ପୃଷ୍ଠା:Sashi Sena.pdf/୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଦ୍ୱିତୀୟ ଛାନ୍ଦ
 

ମଳୟ-ସମୀର-ମନ୍ଦିର ନାସା ଅଟଇ ତାର ।
ବସନ୍ତ ଆଶେ ବିଙ୍ଘସିତ ହୋଇ କି ଶୁକ ଧର ।୬।
ଘନ କୁଟିଳ ଭୃଙ୍ଗ ନିନ୍ଦେ ତାର ଚାରୁ ଚିକୁର ।
ଦଳିତ ଅଞ୍ଜନ ଚିକ୍କଣ ମୃଗମଦ ସୁନ୍ଦର ।୭।
କୁସୁମେ ସାଜେ ସୁକବରୀ ଭରି ବିରହିମନ ।
ଫାନ୍ଦେ ବନ୍ଧନ କି କରିଛି ମନସିଜ ରାଜନ ।୮।
କମ୍ବୁରୂପ ବୀଣା ବିଳାପ ପିକ ସୁସ୍ୱର ବାଣୀ ।
ଅମିୟମାନ ଠୂଳ କରି ବିହି କଣ୍ଠ ନିର୍ମାଣି ।୯।
ଶୁକ ସନ‌କ ସନାତନ ମୁନି ଶୁଣିଲେ ବାଣୀ ।
ଯୋଗ ତେଜି ଭୋଗ ଇଚ୍ଛିବେ ମନେ ବାଞ୍ଛା ତରୁଣୀ ।
ବଳେ ବାହୁ ମୃଣାଳ ସାର, ନହେ ମୁକୁର ଜ୍ୟୋତି ।
କଣୟ ଲତାର ଶିଖରେ କି ବସେ ଭୃଙ୍ଗପତି ।୧୧।


୬। ନାକଟି ମଳୟ ପବନର ଘର ଅର୍ଥାତ୍ ତାର ନିଶ୍ୱାସ ପବନ ମଳୟ ପବନ ପରି ଧୀର, ଶୀତଳ ଓ ସୁଗନ୍ଧ । ସେ ନାକ‌କୁ ଦେଖି ମନେ ହୁଏ (ଶୁକ ଧର - ଶୁକ ଅଧର) ଶୁଆ ଚଞ୍ଚୁ ବା ଥଣ୍ଟ ବସନ୍ତ ଆସିବାର ଆଶା କରି (ବିଙ୍ଘସିତ - ବିକଶିତ) ଫୁଲି ଉଠୁଛି କି ? ବସନ୍ତ କାଳରେ ଶୁଆ ଥଣ୍ଟ ଫୁଲି ଉଠିବାର ପ୍ରସିଦ୍ଧି ଅଛି ।
୭। ଘନ-ବ‌ହଳିଆ । କୁଟିଳ - କୁଞ୍ଚୁକୁଞ୍ଚିଆ । ଚାରୁ - ମନୋହର । ଚିକୁର - ମୁଣ୍ତବାଳ । ଭୃଙ୍ଗ - ଭଅଁର । ଦଳିତ ଅଞ୍ଜନ - ଦଳା ହୋଇଥିବା କଳା । ମୃଗମଦ - କସ୍ତୂରୀ ।
୮। ସୁକବରୀ - ସୂନ୍ଦର ଜୂଡ଼ା । ମନସିଜ - କନ୍ଦର୍ପ ।
୯। କମ୍ବୁ - ଶଙ୍ଖ । ପିକ - କୋଇଲି । ଅମିୟ - ଅମୃତ । କଣ୍ଠଟି ଦେଖିବାକୁ ଶଙ୍ଖ ପରି କାନ୍ଦିଲା ବେଳେ ସେ କଣ୍ଠ ବୀଣା ବୋଲି ମନେହୁଏ ଏବଂ କଥା କ‌ହିଲା ବେଳେ ତାରସୁର କୋଇଲି ଡ଼ାକ ପରି ମନେହୁଏ ।
୧୧। ମୃଣାଳ- ପଦ୍ମନାଡ଼ । ନହେ - ନ‌ଖରେ । ମୁକୁର - ଆର୍ଶି । କଣୟ(କନ‌କ) - ସୁନା ।