ପୃଷ୍ଠା:Sashi Sena.pdf/୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଙ୍କନ କରିଅଛନ୍ତି, ତାହା ଯେ କଳ୍ପନାର ଅତିମାନୁଷିକତା ଦୋଷରୁ ବଞ୍ଚିତ, ଏହା କୁହାଯାଇ ନ ପାରେ । ଆମ୍ଭମାନଙ୍କର ଯେପରି ମନେ ହୁଏ, କବିଙ୍କ ସମସାମୟିକ ଉତ୍କଳୀୟ ସମାଜରେ ଶକ୍ତି ଉପାସନାର ବହୁଳତା ବୋଧ ହୁଏ ଏତାଦୃଶ ବର୍ଣ୍ଣନାର କାରଣ । ଅନ୍ୟ ଦିଗରୁ ଦେଖିଲେ, କଥାଚିତ୍ରର ଚମତ୍‌କାରିତା ପ୍ରତିପାଦନ ନିମିତ୍ତ କବି - ମାନେ ସାଧାରଣତଃ ଅକାଶବାଣୀ, ଦୈବ ଅନୁଶାସନ କିମ୍ବା ଦେବୀ ଅନୁଗ୍ରହ ଇତ୍ୟାଦିର ଆରୋପ କରି ଥାନ୍ତି ।

ପ୍ରତାପଙ୍କ ବର୍ଣ୍ଣନା ଅନୁସାରେ କାବ୍ୟର ନାୟିକା ଶଶିସେଣା ଅମରାବତୀ ନୃପତି, ବିକ୍ରମକେଶରୀଙ୍କ ଔରସରେ ସତ୍ୟବତୀଙ୍କ ଗର୍ଭରୁ ସମ୍ଭୁତ । ହଳାହଳକୁମର କଥାଟିର ନାୟିକା ଶଶିସେଣା ରାଜପୁତ୍ରୀ ହେଲେହେଁ ତାହାର ରୂପଗୁଣ ସମ୍ବନ୍ଧରେ ଅମ୍ଭେମାନେ ସଂପୂର୍ଣ୍ଣ ଅନ୍ଧ- କାରରେ ଥାଉ । କିନ୍ତୁ ପ୍ରତାପଙ୍କ ଶଶିସେଣା ରୂପ ଓ ଗୁଣରେ ଅନୁପମା । ତା’ର ଅଙ୍ଗଲାବଣ୍ୟ ଦର୍ଶନରେ ମନେ ହୁଏ, ସତେ ଯେପରି ବିଧାତା ତ୍ରିଭୁବନର ସମସ୍ତ ସୁଷମାସାରରେ ତାହାର ସୃଷ୍ଟି କରି ଅଛନ୍ତି :-

କମ୍ବୁରୁପ୍ ବୀଣା ବଳାପ ପିକ ସୁସ୍ପରବାଣୀ
ଅମିୟମାନ ଠୁଳ କରି ବ‌ହି କଣ୍ଠ ନିର୍ମାଣି ।
ଶୋଣ, ପଦ୍ମଚରଣ ବେନି ଋତୁ ମଞ୍ଜୀର ସାଜେ
ଥଳ ତେଜି ଜଳ ମରାଳୈ ଦେଖି ପଶିଲେ ଲାଜେ । ୧୮ । ଇତ୍ୟାଦି ।

ସରଳ ସହଜ ଓ ଆଡମ୍ବରହୀନ ଭାଷାରେ ଶଶିସେଣାର ଏହ ରୂପ ବର୍ଣ୍ଣନା ତଳେ କବିଙ୍କ ଯେଉଁ ମହା ଆଭାସ ଲୁକ୍କାୟିତ, ତାହା କବିଙ୍କ ପ୍ରତିଭାର ସୁମହତ୍ ଓ ସୁନ୍ଦର ନିଦର୍ଶନ ବୋଲି ଅକ୍ଳେଶରେ କୁହାଯାଇ ପାରେ ।