ପୃଷ୍ଠା:Semananka piladina.pdf/୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହୁଏତ ସେଠି ପଡ଼ିିଥିବ କେତେବେଳେ । ଅଛୁଁଆ କଣ୍ଡରାଙ୍କ ଗୋଡ଼ ଧୂଳି ତ ନିଶ୍ଚୟ ପଡ଼ିିବ । ଗଛରେ ଚଢ଼ି ଯେତିକି କୋଳି ପାରିବ ସେତିକି ହିଁ ଖାଇବାର କଥା । ଗଛରେ ଚଢ଼ିବା ବୟସ ଅନ୍ନଦା, ବରଦା, ନନ୍ଦମାମୁ ବା ମୋର ହୋଇ ନଥାଏ । ଆମେ ସବୁ ସାତ ଆଠ ବର୍ଷ ବା ତା'ଠୁ କମ୍‍ ବୟସର ପିଲା । ସାରଦା ଭାଇ, ଗୋବିନ୍ଦ ଭାଇ ଗଛ ଚଢ଼ି ପାରନ୍ତି । ସେମାନେ ଆଗେ ଖାଇବେ । ଆମ ଆଡ଼କୁ ଗୋଟିଏ ଗୋଟିଏ ପକାଇବେ । ଯିଏ ଉପରକୁ ପାଟି କରି ରହିବ ତା'ରି ପାଟିକୁ ଲକ୍ଷ୍ୟ କରି ଆମେ ପକାଇବୁ ବୋଲି ସେ ଦି' ଜଣ କହି ଆମକୁ ଡହଳ ବିକଳ ଅବସ୍ଥାରେ ରଖି ଦିଅନ୍ତି । ବହୁତ କିଛି ଖୁସାମତ କଲେ ମେଲା କାନି ଭିତରକୁ ପକାନ୍ତି । ଏ କଥାଟିକୁ ଥରେ ଦି'ଥର ପରେ ପାଲୁଣୀ ମା' ଲକ୍ଷ୍ୟ କଲା ।

ତା' ଚେହେରାଟି ଏବେ ମଧ୍ୟ ମୋର ମନେଅଛି । ଆମକୁ ସବୁ ଦେଖିଲେ ତା'ର କି ଖୁସି ! ସେ ବେଶ୍‍ ମୋଟାମୋଟି । ହାତରେ ମଜବୁତିଆ ମୋଟା ଖଡ଼-ୁ ପିତ୍ତଳର ବୋଧହୁଏ, କଂସାର ବି ହୋଇଥିବ । ଯାହାକୁ କୁହନ୍ତି ନାହିଁ- 'ସେ କହିଲା ଖଡ଼ୁମୁଷାଏ ଦେଲେ ତୋ ମୁଣ୍ଡ ଫାଟି ଦି'ଫାଳ ହୋଇଯିବ ।' ସେହି କଥାର ଯଥାର୍ଥତା ପ୍ରମାଣ କରେ ପାଲୁଣୀ ମା' ହାତର ଖଡ଼ୁ । ଆମ ଛୋଟ ପିଲାଙ୍କ ପ୍ରତି ତା'ର ଦୟା ହେଲା । ଆମର ସୁବିଧା ହେବ ବୋଲି ସେ ଗୋଟାଏ କଥା କହିବା ଆରମ୍ଭ କରିଦେଲା । ଗଛ ତଳେ ବଡ଼ ଅରାଏ ସ୍ଥାନ ଦିନ ଏଗାରଟା ବାରଟା ବେଳେ ସେ ଗୋବର ପକାଇ ଭଲକରି ଲିପି ଦେଇଥାଏ । ତା' ପିଲାଙ୍କୁ ଓ ଅନ୍ୟ କଣ୍ଡରା ପିଲାଙ୍କୁ ତାଗିଦ୍‍ କରି ଦେଇ ଥାଏ, ଯେମିତି ଲିପା ଜାଗା କେହି ମାଡ଼ିବେ ନାହିଁ । ସେଇଠି କୋଳି ଝଡ଼ିଲେ ବା ପଡ଼ିଲେ ଆମେ ସବୁ ଆନନ୍ଦରେ ଗୋଟାଇ ନେଇ ଖାଉ । ସାରଦା ଭାଇ ଗଛ ଡାଳକୁ ଜୋର୍‌ରେ ହଲାଇ ଦେଲେ ପାକଲା ଦର ପାକଲା କୋଳି ଝଡ଼ିପଡେ଼ । ପାଛିଆଏ ଲେଖାଁ ଘରକୁ ନେଇ ଆସୁ । ସେ ଆପତ୍ତି ତ କରେ ନାହିଁ ଓଲଟି କହେ, 'ଆଉରି ନିଅ ।'

ତା' ବିଷୟରେ ଗୋଟିଏ କଥା ଆଜି ମଧ୍ୟ ମୋ' ମନରେ ଲାଖି ରହିଛି । ସେ ଖୁବ୍‍ ଗରିବ । ଘରେ ବାସନ ବୋଲି କିଛି ନଥାଏ । ସେ ଯୁଗରେ ଆଲୁମିନିୟମ୍ ବାସନର ପ୍ରଚଳନ ନ ଥିଲା । କଂସା ବାସନ ଥିଲା ତା'ପାଇଁ ସ୍ୱପ୍ନ । ବରଗଛ ମୂଳେ ଟିକିଏ ଦୂରରେ ମାଟିରେ ଗୋଲାଳିଆ ଗାତଟିଏ ଖୋଳିଥାଏ । ତା' ଭିତରଟିକୁ ଅତି ଚିକକ୍‌ଣ କରି ଲିପି ଦେଇଥାଏ । ତାଆରି ଭିତରେ ଖଣ୍ଡିଏ କଅଁଳିଆ କଦଳୀ ପତ୍ର ଖଞ୍ଜିଲା ଭଳି କରିଦିଏ । ସେଇଥିରେ ପଖାଳ ଭାତ ଅଜାଡ଼ି ଦିଏ । ଭାତ ଖାଇ ସାରିଲେ ମୁହଁକୁ ସେ ଗାତ ଉପରେ ତଳକୁ ଲଗାଇଲା ଭଳି କରି ତୋରାଣି ପିଏ । ଯେତେବେଳେ ମୁହଁଟି ଆଉ ଖାଲ ଭିତରେ ତୋରାଣିରେ

ସେମାନଙ୍କ ପିଲାଦିନ ୨୭