ପୃଷ୍ଠା:Sarala Bhashatattwa.pdf/96

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦ୍ୱିରୁକ୍ତିର ଏହି ପ୍ରକାର ନାନାବିଧ ବ୍ୟବହାର ଅତି ପ୍ରାଚୀନ ଯୁଗରେ ପ୍ରଚଳିତ ରୀତିର ସ୍ମାରକ ମାତ୍ର । ସେହି ପ୍ରାଚୀନ ରୀତିରୁ ଯେ ବର୍ତ୍ତମାନ ପଦ୍ଧତି ଉଦ୍ଭୂତ ହୋଇଅଛି, ଏଥିରେ ସନ୍ଦେହ ନାହିଁ । ଭାଷାର ଏହି ପ୍ରାଚୀନ ସ୍ତର ବିଷୟରେ ଆମ୍ଭମାନଙ୍କର କୌଣସି ସୁସ୍ପଷ୍ଟ ଜ୍ଞାନ ବର୍ତ୍ତମାନ ନାହିଁ ଓ ଏ ବିଷୟରେ ଆଲୋଚନା ବେଳେ କେବଳ ଅନୁମାନ ଉପରେ ନିର୍ଭର କରିବାକୁ ହୁଏ ।

ବ୍ୟାକରଣର ସଙ୍କେତ:- ବ୍ୟାକରଣର ଆଜିକାଲି ପରିଣତି ସାଙ୍କେତିକ ଧ୍ୱନିମାନଙ୍କର ଯୋଗଦ୍ୱାରା ବା ଶବ୍ଦର ସାମାନ୍ୟ ବିକୃତିଦ୍ୱାରା ଅର୍ଥ ପରିବର୍ତ୍ତନ କରିବାର ରୀତି ମଧ୍ୟରେ ନିହିତ ରହିଅଛି । ଏହି ସାଙ୍କେତିକ ଧ୍ୱନିମାନଙ୍କ ଦ୍ବାରା ଗୋଟିଏ ଶବ୍ଦ ସ‌ହିତ ଅନ୍ୟ ଶବ୍ଦର ସମ୍ପର୍କ ସ୍ଥିରଭାବରେ ନିର୍ଦ୍ଦିଷ୍ଟ ହୋଇଥାଏ । ପୂର୍ବେ 'ରାମ ବହି' କହିଲେ ରାମ ଶବ୍ଦର ଅବସ୍ଥାନ ଦ୍ବାରା ତାହା ସହିତ ବହିର ସମ୍ବନ୍ଧ ନିର୍ଣ୍ଣୀତ ହେଉଥିଲା । ମାତ୍ର ଏହା ସୁସ୍ପଷ୍ଟ ନୁହେଁ । ଏଣୁ 'ରାମର ବହି' ଏହା କହିବାଦ୍ୱାରା ରାମ ସହିତ ବହିର ସମ୍ବନ୍ଧ ସ୍ଥିରଭାବରେ ପ୍ରକାଶିତ ହେଲା ଏବଂ ସଙ୍କେତ ଚିହ୍ନର ବ୍ୟବ‌ହାର ପରେ 'ରାମର ବହି' ଓ ବହି ରାମର' ଏ ଉଭୟ ପ୍ରକାର ବ୍ୟବହାର ଦ୍ୱାରା ଏକ ଅର୍ଥ ପ୍ରକାଶିତ ହେଲା ଅର୍ଥାତ୍ ଶବ୍ଦର ଅବସ୍ଥାନ ବିଷୟରେ ଆଉ କୌଣସି ନିର୍ଦ୍ଦେଶ ପ୍ରୟୋଜନ ହେଲା ନାହିଁ । 'ର' ବାସ୍ତବିକ ଗୋଟିଏ ବ୍ୟାକରଣଗତ ସଙ୍କେତ । 'ରାମ ଗ୍ରାମରୁ ଆସିଚି' ଏଠାରେ 'ରୁ' ଓ 'ଚି' ଉଭୟେ ସଙ୍କେତ, 'ଆଜି ହାଡ଼ିଆଣୀ ଘରେ ଅଛି' ଏଠାରେ ମଧ୍ୟ ଆଣୀ ଓ ଏ ଉଭୟ ସଙ୍କେତ ଓ ଏପରି ବ୍ୟାକରଣଗତ ସଙ୍କେତଦ୍ୱାରା ଏକ ପକ୍ଷରେ ହାଡ଼ି ବିଷୟରେ ଧାରଣା ସ୍ପଷ୍ଟତର ହେଉଅଛି, ଅନ୍ୟ ପକ୍ଷରେ ଘର ସହିତ ତାହାର ସମ୍ପର୍କ ବିଷୟରେ ମଧ୍ୟ ଇଙ୍ଗିତ ଦିଆଯାଉଅଛି । ବ୍ୟାକରଣର ପ୍ରତ୍ୟୟ, ବିଭକ୍ତି, ଉପପଦ, ଉପସର୍ଗ, ସମାସ ପ୍ରଭୃତି ଏହିପରି ଶବ୍ଦମାନଙ୍କର ସମ୍ପର୍କ ନିର୍ଦ୍ଦେଶ କରିଥାଏ ଓ ଭାଷାର ବ୍ୟବହାର ସମୟରେ ଆମ୍ଭମାନଙ୍କୁ ଏସବୁ ପ୍ରତି ଅବହିତ ହେବାକୁ ହୁଏ ।

ଏହି ସଙ୍କେତମାନ କେବେ କିପରି ଭାବରେ ଆବିଷ୍କୃତ ଓ ବ୍ୟବହୃତ ହେଲା? ଭାଷାର ପ୍ରଥମ ଅବସ୍ଥାରେ ନିଶ୍ଚୟ ଏହି ସଙ୍କେତର କୌଣସି ଚିହ୍ନ ନ ଥିଲା । ଅନେକଙ୍କ ମତରେ ଏହି ସଙ୍କେତଗୁଡିକ ବାସ୍ତବରେ ପୂର୍ବେ ପୂର୍ଣ୍ଣପଦ ଥିଲା । କ୍ରମଶଃ କ୍ଷୟପ୍ରାପ୍ତ ହୋଇ ଏଗୁଡ଼ିକ ବର୍ତ୍ତମାନ ସଙ୍କେତ ମାତ୍ରରେ ପରିଣତ ହୋଇଅଛି । ଓଡ଼ିଆ ଭାଷାର ଆଲୋଚନା କଲେ ଏହି ଧାରଣ ଦୃଢ଼ତର ହୋଇଥାଏ । କାରଣ ଅନେକ ପ୍ରକାର ସାଙ୍କେତିକ ଚିହ୍ନର ମୂଳ ଶବ୍ଦ ମଧ୍ୟ ଓଡ଼ିଆରେ ସୁପ୍ରଚଳିତ; ଆସିଅଛି, ଆସିଛି, ଆସିଚି ପ୍ରଭୃତି ସମସ୍ତ ପ୍ରକାରର