ଜେଲ୍ ବିଷୟରେ ଆମର ଧାରଣା ଥାଏ- କାରଣ ବାପା ମଝିରେ ମଝିରେ ଜେଲ୍ ପରିଦର୍ଶନରେ ଯା'ନ୍ତି । ଆମ ଦି' ଭଉଣୀଙ୍କୁ ସାଙ୍ଗରେ ନିଅନ୍ତି । ବାପା ଅଫିସ୍ରେ ରହନ୍ତି । ଅଫିସ୍ରୁ ଲୋକ ଆମକୁ ନେଇ ଜେଲ ଭିତର ଦେଖାନ୍ତି । ଖୁଦିରାମଙ୍କୁ ମୁଁ ଜେଲ୍ରେ ଦେଖିନାହିଁ । ଖୁଦିରାମଙ୍କ ମା' ଆସିଲେ ପୁଅକୁ ଦେଖିବାପାଇଁ । ସମସ୍ତଙ୍କ ମୁହଁରେ ସେହି କଥା । ଖୁଦିରାମଙ୍କ ପ୍ରତି କିମିତି ଗୋଟିଏ ମାୟା ଜମିଯାଇଥାଏ । ସେ ଫାଶୀ ପାଇବେ ଶୁଣି ମନେ ମନେ ଭାରି ଦୁଃଖୀ ହେଲି । ବାପାଙ୍କୁ ଅତି ଡରି ଡରି କହିଲି, 'ଆମେ ଖୁଦିରାମଙ୍କୁ ଦେଖନ୍ତେ !' ବାପା ଗୋଟିଏ ଭୁରୁଡ଼ି ପକାଇ କହିଲେ, 'ଦୁର୍ ଶାଶୂଖାଇ ! ତମକୁ ଦେଖିବାପାଇଁ ଛାଡ଼ିବେ ନାହିଁ ।' କେହି ଲୋକ ଫାଶୀ ପାଇଲେ ବାପା ଫାଶୀ ପାଇବା ସ୍ଥାନରେ ଉପସ୍ଥିତ ରହିବାପାଇଁ ଯାଆନ୍ତି । ତାଙ୍କ ଉପରେ ସେ ଦାୟିତ୍ୱ ଥାଏ । ଭୋର୍ ତିନିଟାରୁ ଉଠି ପୋଷାକ ପିନ୍ଧି ଜେଲ୍ଖାନାକୁ ଯାଆନ୍ତି । ଖୁଦିରାମଙ୍କ ଫାଶୀ ଦିନ ନିକଟ ହେଲା । ଆମେ ତାଙ୍କରି କଥାରୁ ଜାଣିଲୁ, ଫାଶୀ ପୂର୍ବ ଦିନ ଲୋକକୁ ତା' ଶେଷ ଇଚ୍ଛା କ'ଣ ପଚରାଯାଏ ଓ ସେ ଯାହା କହେ ତାହା ଆଇନସଂଗତ ହୋଇଥିଲେ ପୂରଣ କରାଯାଏ । ଆଜି ରାତି ପାଆନ୍ତାରେ ଖୁଦିରାମଙ୍କ ଫାଶୀ ହେବ, ଏ କଥା ମୁହୂର୍ତ୍ତକପାଇଁ ମନରୁ ଯାଇ ନଥାଏ । ମନ କ'ଣ ହେଇଯାଉଥାଏ । କାନ୍ଦ ମାଡ଼ୁଥାଏ । ମା'କୁ ଯାଇ କହିଲୁ- ସେ ବାପାଙ୍କୁ ମନାକରୁ, ବାପା ଫାଶୀ ବେଳେ ହାଜର ରହିବାକୁ ନ ଯାଆନ୍ତୁ । ମା' କହିଲା- 'ତମେ କୁହ' । ଅତି ଡରି ଡରି ବାପାଙ୍କ ଟେବୁଲ୍ ପାଖରେ ଠିଆହେଲୁ । ଅପା ମୋତେ ଠାରୁଥାଏ ଯେ କଥାଟା ମୁଁ କହେ । କେତେ ସମୟ ଠିଆ ହୋଇ ରହିଲାରୁ ବାପା ପଚାରିଲେ, 'କ'ଣ କହିବାକୁ ଆସିଛ କହୁନା ।' ସାହସ କରି ମୁଁ ହଠାତ୍ କହିଦେଲି, 'ଖୁଦିରାମ ଫାଶୀ ବେଳକୁ ତମେ ଯାଅନା ।' ବାପା କହିଲେ, 'ଆଉ କିଏ ଯିବ ?' ତା'ର ଜବାବ ଆମ ପାଖରେ ନଥିଲା । ବାପା ଆମ ମୁଣ୍ଡରେ ହାତ ବୁଲେଇ ଦେଇ କହିଲେ, 'ମୁଁ ଯିବି ନାହିଁ ।' ବାପା ଭାରି ଗମ୍ଭୀର ଦେଖାଯାଉଥାନ୍ତି । ସେ ଅଧିକାଂଶ ଦିନ ରାତିରେ ମୋକଦ୍ଦମା ରାୟ ଲେଖନ୍ତି, ସେଦିନ ବି ଲେଖୁିଥିଲେ । ଯଥା ସମୟରେ ଖୁଦିରାମଙ୍କର ଫାଶୀ ହେଲା ।
ଆମେ ପିଲାଦିନରୁ ବରାବର ଦେଖିଲୁ ଯେ, ଚାକର, ପୂଜାରୀ, ଚପରାସୀ କିଛି ଦୋଷ କଲେ ସେମାନେ ଗାଳି ଖାଇବେ । ମା' ଏହି ଭୟରେ କଥା ଲୁଚାଇ ବାପା ଯେପରି ନ ରାଗିବେ ସେହିପରି କହେ । କ୍ରମେ କ୍ରମେ ଆମେ ବି ସେଥିରେ ଅଭ୍ୟସ୍ତ ହେଲୁ ଏବଂ ଚାକର, ପୂଜାରୀ ତା'ର ସୁବିଧା ନେଲେ । ରୋଷେଇ କିଛି ଖରାପ ହେଲେ ବାପା ଯଦି ପଚାରିବେ 'ଏପରି କାହିଁକି ହୋଇଛି ?' ପୂଜାରୀ କହିବେ, 'ଦେଈ ଭଲପାଆନ୍ତି ବୋଲି ସେପରି
ସେମାନଙ୍କ ପିଲାଦିନ ୧୯