ ହୋଇଥିବା ଅର୍ଥ ପ୍ରକାଶିତ କରିବା ନିମନ୍ତେ 'ଗମ ଗମ'(ପରେ ଜଗାମ) ଏହିପରି ବ୍ୟବହାର ପ୍ରଚଳିତ ହୋଇଥିବା ସମ୍ଭବ । କ୍ରମଶଃ ଆଧିକ୍ୟ, ନିଶ୍ଚୟତା ପ୍ରଭୃତି ସୂଚିତ କରିବା ନିମନ୍ତେ ଏହିପରି ଦ୍ୱିରୁକ୍ତି ଭାଷାରେ ବ୍ୟବହୃତ ହୋଇଥାଇ ପାରେ ଓ ଏପରି ବ୍ୟବହାରର ନିଦର୍ଶନ ଆମ୍ଭେମାନେ ଓଡ଼ିଆ ଦଧି, ଦରିଦ୍ର, ଦଦ୍ରୁ (ଯାଦୁର ସଂସ୍କୃତ ରୂପ) ପ୍ରଭୃତି ଶବ୍ଦରେ ନିତ୍ୟ ଦେଖିଥାଉଁ । ଏପରି କି ନାନା, ପିମ୍ପୁଡ଼ି ପ୍ରଭୃତି ଶବ୍ଦରେ ମଧ୍ୟ ଏହିପରି ଦ୍ୱିରୁକ୍ତିର ପ୍ରଭାବ ବର୍ତ୍ତମାନ । ଦ୍ୱିରୁକ୍ତିଦ୍ୱାରା ଅର୍ଥ ନିୟନ୍ତ୍ରିତ କରିବାର ଚେଷ୍ଟା ବହୁ ପ୍ରାଚୀନ ଓ ବର୍ତ୍ତମାନ ଓଡ଼ିଆ ଭାଷାରେ ଦ୍ୱିରୁକ୍ତିର ନାନା ଉଦାହରଣ ମଧ୍ୟ ଦେଖାଯାଇଥାଏ । 'ସେ ବଡ଼ ବଡ଼ ବହି ପଢ଼ିଲାଣି' କହିଲେ ଆମ୍ଭେମାନେ ଅନେକ ବଡ଼ ବହି ( ଅର୍ଥାତ୍ ସଂଖ୍ୟାର ବହୁତ୍ୱ) ବୁଝୁଁ, 'ଗରମ ଗରମ ଲୁଚି ଆଣ' କହିଲେ ଅନେକ ମାତ୍ର ପ୍ରତ୍ୟେକଟି ଗରମ ଏହି ଅର୍ଥର ଇଙ୍ଗିତ ପାଉଁ; 'ଭାତ ମିଠା ମିଠା ଲାଗୁଛି' କହିଲେ ଦ୍ୱିରୁକ୍ତିଦ୍ବାରା ମିଠାର ଅଳ୍ପତ୍ୱ ସୂଚିତ ହୋଇଥାଏ, ପୁଣି 'ଶୀଘ୍ର ଶୀଘ୍ର ଆସ'ରେ ଦ୍ୱିରୁକ୍ତିଦ୍ୱାରା 'ଅତି ଶୀଘ୍ର' ଏହି ଅର୍ଥ ପ୍ରକାଶିତ ହୋଇଥାଏ । ବର୍ତ୍ତମାନ ଓଡ଼ିଆ ଭାଷାରେ