ପୃଷ୍ଠା:Semananka piladina.pdf/୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମୋର ମନେ ଅଛି, ବ୍ରତ-ବେଶରେ ଅର୍ଥାତ୍‍ ମୁଣ୍ଡରେ ମୁକୁଟ ପିନ୍ଧି, ହଳଦିଆ ପାଟ ଓ ଦୀର୍ଘ ଦଣ୍ଡ ଧରି ଯେତେବେଳେ ମୁଁ ରୁଷାଣି ଗଲି, ଠିକ୍‍ ସେଇ ବେଶରେ ରାଜନବରକୁ ମୋତେ ନେବାକୁ ଜେଜେବାପା ପ୍ରସ୍ତାବ କଲେ । ବୋଧେ ମହାରାଜା କୃଷ୍ଣଚନ୍ଦ୍ର ଦେବଙ୍କ ଇଚ୍ଛାକ୍ରମେ ଏ ପ୍ରସ୍ତାବ ହୋଇଥିଲା । ଯଥା ସମୟରେ ଜେଜେବାପାଙ୍କ ସଂଗେ ମୁଁ ନଅରକୁ ଯାଇ ଯେତେବେଳେ ବୁଢା ରଜା ପ୍ରତାପରୁଦ୍ରଙ୍କ ସମ୍ମୁଖରେ ଉପସ୍ଥିତ ହେଲି, ସେ ମୋତେ ଚାହିଁ ଜେଜେବାପାଙ୍କୁ ପଚାରିଲେ, 'ମୁକୁଟର ତାତ୍ପର୍ଯ୍ୟ କ'ଣ ? ରାଜାମାନେ ସିନା ମୁକୁଟ ପିନ୍ଧନ୍ତି ? ବ୍ରାହ୍ମଣମାନଙ୍କର ମୁକୁଟରେ କି ଅଧିକାର ?' ଜେଜେବାପା ଉତ୍ତର ଦେଇ କହିଲେ, 'ରାଜାଙ୍କ ମୁକୁଟ ରତ୍ନମଣ୍ଡିତ । କାରଣ ସେ ରାଜବିଭବର ଅଧିକାରୀ । କିନ୍ତୁ ବ୍ରାହ୍ମଣର ମୁକୁଟ ତାଳପତ୍ର, ଯେହେତୁ ସେ ପୋଥିର ଅଧିକାରୀ । ଯେ ଯେଉଁ ବିଷୟରେ ପାରଙ୍ଗମ, ତା'ର ସେହି ବିଷୟ ହିଁ ପ୍ରତୀକ ରୂପେ ଚିହ୍ନିତ ହୁଏ ।' ଏହା ପରେ ରାଜା ପଚାରିଲେ, 'ବ୍ରାହ୍ମଣର ଯଜ୍ଞୋପବୀତ ଏବଂ ବ୍ରହ୍ମଗଣ୍ଠିର ତାତ୍ପର୍ଯ୍ୟ କ'ଣ ?' ଜେଜେବାପା ଉତ୍ତର ଦେଲେ, 'ବ୍ରତ ଶବ୍ଦର ମୂଳ ଅର୍ଥ ହେଉଛି ବ୍ରହ୍ମଚର୍ଯ୍ୟ ରକ୍ଷା । ଏହାର ସୁରକ୍ଷାପାଇଁ ଯେଉଁ ସଂକଳ୍ପ ତାହା ହିଁ ବ୍ରହ୍ମଗଣ୍ଠି ଅର୍ଥାତ୍‍ ଆଜିଠାରୁ ବାଳକ ପ୍ରତିଜ୍ଞା କରୁଛି ଯେ, ସେ କୌଣସିମତେ ବ୍ରହ୍ମଚର୍ଯ୍ୟ ଦୀକ୍ଷାରୁ ସ୍ଖଳିତ ହେବନାହିଁ । ଏହି ବ୍ରତ ପାଳନ ହିଁ ବ୍ରାହ୍ମଣମାନଙ୍କ ବ୍ରତର ମୂଳ ନୀତି ।' ରାଜା ପଚାରିଲେ- 'ଦଣ୍ଡଧାରଣ ଓ ବଳ୍‍କଳ ପିନ୍ଧିବାର ଉଦ୍ଦେଶ୍ୟ କ'ଣ ?' ଜେଜେବାପା ଉତ୍ତର ଦେଲେ- 'ପୂର୍ବେ ଦଣ୍ଡୀ ଭିକ୍ଷୁ ଓ ସନ୍ନ୍ୟାସୀମାନେ ଲଣ୍ଡିତ ମସ୍ତକରେ ଦଣ୍ଡଧାରଣ କରି ଯେପରି ଯାତ୍ରା କରୁଥିଲେ, ତାହାର ଅନୁକରଣରେ ବର୍ତ୍ତମାନ ଏ ବାଳକ ଗୁରୁଗୃହକୁ ପ୍ରେରିତ ହେବାର ଏ ନିଦର୍ଶନ ।' ରାଜା ଅତି ଆନନ୍ଦରେ ପଚାରିଲେ- 'ଏ ତ ଗୁରୁଗୃହକୁ ଯାଉଛି; କିନ୍ତୁ ଫେର୍‍ ନିଜ ଗୃହକୁ ନେଉଛ କିପରି ?' ଏଠାରେ ଜେଜେବାପା ଟିକିଏ ହସି ଦେଇ କହିଲେ- 'ପୂର୍ବର ସେ କଥା ପୁରାଣରେ ଲୁଚିଗଲାଣି । ସେଇ ପ୍ରାଚୀନ ପ୍ରଥାର ଏହା ଗୋଟିଏ ଧ୍ୱଜ ମାତ୍ର । ଏବେ ପିଲାର ମାମୁ ତାକୁ ଫେରାଇବାକୁ ଦଉଡ଼ି ଯାଇ ଘରକୁ ନେଇ ଆସିବା ପ୍ରଥା ସମାଜରେ ନୂଆରେ ଯୋଡ଼ି ଦିଆଯାଇଛି । ଏଇ ପ୍ରଥାକୁ ଆମେ ରୁଷାଣି କହୁ ।' ରାଜା ଥିଲେ ଜଣେ ନୈଷ୍ଠିକ ଶିବ ଭକ୍ତ ଓ ପଣ୍ଡିତ । ସେ ଟିକିଏ ବିରସ ହୋଇ କହିଲେ, 'ଆହା ! କେଡେ଼ ଉନ୍ନତ ଯୁଗଟି ଆମ ଦେଶରୁ ଚାଲିଗଲା ?'

୧୯୨୧ ମସିହାରେ ଏଠାରେ ଅସହଯୋଗ ଆନ୍ଦୋଳନ ତୀବ୍ରତର ହେଲା । ଠିକ୍‍ ସେ ବର୍ଷ ମହାତ୍ମାଗାନ୍ଧୀ ନିଜେ ତାଙ୍କର ପ୍ରଚାର ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡି ଆସିିଥିଲେ । ମୁଁ ଠିକ୍‍ ତାଙ୍କର ପଛପଟେ ଚାଲିଥାଏ । ମୋ ସାଙ୍ଗକୁ ଆଉ ଦୁଇଜଣ ପିଲା ମଧ୍ୟ ହାତକୁ ହାତ ଛନ୍ଦିିଲେ । କିନ୍ତୁ ଜନତାର ଚାପ ଏତେ ପରିମାଣରେ ଆମ ପଛଆଡ଼ୁ ପଡ଼ିଲା ଯେ, ମୁଁ ଆଉ ସମ୍ଭାଳି ନପାରି ମହାତ୍ମାଙ୍କ ପିଠି ଆଡ଼କୁ ଠେଲି ହୋଇଗଲି । ସେ ମୋ ଆଡେ଼ ଚାହିଁ ସ୍ମିତହାସ୍ୟ କରି ହିନ୍ଦୀରେ କହିଲେ- 'ଛୋକରା ! ତୁ ନିଜକୁ ନିଜେ ତ ସମ୍ଭାଳି ପାରୁନାହୁଁ । ମୋତେ ସମ୍ଭାଳିବୁ କିପରି ?'

ସେମାନଙ୍କ ପିଲାଦିନ ୨୩