ମୋତେ ଓ ମୋର ଜଣେ ଗରିବ ସାଙ୍ଗକୁ ପଢ଼ାଉଥାଆନ୍ତି । ଏଠାରେ ଗୋଟିଏ ଅତି କୌତୂହଳ ବିଷୟ ଉଲ୍ଲେଖ ନକରି ରହିପାରୁନାହିଁ । ଯେଉଁ ଗରିବ ଛାତ୍ରଟି ମୋ ସଙ୍ଗେ ପଢ଼ିବାକୁ ଆସନ୍ତି, ତାଙ୍କୁ ମାସିକ କିଛି କିଛି ପାରିଶ୍ରମିକ ଦିଆଯାଉଥିଲା । କେବଳ ସେତିକି ନୁହେଁ, ମୋର ଜେଜେ ମା' ପର୍ବପର୍ବାଣି ବେଳେ ଯେତେସବୁ ଖଜା ପିଠା ହୁଏ, ସେଥିରୁ କିଛି ସେ ପିଲାକୁ ଦିଅନ୍ତି । ଜେଜେମାଆଙ୍କର ଶ୍ରଦ୍ଧା ତା' ପ୍ରତି କାହିିଁକି ଏତେ ହୋଇଥିଲା, ତାହାର କାରଣ ସେତେବେଳେ ମୁଁ ବୁଝି ପାରୁ ନଥିଲି । କିନ୍ତୁ ବହୁ ବର୍ଷ ପରେ କଳାହାଣ୍ଡିରେ ମୁଁ ଗୋଟିଏ ସମ୍ବାଦ ପାଇ ତାହାର ମର୍ମ ବୁଝି ପାରିଲି । ଆମେ ପଢ଼ିଲାବେଳେ ଯେତେବେଳେ କିଛି ଦୁଷ୍ଟାମି କରୁ କିମ୍ବା ପଢ଼ାରେ ଭୁଲ୍ଭାଲ୍ ହୁଏ, ସେତେବେଳେ ମୋ ପିଠିରେ ବେତ୍ରାଘାତ ନହୋଇ ନରସିଂହ ମିଶ୍ରଙ୍କ ବେତ୍ର ସେହି ଗରିବ ଛାତ୍ରର ପିଠିରେ ଦାଗ ଦେଇଥାଏ । ମୋ ସାଥୀ ପିଲାଟି ସେତେବେଳେ କାନ୍ଦିକାନ୍ଦି କହେ, 'ଆଉ ମୁଁ କେବେ ଏମିତି କରିବିନି, ମୋତେ ମାରନି ।' କିମ୍ବା ମୋ ଦୋଷରୁ ଯଦି ସେ ମାଡ଼ ଖାଇଥାଏ, କହେ, 'ଆଜ୍ଞା ମୁଁ କରିନି । ବାବୁ କରିଛନ୍ତି ।' (ସେ ମୋତେ ବାବୁ ବୋଲି ଡାକେ) ହାୟ ! କି ନିର୍ମମ ବିଧାନ ସେ ! ମୁଁ ଦୋଷ କଲି ଅଥଚ ଅନ୍ୟ ଜଣେ ଶିଶୁ ନିର୍ମମ ମାଡ଼ ଖାଇ ମୋତେ ଚେତାଇ ଦେଉଛି ଦୁଷ୍ଟାମି ନକରିବାକୁ । କଳାହାଣ୍ଡିରେ ଯେଉଁ ସମ୍ବାଦଟି ମୁଁ ପାଇିଲି ତାହା ହେଉଛି, ଗଡଜାତ ରାଜାମାନଙ୍କର ପିଲାମାନେ ଯେତେବେଳେ ପାଠ ପଢ଼ିବାକୁ ଯାଆନ୍ତି ତାଙ୍କ ସହିତ ଏପରି କେତୋଟି ନିରୀହ ବେତନଭୋଗୀ ଛାତ୍ରଙ୍କୁ ପଠାଇ ଦିଆଯାଏ । ରାଜକୁମାରଙ୍କ ଦୁଷ୍ଟାମିଯୋଗୁଁ ଯେଉଁ ଶାସ୍ତି ଦିଆଯାଏ ତାହା ସେହି ଗରିବ ଛାତ୍ରଙ୍କୁ ମିଳେ । ଅର୍ଥାତ୍ ଦୁଷ୍ଟାମି କଲେ ଯେଉଁ ଦଣ୍ଡ ତାହା ରାଜକୁମାରମାନଙ୍କ ସମ୍ମୁଖରେ ଆଦର୍ଶ ରୂପେ ଦେଖାଇ ଦିଆଯାଏ । ଅର୍ଥାତ୍ ରାଜକୁମାରମାନଙ୍କ ଶାରୀରିକ କଷ୍ଟ କିଛି ହୁଏ ନାହିଁ । ଠିକ୍ ସେହି ନୀତିରେ ମୋ ସାଙ୍ଗ ପିଲାଟି ମଧ୍ୟ ନିଯୁକ୍ତ ହୋଇଥିବାର ଜଣାଯାଏ । ତେଣୁ ମୋର ଜେଜେମା ସେଥିର କ୍ଷତିପୂରଣ ରୂପେ ସେ ପିଲାଟିକୁ ସନ୍ତୋଷ କରିବାକୁ ଜାମା, ଲୁଗାପଟା ଓ ଖଜାପିଠା ଦେଇ ସ୍ନେହ କରନ୍ତି ।
ଦିନେ ସେହି ଗରିବ ଛାତ୍ରକୁ ବେତ୍ରାଘାତ ହେଲା, ଯାହାକି ତା' ପକ୍ଷରେ ଅସମ୍ଭାଳ । ପରଦିନ ସକାଳୁ ସେ କାନ୍ଦି କାନ୍ଦି ମୋ ପାଖକୁ ଆସି କହିଲା, 'ବାବୁ ! ଏ ମାଷ୍ଟ୍ରଟା ବଡ଼ ଦୁଷ୍ଟ । ଏହାକୁ ଏଥର ତଡ଼ିଦେବା ।' ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି, 'କିପରି ?' ସେ କହିଲା, 'ଦେଖ' । ସେ ପାଠ ପଢ଼ାଉଥିବେ, ସେତିକିବେଳକୁ ମୁଁ ଦୀପଟା ଫୁଙ୍କିଦେବି, ଅନ୍ଧାର ହେଲେ ତୁମେ ତାର ଆଙ୍ଗୁଠି କାମୁଡ଼ିଦେବ ।' ମୁଁ ଟିକିଏ ଚମକି ପଡ଼ିଲି । ଏହା କିପରି ସମ୍ଭବ ? ସେ କହିଲା , 'ନରସିଂହ ମିଶ୍ର ପର୍ଶୁରାମପୁର ଗାଁରୁ ଆସି ପାରଳାଖେମୁଣ୍ଡିରେ ପିଲାମାନଙ୍କୁ ବାଡ଼ୋଉଛି । ଆମେ ସବୁ ପିଲାଏ ଏକଥା ବିଚାର କରିଛୁ । ଏହାକୁ ଏଠାରୁ ଘଉଡ଼ି ଦେବା ।' ସେଦିନ ରାତିରେ ଠିକ୍ ଆମର ମସୁଧା ଅନୁସାରେ ଦୀପ ଲିଭିଲା ଓ ନରସିଂହ ମିଶ୍ରଙ୍କ କାଣି ଆଙ୍ଗୁଠିରେ ମୋର ଚୋଟ ବସିଲା । ଶିକ୍ଷକ ଅବାକ୍ । ଅପ୍ରତ୍ୟାଶିତ ଘଟଣାରେ ସେ ଆମକୁ ମାରିବେ କ'ଣ, ଦଉଡ଼ି ଘରକୁ ପଳାଇଗଲେ ।
୨୨ ସେମାନଙ୍କ ପିଲାଦିନ