ପୃଷ୍ଠା:Semananka piladina.pdf/୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରଡ଼ ହୋଇଗଲେ କାଳିଶି ତା' ଉପରେ ଚାଲେ । କାଳିଶି କାଛେଣି ଓ କାଂଚଲା ପିନ୍ଧିଥାଏ । ମୁଣ୍ଡରେ ଜୁଡ଼ା ପାରି ଏକ ରୁମାଲ୍‍ ଭଳି କପଡ଼ା ବାନ୍ଧିଥାଏ ।

ପିଲାଦିନେ ଚତୁର୍ମାସ୍ୟା ଦିନ ମେଘ ଦେଖିଲେ ମୁଁ ଅବାକ୍‍ ହୋଇ ଯାଉଥିଲି । ସାରା ଦେହରେ ରୋମାଞ୍ଚ ଅନୁଭବ କରୁଥିଲି । ତାଳ ତମାଳ ଗଛ ମାନ ଉପରେ କଳା ବଉଦ ଭେଳା ଭେଳା ହୋଇ ଭାସି ଆସେ । ବରୁଣେଇ ପାହାଡ଼ ବଣ ଉପରେ ହାତୀ ପରି ଗର୍ଜନ ଛାଡ଼ି ଧାଡ଼ିମାଳ ଧାନକ୍ଷେତ ଉପରେ କଳାହାଣ୍ଡିଆ ମେଘ ଘୋଟି ଆସିଲେ ତା ତଳେ ଦୁଇ ତିନିଟି ଧଳା ଧଳା ହଂସ ଧାଡ଼ି ପ୍ରାୟ ଚେତା ବୁଡ଼ାଇ ଦିଏ । ପରେ ପଢ଼ିଲି, ରାମକୃଷ୍ଣ ପରମହଂସ ତାଙ୍କ ବାଲ୍ୟାବସ୍ଥାରେ କୁଆଡେ଼ ଧାନ ବିଲ ଭିତରେ ଯାଉ ଯାଉ ଥରେ କଳାବଉଦ ତଳେ ହଂସ-ଧାଡ଼ି ଦେଖି ବେହୋସ ହୋଇଯାଇଥିଲେ । ତାଙ୍କର ସମାଧିଯୋଗ ହୋଇଥିଲା । କାଳିଦାସଙ୍କର 'ଆଷାଢ଼ସ୍ୟ ପ୍ରଥମ ଦିବସେ' କିମ୍ବା ଜୟଦେବ କବିଙ୍କର ମେଘ ମେଦୁର ଆକାଶ ତଳେ ଶ୍ୟାମଳ ବନଭୂମି କଥା କେଉଁ ଭାରତୀୟ ଭୁଲିପାରେ ?

ଏଇ ମେଘ ମୋତେ ବାରମ୍ବାର ବିହ୍ୱଳ ରେମାଞ୍ଚିତ କରିଛି, ଶ୍ୟାମଳ ଶୈଶବରୁ ଆଜିଯାଏଁ । ମୁଁ ବିଭୋର ହୋଇ ଯାଇଛି । ଭାରତୀୟ ମୌସୁମୀର ସ୍ନିଗ୍ଧ ସଜଳ ସ୍ପର୍ଶ ମୁଁ ଅନ୍ୟ କେଉଁଠି ପାଇନାହିଁ । ତାହା କେବଳ ଓଡ଼ିଶା ଓ ବଙ୍ଗଳା ଛଡ଼ା । ଆନ୍ଧ୍ରର ବର୍ଷା ମୋତେ ବିହ୍ୱଳ କରିଛି, କିନ୍ତୁ ଅଭିଭୂତ କରିପାରି ନାହିଁ । ସେଠାରେ ତାଳ, ତମାଳ, ନାରିକେଳ ତୋଟା ଉପରେ ବର୍ଷାର ନୂପୁର ଝମକ ସତରେ ବଡ଼ ଉଲ୍ଲାସକର, କିନ୍ତୁ ଓଡ଼ିଶା ପରି ପ୍ରାଣମତାଣିଆ ନୁହେଁ । ନୁଆଁଣିଆ ଚାଳ ଉପରୁ ପ୍ରଥମ ଟୋପା ଟୋପା ବର୍ଷା ପାଣି ସତରେ ଭଲ ଲାଗେ । ମାଟିର ବାସ୍ନାରେ ପ୍ରାଣମନ ପୁଲକି ଉଠେ ।

ଆମ ଗାଁରେ ଛୋଟ ଜଙ୍ଗଲଟି ଉପରେ ଯେତେବେଳେ କଳାଘୁମ ମେଘ ଘୋଟିଆସେ, ବଡ଼ ବଡ଼ ଗଛ ବୃକ୍ଷ ପବନରେ ଦୋହଲି ଉଠନ୍ତି, ମୁଁ ତ୍ରସ୍ତ ଚଞ୍ଚଳ ହୋଇଉଠେ । ବଡ଼ ବର୍ଷାରେ ଦାଣ୍ଡରେ ଆଣ୍ଠୁଏ ପାଣି ଚାଲେ । ଆମେ କାଗଜରେ ଡଙ୍ଗା ତିଆରି କରି ଭସାଇ ଦେଉ । କଦଳୀପଟୁକା ମଧ୍ୟ ଛାଡ଼ି ଦେଉ ପାଣିରେ । ବହୁ କୀଟ ପତଙ୍ଗ, ଜନ୍ଦା ପିମ୍ପୁଡ଼ିଙ୍କୁ ଗାମୁଛାରେ କାନିଖିଆ ଦେଇ ପାଣିରୁ ଉଦ୍ଧାର କରି ଶୁଖିଲାରେ ଛାଡ଼ୁ । ବହୁ ଝିଣ୍ଟିକାଙ୍କୁ ମୁଁ ଛତା ପତେଇ ଛାଣି ଉପରେ ଛାଡ଼ିଛି । ଇଏ ଥିଲା ଗୋଟେ ଆନନ୍ଦ; ଖେଳ ନୁହେଁ । ବର୍ଷା ପରି ପ୍ରାଣ ଉଚ୍ଚାଣିଆ ଜିନିଷ ଏ ପୃଥିବୀରେ କିଛି ନାହିଁ ।

ଏବେ ତ ଗତ କେତେ ବର୍ଷ ହେଲା ଓଡ଼ିଶାରେ ବେଶୀଭାଗ ସମୟ ରହୁଛି; ତେବେ ପ୍ରତି ବର୍ଷ ବା ପ୍ରତି ଦୁଇ ବର୍ଷରେ ଲଣ୍ଡନ ବା ଅନ୍ୟ କେଉଁ ବିଦେଶ ଯିବାକୁ ହୁଏ, କୌଣସି ନା କୌଣସି କାମରେ । ଯୁଆଡେ଼ ଗଲେ ବି ଫେରିଲା ବେଳେ ପ୍ରାୟ ଲଣ୍ଡନ ଦେଇ ଫେରେ ।

ସେମାନଙ୍କ ପିଲାଦିନ ୩୩