ପୃଷ୍ଠା:Sashi Sena.pdf/୧୦୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୮
ଶଶିସେଣା
 

ୟେଡ଼େ ମିଛ କଥା କେହୁ କ‌ହିଲାକ ପୁଣ ।
ତାହାର ମୋହୋର ଆଜ ହୋଇବ ପ୍ରମାଣ ହେ । ୭୧ ।
ଆଡ଼ତିଆ ଲେଙ୍କାକୁ ବୋଇଲେ ଶଶିଧର ।
ମାଲୁଣୀ ଘରକୁ ତୁମ୍ଭେ ଯାଅ ଧାତିକାର ହେ । ୭୨ ।
ଗମ୍ଭୀରି ଭିତରେ ଅଛି ମେଣ୍ଢା ବନ୍ଧା ହୋଇ ।
ଫେଡ଼ି ବେଗ କରି ତାହା ଘେନି ଆସ ଯାଇ ହେ । ୭୩ ।
ଆଜ୍ଞା ପରମାଣେ ଦୂତେ ବେଗ ହୋଇ ଗଲେ ।
ଘରେ ପଶି ମେଣ୍ଢା ଆଣି ଛାମୁରେଣ ଦେଲେ ଯେ । ୭୪ ।
ଶଶିଧର ବୋଲେ ଏହା କରସି ମନୁଷ୍ୟ ।
ଜ୍ଞାନଦେଈ କୋପେ ତାକୁ ବଚନ ପ୍ରକାଶ ଯେ । ୭୫ ।
କାହୁଁ ଆସି ନୃପତି କୁମାରୀ ବିଭା ହୋଇ ।
ବଡ଼ ପଣେ ଅଘଟଣ କଥା ନିକି କହି ଯେ । ୭୬ ।
ତାହା ଶୁଣି ଶଶିଧର କୋପେ କହେ ବାଣୀ ।
ସ୍ତିରୀକୁଳେ କଳଙ୍କ ତୁ କୁଟିଳ ରାଢ଼େଣୀ ଯେ । ୭୭ ।
ନାସିକା ଶ୍ରବଣ ତୋର କରିବି ଛେଦନ ।
ନୋହିଲେ ମନୁଷ୍ୟ ୟେହା କରସି ବ‌‌ହନ ଗୋ । ୭୮ ।
ଡରେ ସନମତ କଲା ହୋଇଣ କାତର ।
ମନ୍ତ୍ର ପଢ଼ି ପୁଷ୍ପ ତାର ଖୋସିଲା ମଥାର ଯେ । ୭୯ ।
ତକ୍ଷଣେ କୁମର ଉଭା ହୋଇ ମୂର୍ତ୍ତିବନ୍ତ ।


୭୨ । ଆଡ଼ତିଆ ଲେଙ୍କା - ରାଜାଙ୍କ ପାଖ ଲୋକ, ହୁକୁମ ତାମିଲ କରିବାକୁ ଯେଉଁ ଚାକର ସବୁବେଳେ ରାଜାଙ୍କ ପାଖେ ପାଖେ ଥାଏ । ୭୭ । ରାଢ଼େଣୀ- ନିଷ୍ଠୁରା ସ୍ତ୍ରୀ ।