ଲାଗେନାହିଁ ସେ ହାତରେ ଚଳ ଚଳ କରି ପିଏ । ଶେଷରେ ପତରଟିକୁ କାଢ଼ିଆଣି ଯେତକ ଭାତ ବଳିଥାଏ ଖାଇଦିଏ । ୧୯୪୩ରେ ବ୍ରହ୍ମପୁର କଲେଜରେ ଆମେ ସବୁ ଅଟକବନ୍ଦୀ ଥିଲାବେଳେ ଜାତୀୟ କବି ବୀରକିଶୋର ହରିଜନମାନଙ୍କ ଦୁଃଖ ବର୍ଣ୍ଣନା କରି ଯେଉଁ ଗୀତ ଲେଖିଥିଲେ, ସେଥିରେ ତାଙ୍କ ଗାଁର ଏହିଭଳି ଏକ ଦୃଶ୍ୟ ବର୍ଣ୍ଣନା କରିିଥିଲେ । ଅନେକେ କହିଲେ ଯେ, ସେ କଳ୍ପନାରୁ ଏହି ଅତିରଞ୍ଜିତ କଥା ଲେଖିଛନ୍ତି । ସେତେବେଳେ ମୁଁ ତାଙ୍କ ପକ୍ଷ ସମର୍ଥନ କରି ପାଲୁଣୀ ମା କଥା କହିଲାରୁ କେହି କେହି ଏକାବେଳକେ ବିସ୍ମିତ ହୋଇଗଲେ ।
ବିହାରୀଲାଲ୍ ପଣ୍ଡିତ ଟୀକା ସହିତ ଗୀତାର ଅନୁବାଦ ପ୍ରକାଶ କରିବେ ବୋଲି ସ୍ଥିର କଲେ । ତାଙ୍କ ଘରେ ଦୁଇ ଚାରି ଜଣ ପଣ୍ଡିତ ଏକତ୍ରିତ ହୁଅନ୍ତି ପ୍ରତି ସନ୍ଧ୍ୟାରେ । ଗୀତା ସାଙ୍ଗକୁ କର୍ମକାଣ୍ଡ ଉପରେ ପୁସ୍ତକ ରଚନାର କଳ୍ପନା ଥାଏ । ଏହି ଶତପଥୀଙ୍କ ଜେଜେ ସେହିମାନଙ୍କ ଭିତରୁ ଜଣେ । ରାତିରେ ଫେରିଲାବେଳେ ବିହାରୀଲାଲ୍ଙ୍କ ଘରୁ ଗୋଟିଏ ଥାଳିରେ ସିଦା ମିଳେ । ସେଥିରେ ଯେତେ ପରିମାଣରେ ଡାଲି, ଚାଉଳ ଓ ପରିବା ଥାଏ, ସେତକରେ ଶତପଥୀ ପରିବାରର ଗୋଟିଏ ଦିନ ଚଳିଯାଏ । ଏହା ସାଙ୍ଗକୁ ମାସକୁ ମାସ କିଛି ଟଙ୍କା ମଧ୍ୟ ମିଳେ । ସେଥିରେ ଅନ୍ୟ ସବୁ ଖର୍ଚ୍ଚ ଚଳିଯାଏ । ତାଙ୍କର ତ ଯଜମାନୀ ଆୟ ରହିଛି । ଦିନେ ଶତପଥୀଙ୍କ ସିଦା ସାଙ୍ଗରେ ଚାରିଟି ଗୋଲ ଆଳୁ ଦେଇଥିଲେ । ପଣ୍ଡିତ ଶତପଥୀ ସେଠି କିଛି କହି ନ ପାରି ଗାମୁଛାରେ ପୂରାଇ ନେଇଗଲେ । ଘରେ ଯାଇ ସେତକ ସବୁ ବାରିଆଡେ଼ ଫୋପାଡ଼ି ଦେଇ ଘରେ ଆସି ଗାଧୋଇଲେ । ପଇତା ବଦଳାଇଲେ । ପଣ୍ଡିତିଆଣୀ ଆସି ପଚାରିବାରୁ ଖାଲି ଏତିକି ଉତ୍ତର ଦେଲେ- 'ମୋତେ ସେ କଥା ପଚାର ନାହିଁ । ତା' ପର ଦିନ ଯେତେବେଳେ ଗଲେ ଜମିଦାର ବିହାରୀଲାଲ୍ ପଚାରିଲେ, 'କାଲି ଯେଉଁ ନୂଆ ଚିଜ ଦେଇଥିଲି ତାକୁ କେମିତି ରାନ୍ଧିଲ ? କେମିତି ସୁଆଦ ଲାଗିଲା ? ଶତପଥୀ ଟିକିଏ ଶଙ୍କିଯାଇ କହିଲେ, 'ଜୀବନରେ ମୁଁ କେବେହେଲେ ପକ୍ଷ୍ୟଣ୍ଡ(ପକ୍ଷୀର ଅଣ୍ଡା) ଛୁଇଁ ନାହିଁ । ତେଣୁ ତାକୁ ଫୋପାଡ଼ି ଦେଲି- ସିଦା ମାରା ହୋଇଯାଇଥିଲା ବୋଲି ତାକୁ ମଧ୍ୟ ଫୋପାଡ଼ି ଦେଲି ।' ବିହାରୀଲାଲ୍ ଯେତିକି ହସିଲେ ସେତିକି ଦୁଃଖିତ ହେଲେ । ତାଙ୍କ ପରିବାରରେ ତ ରୋଷେଇ ହୋଇ ନଥିବ । ସେଥିପାଇଁ ଦୁଃଖ । ଆଳୁକୁ ଯେ ଅଣ୍ଡା ବୋଲି ଧରିନେଲେ ସେଥିପାଇଁ ହସ । ତାଙ୍କୁ ସବୁ କଥା ବୁଝେଇ ଦେଲେ । ସେଦିନ ଡବଲ ସିଦା ଦେଲେ । ଏତକ ଶୁଣି ଆମ ମେଳରେ ଥିବା ସମସ୍ତେ ହସିିଲେ । ଜଣେ କହିଲେ, 'ଆଳୁ ସପକ୍ଷରେ ତୁମେମାନେ ଯିଏ ଯେତେ କୁହ ପଛକେ, ଆଜି ପର୍ଯ୍ୟନ୍ତ ସେ ପରିବା ତ ଜଗନ୍ନାଥ ମନ୍ଦିରରେ ପଶିନାହିଁ ।'
୨୮ ସେମାନଙ୍କ ପିଲାଦିନ