ଏପରି ନାମ ସମ୍ବଲପୁର ଜିଲ୍ଲା ବାହାରେ ପ୍ରାୟ ଚଳେ ନାହିଁ । ପୂର୍ବକାଳରେ ନାମକରଣ, ଅନ୍ନପ୍ରାଶନ ଆଦି ସଂସ୍କାରମାନଙ୍କରେ ଯେଉଁ ମର୍ଯ୍ୟାଦା ବା ମୂଲ୍ୟ ଥିଲା, ଆଜିକାଲି ଆଉ ତାହା ନାହିଁ । ଶୁଭଲଗ୍ନ ଦେଖି ପିଲାଙ୍କୁ ନବବସ୍ତ୍ର ପିନ୍ଧାଇ ପୁରୋହିତଙ୍କର ମନ୍ତ୍ରପାଠ ସହ ବନ୍ଧୁବାନ୍ଧବମାନଙ୍କ ଉପସ୍ଥିତିରେ ଭାତ ଖୁଆ ଓ ନାଆଁ ଦିଆ ହେଉଥିଲା । ଏହା ପରେ ଦେବମନ୍ଦିରକୁ ଯାଇ ଶିଶୁକୁ ଦେବ ଦର୍ଶନ କରାଇବା ଓ ପରେ ବ୍ରାହ୍ମଣମାନଙ୍କୁ ଭୋଜନରେ ଆପ୍ୟାୟିତ କରାଇବା ସାଙ୍ଗକୁ ସଂଧ୍ୟା ସମୟରେ ସତ୍ୟନାରାୟଣ ପୂଜା ଅନ୍ନପ୍ରାଶନର ଅପରିହାର୍ଯ୍ୟ ଅଙ୍ଗ ଥିଲା ।
ପିଲା ମାନଙ୍କର ପେଟ ଗୋଳମାଳ ନ ହେବାପାଇଁ ଓ ସେମାନଙ୍କର ସାଧାରଣ ସ୍ୱାସ୍ଥ୍ୟର ଉନ୍ନତିପାଇଁ ଆଜିକାଲି 'ଗ୍ରାଇପ୍ ମିକ୍ଶ୍ଚର' ଆଦି ଔଷଧ ବ୍ୟବହୃତ ହେଉଛି । ମାତ୍ର ସେ ଯୁଗରେ ସେପରି ଔଷଧ ନଥିଲା । ପ୍ରତ୍ୟେକ ଶିଶୁର ବୟସ ବର୍ଷେ, ଦେଢ଼ ବର୍ଷ ହେବା ପର୍ଯ୍ୟନ୍ତ ତାକୁ ଅତି ଅଳ୍ପ ମାତ୍ରାରେ ଅଫିମ ଖାଇବାକୁ ଦିଆଯାଉଥିଲା । ସକାଳେ ଓ ସଂଧ୍ୟାରେ ପିଲାଙ୍କୁ ସେକି ଗାଧୋଇ ଦେଲା ପରେ ସେଇ ଅଫିମରୁ ସାମାନ୍ୟ ଟିକିଏ ଖୁଆଇ ଦେଲେ ପିଲାଏ ବେଶୀ କାନ୍ଦିବେ ନାହିଁ ଓ ସେମାନଙ୍କର ସାଧାରଣ ସ୍ୱାସ୍ଥ୍ୟ ଭଲ ରହିବ ବୋଲି ବିଶ୍ୱାସ କରାଯାଉଥିଲା । ତେଣୁ ମୁଁ ପିଲା ଦିନେ ବର୍ଷେ ଦେଢ଼ ବର୍ଷ ମଧ୍ୟରେ ପ୍ରାୟ ତୋଳାଏ ଅଫିମ ସେବନ କରିଥିବି ବୋଲି ଅନୁମାନ କରୁଛି । ଏହି ଅଫିମ ମୋର ପରବର୍ତ୍ତୀ ଜୀବନର ଆଳସ୍ୟପରାୟଣତାପାଇଁ କେତେଦୂର ଦାୟୀ, ତାହା ବିଚାର୍ଯ୍ୟ । ଅବଶ୍ୟ ଆଜିକାଲିର ଅଧିକାଂଶ ଔଷଧରେ ଆଲ୍କୋହଲ୍ କିଛି କିଛି ଥାଏ ଓ ତାହା ଆଳସ୍ୟପାଇଁ ଦାୟୀ ନୁହେଁ ବୋଲି କୁହାଯାଇପାରେ ।
ସେ ଯୁଗରେ ଛୋଟ ଛୋଟ ପିଲାଙ୍କୁ ଖୁଆଇବାପାଇଁ ଅଧିକାଂଶ ଘରେ ଅଫିମ ରଖାଯାଉଥିଲା ଓ ଏହା ଫଳରେ କେବେ କେବେ ଦୁର୍ଘଟଣା ଘଟିବାର ଦେଖା ଯାଉଥିଲା । ଯଦି ମାଆର ଅସାବଧାନତାଯୋଗୁଁ ଓ ଅନୁପସ୍ଥିତିରେ ଅଫିମ ଫରୁଆ ଛୋଟ ପିଲା ହାତରେ ପଡ଼ିଲା ଓ ସେ ତାହାକୁ ଫିଟାଇ ତହିଁରୁ କିଛି ଖାଇଦେଲା, ତାହାହେଲେ ତାହାର ଜୀବନ ନାଶ ହେବାର ଭୟ । ଏହିପରି ଗୋଟିଏ ଦୁଇଟି ଦୁର୍ଘଟଣା ଘଟିିବାର ମୋର ମନେପଡ଼ୁଛି । ସେ ଯୁଗରେ ବୟସ୍କ ଅଫିମଖୋରଙ୍କ ସଂଖ୍ୟା ସମାଜରେ ଅଧିକ ଥିଲା । ଜଣେ ଅଫିମଖୋର ବୁଢ଼ାକୁ ସାପ କାମୁଡ଼ି ଦେବାରୁ ସାପଟି ମରିଗଲା ଅଥଚ ଲୋକଟିର କୌଣସି କ୍ଷତି ହେଲାନାହିଁ ବୋଲି ମଧ୍ୟ ଶୁଣାଗଲା ।
ସେ ଯୁଗରେ ଛୋଟ ବୟସରୁ ପୁଅମାନଙ୍କୁ ମଧ୍ୟ ଅନେକ ଅଳଙ୍କାର ପିନ୍ଧିବାକୁ ହେଉଥିଲା । ମୁଁ ଶୈଶବକାଳରେ ହାତରେ ରୂପାର ବଳା ଯୋଡ଼ିଏ ପିନ୍ଧୁିଥିଲି, ଅଣ୍ଟାରେ
୪୨ ସେମାନଙ୍କ ପିଲାଦିନ