Jump to content

ପୃଷ୍ଠା:Semananka piladina.pdf/୩୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତା' ଦଣ୍ଡୀ, ତା ନାଁ ବି ଦୁର୍ଗା-ଦୁର୍ଗାବତୀ । ବାପାଙ୍କ ମୁହଁର କେତେବେଳେ କେଉଁ ଠାର ମନେପଡ଼ିଲା ପରି ବିଶ୍ୱାସ ହୁଏ । ମୋତେ ବାରବର୍ଷ ହୋଇଥିଲା, ସେ ଗଲେ । ତାଙ୍କ ନାଁ ସୂର୍ଯ୍ୟମଣି । ମନେପଡ଼େ ବହୁତ ମୁହଁ । କେଉଁ ମୁହଁରୁ କେତେ ଅଂଶ, ଘରଯାକ ଖୁନ୍ଦା ଖୁନ୍ଦି, ଗୋବର ଲିପା ମାଟିଘରର କାନ୍ଥ ଆଉ ତଳି । ଯେମିତି ସେ ବି ଗୋଟିଏ ମା'ର କୋଳ । ନଡା ବାଉଁଶର ଚାଳ, ମିଟି ମିଟି ଡିବି ଆଲୁଅରେ ହଲୁଥିବା ଅନ୍ଧାର, ତା' ପରେ ଫାଇଁ ଫାଇଁ ଅନ୍ତୁଡ଼ି ନିଆଁ, ଉଦୁମୁଦା ଧୂଆଁ ।

ଆଖିବୁଜି ଅତୀତକୁ ଚାହିଁ ଦେଲେ ଯେତେ ଅନୁଭୂତି ବାରିହୁଏ, ତହିଁରୁ କେତେ କେତେ ଅଛି ଦୁର୍ଦ୍ଦିନ ସହିତ ଯୁଦ୍ଧ କରିବାର । ଦୁର୍ଦ୍ଦିନ ଦୁଃଖ କଷ୍ଟ ଦିଏ, ତାକୁ ବଳି ଉଲ୍ଲାସ ଆସେ ମୁଣ୍ଡ ଉଞ୍ଚ ରଖି ତା' ସଂଗେ ଲଢ଼େଇ କରିବାରେ ।

ଲାଗି ରହିଛି ଝଡ଼ି ବରଷା, ଗଳଗଳ ପାଣି । ଚାରିଆଡେ଼ ଅନ୍ଧାର । ଚଡ଼ଚଡ଼ି ଢାଇ କଲା । ବୋଉ ଡାକୁଛି 'ଅଗସ୍ତି, ପୌଲସ୍ତି' । ଦୁଲ୍‍ ଦାଲ୍‍ ଶୁଭୁଛି ପାଖ ଘରେ କାହା କାନ୍ଥ ପଡ଼ିବା ଶବ୍ଦ । ବୋଉ ଏକର ସେକର ଧାଉଁଛି, ଆମ କାନ୍ଥର ଅବସ୍ଥା ଦେଖୁଛି । ଚାଳ ଛୁଆଣି ହୋଇ ପାରି ନାହିଁ । ଏଠି ସେଠି ଟପ୍‍ଟପ୍‍ ପାଣି ପଡ଼ୁଛି । ବୋଉ ଆମକୁ କାମରେ ଲଗାଉଛି । ପ୍ରତି କଣା ତଳେ ହାଣ୍ଡି କି କଂସା ଯାହା କିଛି ରଖିବାକୁ ପଡ଼ିବ, ନହେଲେ ଭୂଇଁ ଓଦା ହୋଇଯିବ । ନଈକୂଳିଆ ଘର । ପବନର ବେଗ ବହୁତ । ତୋଫାନ ହି ହି ହସିଲାଣି । ଦିଶୁଛି ନଡ଼ିଆଗଛ, ଆମ୍ବ ଗଛ ସତେକି ଶୂନ୍ୟରେ ଛାଟିପିଟି ହେଉଛି । ହେଇ, ଆସିଲା ହଲପା, ଦୁର୍ବଳ ଚାଳକୁ ଏକାଠି ଧରି ଓଟାରି ନେଇଯିବାକୁ ଚାହେଁ । ଆଉ ଅନାଇ ରହିଲେ ଚଳିବ ନାହିଁ । କ'ଣ କରିବାକୁ ହେବ ବୋଉ ତା' ବତେଇ ଦେଲା । ସମସ୍ତେ ଚାଳକୁ ଧରି ଶୂନ୍ୟେ ଶୂନ୍ୟେ ଓହଳି ପଡ଼ିଲୁ । ପବନ ଉଠାଉଛି ପକାଉଛି, ଉଡ଼ାଇ ନେଇପାରୁ ନାହିଁ । ପବନର ବଳ ହଟି ଆସିଲା । ଆମେ ଜିତିଗଲୁ । ଆଉ ଓହଳିବା ଦରକାର ନାହିଁ ।

ଆଉ କେବେ ଦିନେ- ପଖାଳରେ ଲଗେଇ ଖାଇବାକୁ କିଛି ନାହିଁ । ଚିନ୍ତା ନାହିଁ, ବୋଉ ସାଙ୍ଗେ ସାଙ୍ଗେ କରିଦେଲା 'ଚିଜ' । ପୋଷେ ଭାତରେ ଅଳ୍ପ ସୋରିଷ ତେଲ ପକେଇ ଟିକିଏ ଚୂନିଚୂନି ପିଆଜ ମିଶାଇ ଦେଲା । ତା'ର ବି ଏକ ପ୍ରକାର ସ୍ୱାଦ ଅଛି । ସବୁ ଖାଦ୍ୟର ଥାଏ । ତରକାରିର କାମ ସେ ଚଳାଇଦେଲା ।

ମୁଢ଼ିିଥିଲେ ଜଳଖିଆ ଅଭାବ ନାହିଁ । ଘରେ ଭାଜି ହୁଏ । ସେମିତି ଖଇ, ହୁଡ଼ୁମ, ମୁଢ଼ିରୁ ଯେ ଆରିସା କାକରା ଯାକେ, ଯେଉଁଦିନ ଯାହା ସବୁ ଉପାଦେୟ ।

ସେମାନଙ୍କ ପିଲାଦିନ ୩୭