ଗୋଟିଏ ଦିନର କଥା ଆଜି ମୋର ସ୍ମରଣ ହେଉଛି । ଆମ ଗୃହ ବାରଣ୍ଡାରେ କେତେଜଣ ଛାତ୍ରଙ୍କ ସଂଗେ ମୁଁ ବସି ଗପସପ କରୁଥାଏ । ସେତିକିବେଳେ ଗୋଟିଏ ଭିକାରି ବାଳକ ଛିଣ୍ଡା ଲୁଗା ଖଣ୍ଡିଏ ପିନ୍ଧି, ମଇଳା ବୁକୁଚାଟିଏ ଧରି ଆମ ଆଡ଼କୁ ଆସିଲା, ବୋଧେ କିଛି ଭିକ୍ଷା ଆମଠାରୁ ପାଇବା ଆଶାରେ । ପିଲାଟି ଗୌରବର୍ଣ୍ଣ, ସୁସ୍ଥ ସବଳ, କିନ୍ତୁ ତା'ର ମୁହଁ ଅନାହାରକ୍ଲିଷ୍ଟ ଓ ଶୁଷ୍କ । ତାକୁ ଦେଖି କେଜାଣି କାହିଁକି ମୋ ମନରେ କୌତୂହଳ ହେଲା । ପଚାରିଲି- 'ଘର ତୁମର କେଉଁଠି ?' ସେ କହିଲା, 'ଖଲ୍ଲିକୋଟ' ।
ମୁଁ- 'ନାମ ?'
ସେ- 'ବ୍ରହ୍ମଚାରୀ ମୁଇଁ ।'
ମୁଁ- 'ବାପା ମା କିଏ ଅଛନ୍ତି ?'
ସେ - 'ମୋର କେହି ନାହାନ୍ତି । ବୁଢ଼ୀ ମା ଥିଲେ ସେ ମରିଗଲେ; ମୁଁ ଅନାଥ ଭିକାରି ।'
ମୁଁ- 'ତୁମ ବୟସ ?'
ସେ- 'ବାର ବର୍ଷ ।'
ମୁଁ- 'ଆଚ୍ଛା, ଆମେ ଯଦି ସବୁପ୍ରକାର ସାହାଯ୍ୟ କରୁ ତୁମେ ପାଠ ପଢ଼ିବ ?'
ସେ- ହଁ, ନିଶ୍ଚୟ ପଢିବି ।
ଏକଥା ଶୁଣି ମୁଁ ଆମର ସଂଗୀମାନଙ୍କୁ ଚାହିଁ ଉତ୍ତେଜିତ ସ୍ୱରରେ କହିଲି, 'ଆସ ! ଆମେ ସମସ୍ତେ ମିଶି ଏ ପିଲାଟିକୁ ଚାନ୍ଦା କରି ପଢ଼ାଇବା । ଯଦି ଗୋଟିଏ ଗରିବ ଛାତ୍ରକୁ ମଣିଷ କରାଇ ପାରିବା ତେବେ ଆମମାନଙ୍କର ଦାନ ସାର୍ଥକ ହେବ ।' ଏହା ଶୁଣି ମୋର ସଙ୍ଗୀମାନେ ସମସ୍ତେ ଉତ୍ସାହିତ ହେଲେ । କିଏ ବହିପତ୍ର ଦେଲା ତ କିଏ ଜାମା ଲୁଗା ତା'ପାଇଁ ଆଣି ଦେଲା । ମୁଁ ତା'ର ଖିଆପିଆର ବନ୍ଦୋବସ୍ତ କରିଦେଲି, ରାଧାକାନ୍ତ ମଠ ମହନ୍ତଙ୍କୁ ଅନୁରୋଧ କରି । ଆଉ ତା'ର ଦରମାପାଇଁ ସ୍କଲାର୍ସିପ୍ ମଧ୍ୟ ବନ୍ଦୋବସ୍ତ କଲି । ଦିନେ କଲେଜ୍ରେ ଗୋଟିଏ ବିରାଟ ସଭାରେ ମହାରାଜା ଭାଷଣ ଦେଇ ଆହ୍ୱାନ କଲେ, 'ଯେଉଁ ଛାତ୍ରମାନେ ସମର ଶିକ୍ଷା କରିବାକୁ ଇଚ୍ଛା କରନ୍ତି ସେମାନେ ଠିଆ ହୁଅନ୍ତୁ । ମୁଁ ତାଙ୍କୁ ସରକାରଙ୍କଠାରେ ସୁପାରିଶ ପତ୍ର ଦେଇ ମାନ୍ଦ୍ରାଜ ପଠାଇଦେବି ।' ଯୁଦ୍ଧର କଥା ଶୁଣି କେହି ଛାତ୍ର ମହାରାଜାଙ୍କ ଆହ୍ୱାନର ଉତ୍ତର ଦେଲେ ନାହିଁ । ଆମେ ସମସ୍ତେ ପରସ୍ପର ମୁହଁକୁ ଚାହାଁଚାହିଁ ହେଲୁ । ସେତିକିବେଳେ ଦେଖାଗଲା ଯେ, ଟିକିଏ ଦୂରରେ ଗୋଟିଏ ଗୌରବର୍ଣ୍ଣ ସୁସ୍ଥସବଳ ବାଳକ ମହାରାଜାଙ୍କ ଆଡ଼କୁ ଚାହିଁ ଠିଆ ହୋଇଛି । ସେ ହେଉଛି ଆମର ଅନୁଗୃହୀତ ବ୍ରହ୍ମଚାରୀ ମୁଇଁ ।
ମୋର ମନେପଡ଼ୁଛି, ୧୯୪୩ ମସିହାରେ ପୁରୀରୁ ମୁଁ ପାରଳାଖେମୁଣ୍ଡି ଫେରୁଥାଏ । ଖୋର୍ଦ୍ଧା ଷ୍ଟେସନ୍ରେ ମୁଁ ମାନ୍ଦ୍ରାଜ୍ ମେଲ୍କୁ ଅପେକ୍ଷା କରିଥାଏ । ସେତେବେଳେ ଗୋଟିଏ
୨୪ ସେମାନଙ୍କ ପିଲାଦିନ