ଲଣ୍ଡନରେ ତ ପ୍ରାୟ ସବୁବେଳେ ବର୍ଷା ଲାଗି ରହିଛି । ମାତ୍ର ଜଣେ କିପରି ଅବସନ୍ନ ଓ ଉଦାସିଆ ବୋଧକରେ । ଗୋଟାଏ କିମିତି ଏକଘରକିଆ ଭାବ ମନକୁ ଆଚ୍ଛନ୍ନ କରେ । ଫୂର୍ତ୍ତି ନାହିଁ । ମନ ପ୍ରାଣ ନିସ୍ତେଜ । ସବୁ କିଛି ବିମର୍ଷ ମନେହୁଏ ।
କିନ୍ତୁ ଓଡ଼ିଶାର ବର୍ଷା ସୃଷ୍ଟି କରେ ଅପୂର୍ବ ମାଦକତା । ତା'ର ମୃଦୁ ଦୁଷ୍ଟାମି ଖୁବ୍ ଭଲଲାଗେ । କେତେବେଳେ ସେ ଚିନିଚମ୍ପାର ଗାଲ ଚିପିଦିଏ, କେତେବେଳେ ରାଧାତମାଳର ଓଠ ଚୁଷିଦିଏ ଏବଂ ମଧୁମାଳତୀକୁ କରେ ଅସ୍ତବ୍ୟସ୍ତ । ଏଠାରେ ବର୍ଷାର ମନରେ ଆଣେ ଏକ ଘରବାହୁଡ଼ା ଭାବ(ନଷ୍ଟାଲଜିଆ); କହିଯାଏ, 'ହେଇ ଶୁଣ, ସିଏ ଡାକୁଛି'- କିନ୍ତୁ କିଏ ଡାକୁଛି, କିଛି ଜଣାପଡେ଼ ନାହିଁ ।
ବୁଦୁବୁଦିଆ ଟାଙ୍ଗିଟାଙ୍ଗଣ ଉପରେ ବର୍ଷାର ଘୁଙ୍ଗୁର ବାଜିଉଠେ ରୁମଝୁମ ହୋଇ । ବଣ ଜଙ୍ଗଲ ଓ ପାହାଡ଼ ଥରାଇ ସୃଷ୍ଟି ହୁଏ ଏକ ନୂତନ ଶଙ୍କରାଭରଣ । ଓଡ଼ିଶାର ବୃଷ୍ଟି ମୋ ମନରେ ଗଭୀର ରେଖା କାଟିଛି ।
'ଅକାଳ ମେଘର ଶ୍ୟାମଳ ଅତ୍ୟାଚାର /ମନ ଉପରେ ରଖିଗଲା ମୋର ନରମ ଚିହ୍ନ ତାର / ଚାରିଆଡ଼ ମେଘର ଘନଘଟା / କ୍ଷେତେ କ୍ଷେତେ ଧାନର ବିଜୁଳିଛଟା ।
ଆଜି ସକାଳେ ଦେଖାହୋଇଗଲା ଗ୍ରାମର ପଥପ୍ରାନ୍ତେ/ ଉ:ପ୍ରା: ସ୍କୁଲ୍ର ଛାତ୍ରୀ
ବିନୋଦିନୀ ଷଡ଼ଙ୍ଗୀର ସାେ/ଗତ ସାଲେ ଦେଖିିଥିଲି ଥିଲା ନିହାତି ସାନ/ ହସି କହିଲା
ପଢ଼ୁଛି ସିଏ 'ସାହିତ୍ୟ ସୋପାନ' । ତା'ର ଲଘୁ ହାତରେ ସରଳ ହସ୍ତାକ୍ଷର/ଆଣିଲା ଡାକି
ବର୍ଷା ଅବା ଅଦିନ ମେଘର ।'
('ଅଦିନ ମେଘ'- ପାଣ୍ତଲିପି)
ମାମା ରାତିରେ କୋଳରେ ଶୁଆଇ ରଙ୍ଗବତୀ କଥା କହେ- ସେ ଭାରି ସୁନ୍ଦରୀ ତ; ଗୋରା ତକତକ ତନୁପାତଳୀ ଝିଅ । ବଡ଼ହେଲେ ମୋ' ବୋହୂ ରଙ୍ଗବତୀ କନ୍ୟା ପରି ହେବ । ମୁଁ କିରିକିରି ହେଇ ହସିଉଠେ । ଏ ସବୁ କଥା ମୁଁ ବଡ଼ ହେଲା ପରେ ମାମା ଓ ଖୁଡ଼ୀମାନଙ୍କ ମୁହଁରୁ ଶୁଣିଛି । ଛୁଆ ବେଳେ ମୁଁ କ'ଣ କରୁଥିଲି, ସେସବୁ କଥା ସେମାନେ ବେଳେ ବେଳେ କହି ବସନ୍ତି । ମୁଁ କଳ୍ପନା କରେ ରଙ୍ଗବତୀକୁ, ସେ କିପରି ହୋଇଥିବ !
ମାମା ମୋତେ ରଙ୍ଗବତୀ କଥା କହି ବାସ୍ତବତାଠାରୁ ଦୂରକୁ ନେଇଯିବାକୁ ଚେଷ୍ଟା କରୁଥିଲା । ମୁଁ ସ୍ୱପ୍ନ ଦେଖୁିଥିଲି ଏକ ଗୋରୀ ସୁନ୍ଦରୀ ଝିଅର, ଯିଏ ତା'ର ସାପ ପରି ଲମ୍ବ ବେଣୀକୁ ହଲାଇ କେବଳ ମୋତେ ହିଁ ଡାକୁଥିବ ଏବଂ ମୋପାଇଁ ଅପେକ୍ଷା କରି ବସିିଥିବ ।
୩୪ ସେମାନଙ୍କ ପିଲାଦିନ