କବି ପ୍ରତାପ କାବ୍ୟର କୌଣସି ସ୍ଥାନରେ ନିଜର ଆତ୍ମ ପରିଚୟ କିମ୍ବା ବଂଶ ପରିଚୟ ଦେଇ ଯାଇ ନାହାନ୍ତି । ଉତ୍କଳର କେଉଁ ଅଞ୍ଚଳକୁ ସେ ଅଳଂକୃତ କରିଥିଲେ, ତାହା ମଧ୍ୟ ନିର୍ଦ୍ଧାରଣ କରିବା ଦୁରୂହ । 'ରାୟ' ଉପାଧି ଦେଖି ତାହାଙ୍କୁ ଜାତିରେ କ୍ଷତ୍ରିୟ ବୋଲି ଅନୁମାନ କରା ଯାଇପାରେ । ଅବତରଣିକାରେ ଓ ପ୍ରତ୍ୟେକ ଛାନ୍ଦର ଉପସଂହାରରେ ନୀଳାଚଳନାଥଙ୍କର ନାମୋଚ୍ଚାରଣ ଓ ମହିମା ବର୍ଣ୍ଣନ ଦେଖିଲେ ମନେ ହୁଏ ଯେ, ସେ ସ୍ୱଜୀବନ କାଳରେ ପୁରୁଷୋତ୍ତମ ଧାମରେ ବାସ କରିବାର ଯଥେଷ୍ଟ ସୁଯୋଗ ପାଇଥିଲେ । ଷଷ୍ଠ ଛାନ୍ଦରେ କାବ୍ୟର ନାୟକ ନାୟିକାଙ୍କର ବିଦେଶ ଯାତ୍ରା ପ୍ରସଙ୍ଗରେ ଆରଣ୍ୟକ ପଶୁ ପକ୍ଷୀ ଓ ବୃକ୍ଷ ଲତାଦିର ଯେଉଁ ବର୍ଣ୍ଣନା ଦେଖାଯାଏ ସେଥିରୁ ସ୍ପଷ୍ଟ ଅନୁମିତ ହୁଏ ଯେ, କବି ଗଡ଼ଜାତ ବା ଗଡଜାତ ସମୀପବର୍ତ୍ତୀ କିମ୍ବା ଅରଣ୍ୟ ନିକଟବର୍ତ୍ତୀ କୌଣସି ଏକ ଜନପଦର ଅଧିବାସୀ ଥିଲେ । ଏତଦ୍ବ୍ୟତୀତ ତାଙ୍କ ବାସସ୍ଥାନ ସମ୍ବନ୍ଧରେ ଅନ୍ୟ କିଛି ବିଶେଷ ସନ୍ଧାନ ପାଠକ ମାନଙ୍କ ସମ୍ମୁଖରେ ଉପସ୍ଥାପିତ କରିବାକୁ ଆମ୍ଭେମାନେ ଅକ୍ଷମ କହିଲେ ଚଳେ ।
କାବ୍ୟଟିର ପୁଙ୍ଖାନୂପୁଙ୍ଖ ଆଲୋଚନା କଲେ, ପୁରାଣ ଯୁଗର ଅଦ୍ଭୁତ କଳ୍ପନା ଏବଂ କାବ୍ୟ ଯୁଗର ମାର୍ଜିତ ରୁଚି - ଉଭୟର ମଧୁର ସମନ୍ୱୟ ପାଠକ ତଥା ସମାଲୋଚକର ଦୃଷ୍ଟି ଆକର୍ଷଣ କରେ । ନାୟିକାର ନାମାନୁସାରେ କାବ୍ୟଟିର ଶଶିସେଣା ନାମକରଣ ହୋଇ ଅଛି । ଅମରାବତୀ ରାଜ୍ୟର ନୃପତି ବିକ୍ରମ କେଶରୀଙ୍କ କନ୍ୟା ଶଶିସେଣା ଏବଂ ତଦୀୟ ମନ୍ତ୍ରୀ କୁଶଳ ରମଣଙ୍କ ପୁତ୍ର ଅହିମାଣିକ୍ୟ - ଉଭୟଙ୍କ ଜୀବନର ବିଚିତ୍ର ଘଟଣାବଳି ଏବଂ ପତି ପତ୍ନୀ ହିସାବରେ