ପୃଷ୍ଠା:Sashi Sena.pdf/୫୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୪
ଶଶିସେଣା
 

ତାହା ଶୁଣି ବୋଲଇ ସେ ଲୀଳାବତୀ ନାନ ।
ତୁମ୍ଭେ ମୋତେ ଭଜିବ ଗୋ ଯୁବତୀ-ରତନ । ୧୭ ।
ତୁମ୍ଭର ଚରଣେ ଭୃତ୍ୟପଣେ ସେବିଥିବି ।
ତୁମ୍ଭେ ମୋର ହୋଇବ ଗୋ ପ୍ରାଣର ବଲ୍ଲଭୀ । ୧୮ ।
ଯେବେ ୟେହା ନ କରିବ ହେବ ସତ୍ୟ ହାନି ।
ପୁରୁଷ ହତ୍ୟାର ଦୋଷ ପାଇବୁ କାମିନି । ୧୯ ।
ଶୁଣିଣ ସୁନ୍ଦରୀ ମନେ ସଲଜ୍ଜିତ ହୋଇ ।
ମଧୁର କୋମଳ ବାଣୀ ସଧୀରେ କହଇ । ୨୦ ।
ଯାହା ସେ ମାଗିଲ ତୁମ୍ଭେ ବିଚାରିଣ ମ‌ନେ ।
ନୃପତି ଜାଣିଲେ କି ତରିବା ବେନି ଜନେ । ୨୧ ।
ମହା ପରତାପୀ ରାୟେ ବିକ୍ରମକେଶରୀ ।
ଏ ଭୁବନେ କେ ରଖିବ କୋପ କଲେ ତା'ରି । ୨୨ ।
ସତ୍ୟ ଯେବେ ଲଙ୍ଘିବଇଁ ଧର୍ମ ନାଶ ଯିବ ।
ଧର୍ମ ବିଚାରିଲେ କୁଳେ କଳଙ୍କ ଲାଗିବ । ୨୩ ।
ବେନି କଥା ବିଚାରି ସନ୍ଦେହ ବାମା ଚିତ୍ତ ।
ସମାସ୍ୟା ନ ଦେଇଣ ବସିଲା ହେଠମାଥ । ୨୪ ।
ପୁଣି ବୋଲେ କୁମର ଶୁଣିମା ଚନ୍ଦ୍ରାନନି ।
ପୂର୍ବେ ଯେ ଭୀଷ୍ମକ ରାୟେ ନନ୍ଦିନୀ ରୁକ୍ମିଣୀ । ୨୫ ।
ଲକ୍ଷେ ରାଜା ନିମନ୍ତ୍ରଣ କଲା ତାର ଭାଇ ।
ବରପଣେ ଶିଶୁପାଳ ଆସିଣ ଅଛଇ । ୨୬ ।


୧୭। ତୁମ୍ଭେ......ରତନ- ତୁମେ ମୋତେ ବିଭା ହେବ ।
୨୪। ସମାସ୍ୟା ନ ଦେଇଣ- ଶେଷ ଜବାବ ନ ଦେଇ ।