ପୃଷ୍ଠା:Sashi Sena.pdf/୪୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦
ଶଶିସେଣା
 

ହେମ କୁନ୍ଦନ ପୀନସ୍ତନ ବେନି ଶୟଳ କି ସେ ।
ହିମ ମଳୟ ଗିରି ଦୁଇ ଏକ ଠାବରେ ବସେ ।୧୨।
ଛଡ଼ ଋତୁ ଘେନି ଅନଙ୍ଗ ବାସ କରିଛି ତ‌ହିଁ ।
ତ୍ରିଭୁବନ ଜିଣି ନିର୍ଭୟ ସେହୁ ହରକୁ ପାଇ ।୧୩।
ମୋତି ସରି ମେରୁତଟରୁ ବ‌ହେ ଜାହ୍ନବୀ ନ‌ଦୀ ।
ତୁଚ୍ଛ ଉଦରେ ରୋମରାଜି କି ସେ ମିଶେ କାଳିନ୍ଦୀ ।୧୪।
ସରସ୍ୱତୀ କୁପ ଅଟଇ ତାର ଗଭୀର ନାଭି ।
ତ୍ରିବଣୀ ସଙ୍ଗେ ପୁଣ୍ୟ ଥିଲେ ୟେହୁ ତୀର୍ଥକୁ ଲଭି ।୧୫।
ନିତମ୍ବ କରିକୁମ୍ଭ କଟି ରହେ କେଶରୀ ତ‌ହିଁ ।
ଜାଣି ବିଧାତା ବନ୍ଧ କଲା ରଜ୍ଜୁ ତ୍ରିବଳୀ ଦେଇ ।୧୬।
ଉରୁ ସେ କନ‌କ କରଭ, ଦେଖି ରମଣୀ ମୋହେ ।
ପୁରୁଷର ଧଇର୍ଯ୍ୟ କାହିଁ, ଯୋଗୀ ଭାଙ୍ଗିବ ଲୟେ ।୧୭।

୧୩-୨- ତ୍ରିଭୁବନ ଘେନି ବିଜୟେ, ଭୟେ ହରକୁ ପାଇ (କ) । ତ୍ରିଭୁବନ ନୁହିଁ ଜିଣନ୍ତି ଭୟେ ହରକୁ ପାଇ (ଗ) ।


୧୨। ହେମ କୁନ୍ଦନ ପୀନସ୍ତବ - ସୁନାର କୁନ୍ଦରେ କୁନ୍ଦା ହୋଇଥିବା ଉଚ୍ଚ କୂଚ । ଶୟଳ (ଶଇଳ ) - ପର୍ବତ । ହିମ ମଳୟ - ହିମାଳୟ ପର୍ବତ ଓ ମଳୟ ପର୍ବତ ।
୧୩। ଅନଙ୍ଗ - କନ୍ଦର୍ପ । ତ୍ରିଭୁବନ - ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ । ହର - ମହାଦେବ ।
୧୪। ଜାହ୍ନବୀ ନ‌ଦୀ - ଗଙ୍ଗାନଈ । ତୁଚ୍ଛଉଦରେ - ଛୋଟ ପେଟରେ ।
୧୬। ନିତମ୍ବ - ପିଚା । କରିକୁମ୍ଭ - ହାତୀର ମୁଣ୍ତରେ ଗୋଲ ଗୋଲ ଦୁଇଟି କୁମ୍ଭ । କଟି - ଅଣ୍ଟା । କେଶରୀ - ସିଂହ । ରଜ୍ଜ - ଦଉଡ଼ି । ତ୍ରିବଳି - ପେଟରେ ଥିବା ଗାର ।
୧୭ । ଉରୁ - ଜଙ୍ଘ । କନ‌କ କରର - ସୁନାର ହାତୀ ଶୁଣ୍ଢ । ଯୋଗୀ - ମୁନି ।