ରୂପାର ଅଣ୍ଟାସୂତା ବା ଘୁନସ ପିନ୍ଧୁଥିଲି । ସେହି ଅଣ୍ଟାସୂତାଯୋଗୁଁ ବୋଧହୁଏ ମୋର ଅଣ୍ଟାରେ ଘାଆ ହୋଇଥିଲା ଓ ତହିଁର ଚିହ୍ନ ଆଜି ପର୍ଯ୍ୟନ୍ତ ରହିଛି ।
ମୁଁ ମାଆ ବାପାଙ୍କର ଦ୍ୱିତୀୟ ସନ୍ତାନ ଓ ଏକମାତ୍ର ପୁତ୍ର । ଶୈଶବରେ ମାଆଙ୍କର ସ୍ନେହ କେବଳ କଳ୍ପନାର ବିଷୟ ହୋଇପାରେ । ମାଆ ଅତି ସ୍ନେହମୟୀ ପ୍ରକୃତିର ଥିଲେ । ସେ କେବେ ମୋତେ ତିରସ୍କାର କରି ନାହାନ୍ତି । ମୋର ଦଶ ବର୍ଷ ବୟସରେ ମାଆଙ୍କର କାଳ ହେଲା । ଏଗାର ବର୍ଷରେ ପାଞ୍ଚଟି ସନ୍ତାନ ପ୍ରସବ କରି ବୋଧହୁଏ ତାଙ୍କର ସ୍ୱାସ୍ଥ୍ୟ ଭାଙ୍ଗିପଡ଼ିଲା । ସେଥିପାଇଁ ୧୯୨୪ ମସିହାରୁ ସେ ରୋଗଶଯ୍ୟାରେ ପଡ଼ିଲେ ଓ ୧୯୨୫ ମସିହା ବୈଶାଖ ମାସ ଦ୍ୱିତୀୟା ଦିନ ତାଙ୍କର ମୃତ୍ୟୁ ହେଲା । ମାଆ ଓଷା ବ୍ରତ କରୁଥିଲେ । ମାର୍ଗଶିର ଗୁରବାର ଦିନ ଏକ ଓଳି ଓପାସ କରୁଥିଲେ । ସେ ଅବସର ସମୟରେ ପୁରାଣମାନ ଗାଆନ୍ତି । ସେ 'ଚିତ୍ତବୋଧ' ଓ 'ହରିବଂଶ' ଆଦି ଗ୍ରନ୍ଥମାନ ଓ ମାର୍ଗଶିର ମାସରେ 'ଲକ୍ଷ୍ମୀପୁରାଣ' ଗାଉଥିଲେ- ଏ ସବୁ ମୋର ଏବେ ସୁଦ୍ଧା ମନେଅଛି ।
ସେ ସମୟରେ ଘରେ ଘରେ ଚରଖା ଚଳାଇବାପାଇଁ ଆନ୍ଦୋଳନ ହେଉଥାଏ । ସମ୍ବଲପୁର ଜିଲ୍ଲାରେ ପୂର୍ବରୁ ଚାଲି ଆସୁଥିବା ପୁରୁଣାକାଳିଆ କାଠ ରହଁଟା ଅନେକ ବିକ୍ରି ହେଉଥାଏ । ବାପା କିନ୍ତୁ ସାଇକେଲ୍ ରିମ୍, ଲୁହା ତାକୁଡ଼ି ଓ କାଠ ସାହାଯ୍ୟରେ ଗୋଟିଏ ବଡ଼ ଚରଖା ତିଆରି କରିିଥିଲେ ଓ ମୁଁ ସେହି ଚରଖାରେ ସୂତା କାଟିବାର ଅଭ୍ୟାସ କଲି । ଜାତୀୟ ବିଦ୍ୟାଳୟରେ ସୂତାକଟା ଓ ଲୁଗାବୁଣା ଶିଖାଯାଉଥାଏ । ସେ ବିଷୟରେ ଗଣେଶ ପ୍ରସାଦ ପାଢ଼ୀ (ଯେ କି ତହିଁ ପୂର୍ବରୁ ଓଭରସିଓର ଥିଲେ ଓ ଇସ୍ତଫା ଦେଇ ଜାତୀୟ ବିଦ୍ୟାଳୟରେ ଯୋଗ ଦେଲେ) ଉତ୍ସାହର ସହିତ ତହିଁର ସଂଗଠନ କରି ଥିଲେ । ଧନ୍ଦାମୂଳକ ଶିକ୍ଷାଦାନ ଜାତୀୟ ବିଦ୍ୟାଳୟର ଏକ ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
ଜାତୀୟ ବିଦ୍ୟାଳୟର ଛାତ୍ରମାନେ ରବିବାର ଓ ଛୁଟିଦିନମାନଙ୍କରେ ସହରର ବିଭିନ୍ନ ରାସ୍ତାରେ ଓ ଗଳିମାନଙ୍କରେ ବୁଲି ଖଦଡ଼ କପଡ଼ା ବିକ୍ରି କରିବାକୁ ବାହାରନ୍ତି । ମୁଁ ମଧ୍ୟ ଆମ ଘର ଛାତ୍ରମାନଙ୍କ ସହିତ ଲୁଗା ବିକ୍ରି କରିବାକୁ ବାହାରେ । କାନ୍ଧରେ ଥାନେ, ଦୁଇଥାନ ଖଦି ଲୁଗା ଧରି ସେମାନଙ୍କ ସଂଗେ ବୁଲାବିକାଳିଙ୍କ ପରି 'ସ୍ୱଦେଶୀ କପଡ଼ା' ବୋଲି ଡାକି ଡାକି ଯାଏ । ଆମର ଲୁଗା ବିକ୍ରି ହୁଏ । ମୋର ମନେଅଛି, ଥରେ ଲୁଗା ବିକିବାପାଇଁ ସହରର ଚାରିଆଡେ଼ ବୁଲି ବୁଲି ଭୁଲିଆ ପଡ଼ାରେ ଲିଙ୍ଗରାଜ ମେହେରଙ୍କ ଦୋକାନ ପାଖରେ ପହଞ୍ଚିଲୁ । ଲିଙ୍ଗରାଜବାବୁ ମୋର ବାପାଙ୍କର ବନ୍ଧୁ । ସେ ମୋର ପରିଚୟ ପାଇ ପଚାରିଲେ 'ଗଜକ କେତେ ଗିରା ?' ତୁମେ କପଡ଼ା ଗିରାକୁ କେତେ ଦରରେ ଦେବ ? ମୁଁ ସେତେବେଳକୁ ନିମ୍ନ ପ୍ରାଥମିକ ଶ୍ରେଣୀର ଛାତ୍ର, ସ୍କୁଲ୍ରେ ପଢ଼ା ହେଉଥିବା ଗଜ, ଫୁଟ, ଇଞ୍ଚ
ସେମାନଙ୍କ ପିଲାଦିନ ୪୩