ଗଛ ଉପରେ ଖେଁ ଖେଁ କରି ଖେଙ୍କାରି ଉଠନ୍ତି; ବିଲୁଆମାନେ ବି ବିକଟାଳ ରଡ଼ି ଛାଡ଼ନ୍ତି । ଭୟରେ ମୋ ଦିହ ହେମାଳ ହୋଇଯାଏ । ମାମା ମତେ କୁଣ୍ଢାଇ ଶୁଆଇପକାଏ । ଆଜିକାଲି ଆଉ ଆମ ଗାଁ ଜଙ୍ଗଲରେ କି ଆଖପାଖ ଜଙ୍ଗଲରେ ବାଘରଡ଼ି ଶୁଣାଯାଏ ନାହିଁ । ବାଘ ଫାଗ କୁଆଡେ଼ ଗଲେଣି । ମୋ ପିଲାଦିନେ ଜଙ୍ଗଲ ଭରି ଜନ୍ତୁ ଥିଲେ । ବାଘ, ହେଟା, ବାର୍ହା, ମିରିଗ, ଠେକୁଆ, ଗଧିଆ ଜଙ୍ଗଲରେ ରହିିଥିଲେ । ମହାବଳ ବାଘ କେବେ କେବେ ଅନ୍ୟ କେଉଁ ଘଞ୍ଚ ଜଙ୍ଗଲରୁ ଆସି ଗର୍ଜନ ଛାଡ଼ୁଥିଲା; ଗୋଟାଏ ଦି'ଟା ଗୋରୁ ଛେଳି ମଧ୍ୟ ଖାଇଛି; ମଣିଷ ଖାଇିବାର ଶୁଣାନାହିଁ । ବାଘ ଏପଟ ଜଙ୍ଗଲରୁ ସେପଟକୁ ଗଲାବେଳେ କିମ୍ବା ସେପଟୁ ଏପଟ ଜଙ୍ଗଲ ପାର ହେଲାବେଳେ ଯେତେବେଳେ ଗର୍ଜନ କରେ, ମନେହୁଏ, ଯେମିତି ଆମ ବାଡ଼ିପଟ ତୋଟା ଭିତରେ ଗର୍ଜୁଛି । ସେ ଗର୍ଜନ ଶୁଣିଲେ ଗର୍ଭିିଣୀ ନାରୀ ପେଟରୁ ପିଲା ଖସି ପଡ଼ିବ । ବିଲପଦା, ନିଶୂନ ଟାଙ୍ଗଣା ଭୂଇଁ ସବୁ ଯିମିତି ଭୟରେ ଜଡ଼ସଡ଼ ହୋଇଉଠେ । ମୁଁ ମାମା କୋଳରେ ଶୋଇ ଶୀତେଇ ଉଠେ । କେବେ କେବେ ମାମା କହେ, ମହାବଳ ବାଘ ଜୋରର ମାଙ୍କଡ଼ଖିଆ ବନ୍ଧରୁ ପାଣି ପିଇବାକୁ ଆସିଛି । ମାଙ୍କଡ଼ଖିଆ ବନ୍ଧଟା ଖୋରଧା ଟାଉନ୍ ପଶ୍ଚିମପଟ ଓ ଆମ ଗାଁ ମଝିରେ । କେବେ କେବେ ଝଡ଼ ବର୍ଷା ରାତିରେ ମହାବଳ ବାଘ ରାତିସାରା ଗର୍ଜୁଥାଏ । ବଡ଼ି ପାହାନ୍ତାରେ ଯାଇ ବନ୍ଦ ହୁଏ ତା'ର ହେଣ୍ଟାଳ ଶବ୍ଦ ।
ରାତିରେ ପେଚା, ବଣକୁକୁଡ଼ା ଆଉ ବିଲୁଆ ବୋବାନ୍ତି । ମାମା କହେ କ'ଣ ଅମଙ୍ଗଳ ଘଟିବ । ଆମ କୁଟୁମ୍ବରେ କିଏ ବୁଢ଼ା ବୁଢ଼ୀ ବାଧକା ପଡ଼ିିଥିଲେ ତା' ସମ୍ବନ୍ଧରେ ମନକୁ ମନ ପାପ ଛୁଏଁ । ପେଚା ଓ ହୁଁ ହାଁ ବୋବାଳି ଅଂଧାର ରାତିରେ ବଡ଼ ବିକଟାଳ ଶୁଣାଯାଏ । କେଉଁ ଗିଲଗଛ ନଟିରେ କି କେଉଁ କଣ୍ଟେଇ କୋଳି ଗଛବୁଦା ଉପରେ ସେମାନେ ବୋବେଇ ଉଠନ୍ତି । ଶୀତଦିନେ ଅଣ୍ଡିରା ବିଲୁଆ ଖୁବ୍ ଜୋର୍ରେ ଡାକଛାଡେ଼ । ସେ ରଡ଼ି କୁଆଡେ଼ ଭାରି ଅମଙ୍ଗଳିଆ ।
ଗାଆଁରେ ଦଣ୍ଡ ଯାତ୍ରା ହୁଏ, ଖୋରଧାର ଚଇତି ଘୋଡ଼ା ନାଚ ଆସେ । ଖୋରଧା ପାଖରେ କେତେ ଗାଆଁରେ ଝାମୁଯାତ୍ରା ହୁଏ । ପଣାସଂକ୍ରାନ୍ତିରେ ଡହଡହ ରଡ଼ ନିଆଁ ଉପରେ କାଳିଶି ବେତ ହଲାଇ ଚାଲେ, ନାଚେ, କୁଦେ । ତା'ର ଗୋଡ଼ କିଛି ହୁଏ ନାହିଁ । ବାଙ୍କି ଝାମୁଯାତ ଖୁବ୍ ପ୍ରସିଦ୍ଧ । ଚର୍ଚ୍ଚିକା ଠାକୁରାଣୀଙ୍କ ଝାମୁଯାତ ଦେଖିବାକୁ ବହୁ ଦୂରରୁ ଲୋକମାନେ ଶଗଡ଼ ଗାଡ଼ିରେ ଆସନ୍ତି । ସବୁଠି କାଳିଶିମାନେ ସ୍ତ୍ରୀଲୋକ ପରି (ମାତ୍ର କଛାମାରି) ବେଶ ପିନ୍ଧି ଜଳନ୍ତା ଅଙ୍ଗାର ଉପରେ ଚାଲନ୍ତି । ଟ୍ରେଂଚ ଭଳି ଲମ୍ବା ଲମ୍ବା ଗୋହି ଖୋଳା ଯାଇଥାଏ । ସେଥିରେ ବଡ଼ବଡ଼ କାଠ ଖଞ୍ଜି ନିଆଁ ଲଗାଇ ଦିଅନ୍ତି । କାଠ ଜଳିଯାଇ
୩୨ ସେମାନଙ୍କ ପିଲାଦିନ