ପୃଷ୍ଠା:Semananka piladina.pdf/୩୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରାତି ଚାରିଟା ବେଳୁ ସେ ଉଠିପଡେ଼, ଠାକୁରଙ୍କୁ ସ୍ମରଣ କରେ । ନିତ୍ୟକର୍ମ ଛିଣ୍ଡାଏ, ଘର ଲିପାପୋଛା, ଦୁଆର ଓଳେଇ ବାସିକାମ ସାରେ । ପାହାନ୍ତା ପହରକୁ ଗାଁର ଅନ୍ୟମାନଙ୍କ ସାଙ୍ଗେ ନଈକୁ ଯାଏ, ନଈପାଣି ସେଠୁ ଅଧମାଇଲିଏରୁ ବେଶି ଦୂର, ଗାଧୋଇ ଆସି ଚୁଲି ଲଗାଏ । ଆମକୁ କିଛି ଖାଇବାକୁ ଦିଏ । ରାତିରୁ କରି ରଖିଥାଏ ଗଇଁଠା, ଚକୁଳି କି ପୋଡ଼ପିଠା କି କିଛି । ନିଜେ ଶାଗ ପଖାଳ ଖାଏ । ଦିନଯାକ ଲାଗିଥାଏ କାମରେ, ତା' ଆଖିରେ ବହୁତ କାମ ପଡେ଼ । ଆମ ଆଖିରେ କାମ ନଥାଏ । ଦିନରେ ସେ ଖାଉଖାଉ ଦିନ ଦେଢ଼ଟାରୁ ଅଢେ଼ଇଟା । ସମସ୍ତେ ଖାଇ ସାରିଥିବେ । ସମସ୍ତଙ୍କୁ ସୁଆଦିଆତକ ଅଜାଡ଼ି ଦେଇ ନିଜେ ବସି ବସି ଖୁଆଇବ । ସେଇ ତା'ର ଆନନ୍ଦ । ତା'ପରେ ଯାହା ବଳିଲା, ଯାହା ଆଉ କାହାର ଦରକାର ନାହିଁ, ସେହି ତା'ର ଖାଦ୍ୟ । ତା'ର ପରିଶ୍ରମ କରିବା ଶକ୍ତି ଅଦ୍ଭୁତ । ବରାଦ କରିବା, ବହୁତ ଲୋକଙ୍କୁ ଚଳେଇବା, ଏସବୁ ବିଷୟରେ ଦକ୍ଷତା ଅପରିସୀମ । ତା'ର ସେବା ଆଉ କିଏ କରୁ, ତାକୁ ଆଦୌ ରୁଚେ ନାହିଁ । ସେ ସମସ୍ତିଙ୍କର ସେବା କରିବ ।

ଘରେ ପୂଜାର ଧୁମ୍‍ଧାମ୍‍ ଲାଗି ରହିଥାଏ । ନାନା ବ୍ରତ, ଓପାସ, ଓଷା । ବର୍ଷକରେ ପାଞ୍ଚ ସାତ ମାସରୁ କମ୍‍ ନୁହେଁ । ଖଞ୍ଜାଯାକ ଘର ଲିପା ହୁଏ । ଘର ବାହାର ପରିଷ୍କାର୍‍ ଜିକ୍‍ ଜିକ୍‍ । ଫୁଲ ତୋଳାହୋଇ ଗଦା ହୁଏ । ନାନା 'ସାମଗ୍ରୀ' ସଂଗ୍ରହ କରିବାରେ ସମସ୍ତେ ବ୍ୟସ୍ତ ରହନ୍ତି । ଘରେଘରେ ପିଠାପଣାର ଚେଁ ଚାଁ, ପବନରେ ତା'ର ବାସ୍ନା । ତା'ପରେ ପୁରୋହିତ ଆସନ୍ତି, ପୂଜା ସଜା ହୁଏ । ରଂଗରଂଗର ମୁରୁଜ, ଗୁଣ୍ଡ, ନାନା ପଦାର୍ଥ, ଦୀପ ଜଳେ । ମନ୍ତ୍ରପଢ଼ା, ପୋଥିବୋଲା । ଥାଳି ଥାଳି 'ଭୋଗ' । ଘଣ୍ଟ ପିଟା, ଶଙ୍ଖ ହୁଳହୁଳି, ଭାରି ମଉଜ । ପୂଜା ସରେ । ତା'ପରେ ବ୍ରାହ୍ମଣ ଭୋଜନ, ଆଉ ଆମର ଓଷାବାର ଛଡ଼ା ପ୍ରତିଦିନ ଘରେ ଘରେ ପୂଜା, ପୁରାଣ ପଢ଼ା, ବାପାଙ୍କ ନିଶ୍ଚଳ 'ଧ୍ୟାନ' ।

ସେତେବେଳେ ମୋର ଦୁନିଆଁ ସେଇ ଗାଁ । ଆଉ ତା' ବାହାରେ ଅନ୍ୟ ପ୍ରକାର କିଛି ଥାଇପାରେ ଏଭଳି ଧାରଣା ନଥିଲା । ମୋର ମନେଅଛି, ଅପା ଖଣ୍ଡେ ମିଶ୍ରି ଖାଉଥିଲା ଯେ ମୁଁ କାବା ହୋଇ ପଚାରୁଥିଲି ସେ କି ପଦାର୍ଥ । ରସଗୋଲା ନାଁ ମୁଁ ଶୁଣିିଥିଲି, ଆମ ଗାଁ କୀର୍ତ୍ତନ ଗୁଡ଼ିଆ ତାକୁ କରେ ନାହିଁ । ଲୁଗା ଏତେ ଆବଶ୍ୟକ ନଥିଲା, ମୋର ଖଣ୍ଡେ ଅଧେ ଥିଲା ସତ, କିନ୍ତୁ ଛ' ବର୍ଷ ଯାକେ ମୁଁ ସବୁବେଳେ ତାକୁ ପିନ୍ଧୁ ନିଥିଲି । ଅବଶ୍ୟ ମୋର ଗୋଟିଏ ସାଜ- ଗୋଲାପୀ ମଖମଲର ପାଇଜାମା, କୁର୍ତ୍ତା ଓ ଜରିଦିଆ ଟୋପି ଥିଲା । ମତେ ଅନ୍ୟ ଗାଁକୁ ବୁଲେଇ ନେଲାବେଳେ ସେଥିରେ ମଣ୍ଡିତ କରାହେଉଥିଲା । 'ପିପରମେଣ୍ଟ ମିଠେଇ' ମୁଁ ଚିହ୍ନି ଥିଲି । କିଏ ହେଲେ ଆଣି ଦିଅନ୍ତି । ମୋର ମନେଅଛି, ଭାଇ ଯେତେବେଳେ ଦାନ୍ତଘଷା ଚୂର୍ଣ୍ଣ ଅଜାଡ଼ି ଦାନ୍ତ ଘଷିଲେ ମତେ କାବା ଲାଗିଲା ଓ ଜଇଦାଦି ଯେତେବେଳେ ରୁପାର ବୋତାମ କାମିଜରୁ ବାହାର କରିବାର ଦେଖିଲି, ମୁଁ ଆଶ୍ଚର୍ଯ୍ୟ ହେଲି ।

ସେମାନଙ୍କ ପିଲାଦିନ ୩୯