Jump to content

ପୃଷ୍ଠା:Semananka piladina.pdf/୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗାନ୍ଧିଜୀ ମଧ୍ୟ କହୁଥିଲେ- ଆମେ ବିଦେଶୀ ବସ୍ତ୍ରକୁ ସଂପୂର୍ଣ୍ଣ ବର୍ଜନ କରିବା । ପୁଣି ସେହି ଅରଟ ଚଳାଇବା, ଆମ ତନ୍ତୀ ଲୁଗା ବୁଣିବେ । ବ୍ରିଟିଶ୍‍ ଜାତିର ଗୋଟାଏ ବଡ଼ ବେପାର ଲୋପ ପାଇଗଲେ ସେମାନେ ଜାଣିବେ ଯେ ଭାରତରେ ଜନଜାଗରଣ ହେଲାଣି । ଲୋକଙ୍କ ମନରେ ଏହି କଥାଟିକୁ ଭଲ ଭାବରେ ଲଗାଇ ଦେବାପାଇଁ ସେ ବମ୍ବେଠାରେ ବିଦେଶୀ ବସ୍ତ୍ର ପୋଡ଼ା ଆରମ୍ଭ କରିଦେଇଥିଲେ । କାଠଯୋଡ଼ି ବାଲି ସଭାରେ ବିଦେଶୀ ଲୁଗା ପୋଡ଼ାହୁଏ ସଭା ଶେଷରେ । ଦାସତ୍ୱର ଏହି ପ୍ରତୀକକୁ ପୋଡ଼ି ଭସ୍ମ କରିଦିଅ ବୋଲି ଜ୍ୱାଳାମୟୀ ଭାଷଣ ଦିଆଯାଏ । ବୀରବାବୁଙ୍କର ଲୁଗାପୋଡ଼ା ଗୀତ ଶୁଣି ଜନସାଧାରଣ ମାତି ଉଠନ୍ତି । ସେ ଗୀତକୁ ନିରଞ୍ଜନ ଘୋଷ ବୋଲିଲା ବେଳେ ସଭାର ସମସ୍ତେ ଖଣ୍ଡେ କାମିଜ, ଗେଞ୍ଜି ବା ଚଦର ନିଆଁକୁ ପକାଇ ଦିଅନ୍ତି । 'ବିଦେଶୀ ବସ୍ତ୍ର ଦାହ ଯଜ୍ଞ' ବୋଲି ଲୋକେ କହୁଥିଲେ । କେବଳ ଭାଷଣ ଯେତେ ଦୂର ପର୍ଯ୍ୟନ୍ତ ଉତ୍ତେଜନା ସୃଷ୍ଟି କରୁଥାଏ, ତା'ଠାରୁ ଅଧିକ ଦୂରକୁ ଲୋକଙ୍କୁ ନେଇଯାଉଥାଏ ଗୋଟିଏ ଗୀତ । ସେ ଗୀତଟିକୁ ୧୯୨୧ରେ ଅସହଯୋଗର ସ୍ୱାଧୀନତା ସୈନିକ ବୀରକିଶୋର ଦାସ ଲେଖିଥାଆନ୍ତି ଓ ବୋଲନ୍ତି ଉଦୀୟମାନ ଯୁବକ ନିରଞ୍ଜନ ଘୋଷ । ସେ ପଦେ ପଦେ ବୋଲି ପାଳି ଧରନ୍ତୁ ବୋଲି ଡାକ ଦିଅନ୍ତି । ବୁଢ଼ା ଟୋକା ସମସ୍ତେ ପାଳି ଧରନ୍ତି । ଅଷ୍ଟପ୍ରହରୀ ପରେ ନଗରକୀର୍ତ୍ତନ ହେଲାବେଳେ ଲୋକ ଯେମିତି ନାଚି ଯାଆନ୍ତି, ଜଳୁଥିବା ଲୁଗାଗଦା ଚାରିପଟେ ସେମିତି ଲୋକ ବୁଲନ୍ତି- ବିଶେଷକରି ଆମ ଭଳି ଅଳ୍ପ ବୟସର ଛାତ୍ରମାନେ । ଗୀତଟି ହେଲା-

ଫିଙ୍ଗରେ ଆଜି ପୁଲକ ପରାଣେ

ବିଦେଶୀ ବସନ ଭାଇ

ଅଙ୍ଗକୁ କର ପବିତ୍ର ତୁମର

ଜାତୀୟ ସଂଗୀତ ଗାଇଲ

ଦେଶବାସୀଙ୍କର ତଣ୍ଟି ଚିପା ଲୁଗା

ଏ ପାପ ରାଶିରେ ଆଜି ନିଆଁ ଲଗା

ଦେବତା ଉଠନ୍ତୁ ଚେଇଁ ।

ଏହି ଗୀତ ଗାଁ ଗଣ୍ଡାରେ ବୋଲା ହେଲା । ପଦେ ଲେଖାଁ ଗୀତ । ପାଞ୍ଚ ମିନିଟ୍‍ର ଭାଷଣ । ଏମିତିକା ଚାଲି ସରକାରଙ୍କ ବିରୁଦ୍ଧରେ ଗୋଟିଏ ସରଗରମ ବାତାବରଣ ସୃଷ୍ଟି କରିଦେଲା । ମୋର ବ୍ୟକ୍ତିଗତ ଅନୁଭୂତିରୁ ଏଭଳି ଲେଖୁଛି । ଦିନେ ସଭାକୁ ଯାଇଥିଲି ଖଣ୍ଡେ ଧୋତି, ଖଣ୍ଡେ କୁର୍ତ୍ତା ଓ ଗଞ୍ଜି ପିନ୍ଧି । ଲୁଗାପୋଡ଼ା କାମ ଆରମ୍ଭ

ସେମାନଙ୍କ ପିଲାଦିନ ୨୯