ପୃଷ୍ଠା:Sashi Sena.pdf/୩୨

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନିବେଦନରେହିଁ ଅନ୍ତର୍ଯ୍ୟାମୀ ଭଗବାନଙ୍କୁ ଆସନ ଅତିଶୀଘ୍ର ଟଳିଯାଏ । କରୁଣା ନିଧାନ ଭଗବାନ କୃଷ୍ଣଚନ୍ଦ୍ରଙ୍କ ନିର୍ଦ୍ଦେଶରେ ଦେବୀ ସରସ୍ୱତୀ ଯୋଗୀ ସଦାନନ୍ଦଙ୍କ ହୃଦୟରେ ବିରାଜନ୍ତେ ତାଙ୍କର ସମାଧି ଭଗ୍ନ ହେଲା । କରୁଣୈକହୃଦୟ ଯୋଗୀଙ୍କର କରୁଣା କୋମଳ ପ୍ରଶ୍ନରେ ଶଶିସେଣା ନିଜର ଦୁଃଖ ଜଣାଇଲା । ମୁନିପ୍ରବର ଶଶିସେଣା ମନ୍ତ୍ର ଶିକ୍ଷା ଦେଲେ ଓ ତାହା ବରଷକ ପର୍ଯ୍ୟନ୍ତ ଜପିବା ନିମିତ୍ତ ଆଦେଶ ଦେଲେ । ମନ୍ତ୍ର ବଳରେ ସପ୍ତ ମାୟାକୁମାରୀ ଗଣ ଶଣିସେଣାଠାରେ ପ୍ରସନ୍ନା ହେଲେ ଓ ଶଶିସେଣା ମଧ୍ୟ ସଙ୍ଗୀତ ବିଦ୍ୟାରେ ନିପୁଣତା ଲାଭ କଲା । ଶଶିସେଣା ଚିତ୍ରମାଳୀ ନାମରେ ଗାୟେଣୀ ରୂପ ଧଇଲା & ମାୟା କୁମାରୀଗଣ ସ୍ୱ ସ୍ୱ ଆୟୁଧମାନ ଗ୍ରହଣ କରି ତାର ଅନୁଗାୟେଣୀ ହେଲେ । ଶଶିସେଣା ମାୟାକୁମାରୀଙ୍କ ସହ ପାତାଳପୁର ଗଲା । ସେଠାରେ ଦେବୀ ବିଶେହେରୀଙ୍କୁ ସଙ୍ଗୀତରେ ମୁଗ୍ଧ କରି ତାଙ୍କ କୃପାରୁ ପୁନର୍ବାର ଅହିମାଣିକ୍ୟକୁ ପତିରୂପରେ ଲାଭ କଲା । ଏହି ପାତାଳ ପୁରର ବିଷୟ ବର୍ଣ୍ଣନ ପ୍ରସଙ୍ଗରେ ହଳହଳି କୁମର ଚିତ୍ରମାଳୀ ରୂପିଣୀ ଶଶିସେଣାକୁ ଚିହ୍ନି ନ ପାରିବା, ଶଶିସେଣା ଓ ନିଜର ନାଗସ୍ତ୍ରୀ ଦ୍ୱୟଙ୍କ ବିରହ ଚିନ୍ତାରେ କାତର ହେବା ସମୟରେ ଦେବୀଙ୍କ ପ୍ରସାଦରେ ଶଶିସେଣାକୁ ଚିହ୍ନି ପାରିବା, ନାଗ ରମଣୀଙ୍କର ଚିତ୍ରମାଳୀ ଉପରେ କ୍ରୋଧ ପ୍ରକାଶ ପୂର୍ବକ ଶାପ ପ୍ରଦାନ ଅବସରରେ ମାୟାକୁମାରୀଙ୍କ ମୟାବଳରେ ନାଗବାଳୀମାନେ ସ୍ତବ୍ଧ ହୋଇଯିବା, ଦେବୀଙ୍କର ତାଙ୍କୁ ପ୍ରବୋଧ ବାଣୀ କହି ଆଶ୍ୱସ୍ତ କରିବା, ହଳହଳି କୁମରର ନାଗବାଳୀଙ୍କୁ ଚାଟୁବାଣୀ କହି ଶଶିସେଣା ଓ ମାୟାକୁମାରୀଙ୍କ ସହ ମର୍ତ୍ତ୍ୟଭୁବନକୁ ଆଗମନ କରିବ । ବିଷୟମାନ କବି ଅତି ଚମତ୍କାର ଭାବରେ ବର୍ଣ୍ଣନା କରିଅଛନ୍ତି ।