ପୃଷ୍ଠା:Sarala Bhashatattwa.pdf/98

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୯୩

ସରଳ ଭାଷାତ‌ତ୍ତ୍ୱ

'ଗ୍ରାମ' ବାସ୍ତବରେ ବ‌ହୁତ୍ୱସୂଚକ, 'ସ୍ତ୍ରୀଲୋକ' ଶବ୍ଦରେ 'ଲୋକ' ଟି ହିନ୍ଦୀ ବହୁବଚନର ଚିହ୍ନ 'ଲୋଗ୍'ର ଅନୁକୃତି (ଯଥା:- ଓକିଲ ଲୋଗ, ଆଦମି ଲୋଗ୍ ଇତ୍ୟାଦି); ବକରୀ ଶବ୍ଦ ଆରବ ଭାଷାରୁ ଗୃହୀତ ସ୍ତ୍ରୀଲିଙ୍ଗସୂଚକ ଈ ଯୁକ୍ତ (ଏହାର ପୁଂଲିଙ୍ଗ ଶବ୍ଦ ବକ୍ ର ଓଡ଼ିଆରେ ଅପ୍ରଚଳିତ ହୋଇଥିବାରୁ ବକରୀ ସାଧାରଣତଃ ସବୁ ପ୍ରକାର ଛେଳି ପ୍ରତି ପ୍ରଯୁକ୍ତ ହୋଇଥାଏ), ଗୁରୁତର ଶବ୍ଦର ତର ବାସ୍ତବରେ ସଂସ୍କୃତ ତୁଳନାସୂଚକ ତର ନୁହେଁ, ଏହା ହିନ୍ଦୀ ତରହ୍ ଶବ୍ଦରୁ ଉତ୍ପନ୍ନ (ଯଥା - ବେତର୍) ଓ ସଂସ୍କୃତ ତର ସହିତ ବିଶୃଙ୍ଖଳ ଭାବରେ ବ୍ୟବ‌ହୃତ, (ଏହି ବ୍ୟବହାର ଓଡ଼ିଆ ନାନା ପୁସ୍ତକରେ ଦେଖାଯାଏ, ଯଥା- ମନ୍ତ୍ରଣା ଗୁରୁତର (ବିବାସିନୀ), ଶିବ ତହିଁରେ ଗୁରୁତର ସ୍ନେହୀ, 'ତର' ସଙ୍କେତରେ ଏପରି ବ୍ୟବହାର କେବଳ ଆଉ ଗୋଟିଏ ଓଡ଼ିଆ ଶବ୍ଦରେ ଦେଖାଯାଏ, ଯଥା- ବହୁତର= ବହୁତ ପ୍ରକାରେ) ଏହି କାରଣରୁ 'ଭାବ'ର ପ୍ରୟୋଗଦ୍ୱାରା ଦ୍ୱିରୁକ୍ତି ଦୋଷ ଘଟୁଅଛି ।

ବ୍ୟାକରଣ ଗତ ସଙ୍କେତ ନାନା ପ୍ରକାର । ପ୍ରଥମେ ଶବ୍ଦକୁ ବିଶେଷ୍ୟ, ବିଶେଷଣ ବା କ୍ରିୟା ପ୍ରଭୃତି ଭାବରେ ପରିଚିତ କରିବା ପାଇଁ ନାନା ପ୍ରକାର ସଙ୍କେତ ବ୍ୟବହୃତ ହୋଇଥାଏ । ଗୋଟିଏ ଶବ୍ଦକୁ ଅନ୍ୟ ପ୍ରକାରରେ ବ୍ୟବହାର କରିବା ନିମନ୍ତେ ଏହିପରି ଚିହ୍ନ ବ୍ୟବହୃତ ହୁଏ । ଯଥା- ମନ ଗୋଟିଏ ଶବ୍ଦ, ଏହି ଶବ୍ଦ ସହିତ ମନେଇବା, ମନୁଆ, ମନାଣ ପ୍ରଭୃତି ଶବ୍ଦ ସମ୍ପୃକ୍ତ । ଏ ସବୁ ସାଙ୍କେତିକ ଚିହ୍ନ ଦ୍ୱାରା ଅର୍ଥର ପାର୍ଥକ୍ୟ ମଧ୍ୟ ସୂଚିତ ହୁଏ । ପୁଣି ପ୍ରତ୍ୟେକ ବିଶେଷ୍ୟ ପଦର ଏକତ୍ୱ ବା ବହୁତ୍ୱସୂଚକ ବଚନ, ସ୍ତ୍ରୀ ବା ପୁଂ ସୂଚକ ଲିଙ୍ଗ, କ୍ରିୟା ବା ଅନ୍ୟ ବିଶେଷ୍ୟ ସ‌ହିତ ସମ୍ବନ୍ଧସୂଚକ କାରକ ପ୍ରଭୃତି ମଧ୍ୟ କଳ୍ପିତ ହୋଇଥାଏ ଓ କ୍ରିୟାର ମଧ୍ୟ କାଳ, ବାଚ୍ୟ ପ୍ରଭୃତି କଳ୍ପିତ ହୋଇଥାଏ । ଏକ ସମୟରେ ଏହି ସବୁ ପ୍ରୟୋଗର ମୂଳରେ କୌଣସି ଅର୍ଥ ସୂଚକ ପଦ ଥିଲେହେଁ ବର୍ତ୍ତମାନ ଏଗୁଡ଼ିକ କାଳ୍ପନିକ ସଙ୍କେତ ମାତ୍ର ଏହା ମନେ ରଖିବାକୁ ହେବ । ବର୍ତ୍ତମାନ ବ୍ୟାକରଣରେ ଏମାନଙ୍କର ପ୍ରୟୋଗମାତ୍ରକୁ ଲକ୍ଷ୍ୟ କରାଗଲେହେଁ ଭାଷାତ‌ତ୍ତ୍ୱରେ ଏମାନଙ୍କର ଉତ୍ପତ୍ତି ଓ ଇତିହାସ ବିଷୟରେ ଅନୁସନ୍ଧାନ କରିବା ପ୍ରୟୋଜନ ହୋଇଥାଏ ।

ଭାଷାର ପ୍ରଥମ ଅବସ୍ଥାରେ ଯେତେବେଳେ ସଙ୍କେତମାନଙ୍କର ସୃଷ୍ଟିହେଲା, ତେତେବେଳେ ପ୍ରତ୍ୟେକ ଶବ୍ଦ ସହିତ ସଙ୍କେତ ଯୁକ୍ତ କରି ସେମାନଙ୍କର ପ୍ରୟୋଗ ବିଷୟରେ ସ୍ଥିର ନିର୍ଦ୍ଦେଶ ଦେବାର ଚେଷ୍ଟା କରାଯାଇଥିଲା । ଭାଷାର ପ୍ରଥମ ଅବସ୍ଥାରେ ବ୍ୟାକରଣଗତ ସଙ୍କେତମାନଙ୍କର ଆଧିପତ୍ୟ ଅତ୍ୟନ୍ତ ଅଧିକ