ଏ ଦୁଇ ସଉତୁଣୀ ଅଭିମନ୍ୟୁକୁ ସଙ୍ଗରେ ଧରି ମଞ୍ଚପୁରକୁ ଅଇଲେ ଓ ସୁଖରେ ଘର ଦୁଆର କରି ରହିଲେ ।"
ଆବହମାନ କାଳରୁ ଲୋକମୁଖରେ ପ୍ରଚଳିତ ଏହି କଥାଟି ସ୍ଥାନ ବିଶେଷରେ ଭିନ୍ନ ୨ ଆକାର ଧାରଣ କଲେହେଁ ଏହାର ଅସ୍ଥି କଙ୍କାଳ ଉପରେ କବି ପ୍ରତାପରାୟ ନିଜର କବିହ ଓ କଳ୍ପନାର ପ୍ରାଣପ୍ରତିଷ୍ଠା କରିଅଛନ୍ତି ଏବଂ କଥାଚିତ୍ରଟିର ସୌନ୍ଦର୍ଯ୍ୟ ଫୁଟାଇବା ପାଇଁ ସ୍ଥଳ ବିଶେଷରେ ନୂତନ ଚାତୁରୀ ମଧ୍ୟ ପ୍ରଦର୍ଶନ କରିଅଛନ୍ତି । କାବ୍ୟର ପ୍ରାରମ୍ଭ ଭାଷଣରେ ମହାକବି ମାନେ ଯେପରି ଅଳଂକାର ଶାସ୍ତ୍ରୋକ୍ତ ବିଧାନାନୁଯାୟୀ ଆଶୀର୍ନମସ୍କ୍ରିୟା ବସ୍ତୁନିର୍ଦ୍ଦେଶ ଇତ୍ୟାଦି କରିଥାନ୍ତି, କବି ପ୍ରତାପ ଶଶିସେଣା କାବ୍ୟର ଅବତରଣିକାରେ ଅବିକଳ ସେହି ପନ୍ଥା ଅବଲମ୍ବନ କରି ନୀଳାଦ୍ରିପତି ଜଗନ୍ନାଥ ଓ ବିଘ୍ନରାଜ ବିନାୟକଙ୍କ ବନ୍ଦନା ପରେ ଭୋଜ ନୃପତିଙ୍କ ଜେମା ଇଚ୍ଛାସୁନ୍ଦରୀ ଓ ତାଙ୍କର ପତି ଚାରୁବ୍ରହ୍ମଙ୍କ ପରିଚୟ ପାଠକ ପାଠିକାଙ୍କୁ ପ୍ରଦାନ କରିଅଛନ୍ତି । ଥରେ ଇଚ୍ଛାସୁନ୍ଦରୀ କୌଣସି କାରଣବଶତଃ ସ୍ୱାମୀଙ୍କଠାରେ ଅଭିମାନ ପୋଷଣ କରିବାରୁ ଚାରୁବ୍ରହ୍ମ ଶଶିସେଣା ପ୍ରସଙ୍ଗ ଉତ୍ଥାପନ କଲେ ଏବଂ ସ୍ୱାମୀ ପାଇଁ ତାର ଅତୁଳନୀୟ ତ୍ୟାଗ ଓ ପାତିବ୍ରତ୍ୟ କଥା ସ୍ମରଣ କରି ତାହାର ପ୍ରଶଂସା କଲେ । ସେ ପ୍ରଶଂସା ଶ୍ରବଣରେ ଇଚ୍ଛା ସୁନ୍ଦରୀ ଅଭିମାନ ପରିହାର ପୂର୍ବକ ଶଶିସେଣା କଥା ଶୁଣାଇବା ପାଇଁ ସ୍ୱାମୀଙ୍କୁ ସାନୁନୟ ଅନୁରୋଧ କଲେ । ଏହିଠାରେ କବି ପ୍ରତାପ ଦେଶ ପ୍ରଚଳିତ ପୂର୍ବ ଲିଖିତ ଗଳ୍ପଠାରେ ଯେ ଋଣୀ, ତାହା ବଡ଼ ଚତୁରତାର ସହିତ ସ୍ୱୀକାର କରିଅଛନ୍ତି । ଯଦି କୌଣସି ସମାଲୋଚକ ଶଶିସେଣା କାବ୍ୟରୁ ହଳାହଳକୁମର ଗଳ୍ପର ଉତ୍ପତ୍ତି ବୋଲି ମତ ପୋଷଣ କରନ୍ତି, ତେବେ ତାହା ସମୀଚୀନ ହେବ ନାହିଁ । କାରଣ, କବି